ପୁଲିସ୍‌ ମୁଖ୍ୟାଳୟରେ ସେକ୍‌ସନ୍‌ ଅଫିସରଙ୍କ କଲମଛାଡ଼ ଆନ୍ଦୋଳନ

କଟକ : ଓଡ଼ିଶା ପୁଲିସ୍‌ ହାବିଲ୍‌ଦାର, କନଷ୍ଟେବଳ ଓ ସିପାହୀ ମହାସଂଘର ଜଣେ କର୍ମକର୍ତ୍ତାଙ୍କ ଦୁର୍ବ୍ୟବହାର ପାଇଁ ଆଜି ଦିନ ତମାମ୍‌ ରାଜ୍ୟ ପୁଲିସ୍‌ ମୁଖ୍ୟାଳୟରେ ସରକାରୀ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ସେକ୍‌ସନ୍‌ ଅଫିସରମାନେ କଲମଛାଡ଼ ଆନ୍ଦୋଳନକୁ ଓହ୍ଲାଇବାରୁ ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ମଧ୍ୟ ଚିନ୍ତାରେ ପଡ଼ିଯାଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଦିନ ପ୍ରାୟ ୧୨ଟା ୪୫ ମିନିଟ୍‌ ବେଳକୁ ମହାସଂଘର ଜଣେ ବରିଷ୍ଠ କର୍ମକର୍ତ୍ତା ବଜେଟ୍‌ ସେକ୍‌ସନ୍‌ ଭିତରକୁ ପ୍ରବେଶ କରିବା ସହ ଜଣେ ସେକ୍‌ସନ୍‌ ଅଫିସର୍‌ଙ୍କୁ ଗାଳିଗୁଲଜ ଓ ଠେଲାପେଲା କରିଥିଲେ। ଉକ୍ତ କର୍ମକର୍ତ୍ତାଙ୍କ ଏଭଳି ଆଚରଣ ନୂଆ ନୁହେଁ। ପୂର୍ବରୁ ପର୍ସୋନେଲ୍‌-୧, ପର୍ସୋନେଲ୍‌-୨, ଆକାଉଣ୍ଟସ୍‌ ସେକ୍‌ସନ୍‌ରେ ମଧ୍ୟ ସେକ୍‌ସନ୍‌ ଅଧିକାରୀଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ହେଲେ ଆଜି ବଜେଟ୍‌ ସେକ୍‌ସନ୍‌ରେ ଅଧିକାରୀଙ୍କୁ ଠେଲାପେଲା କରିବା ଓ ମାଡ଼ ମାରିବାକୁ ଉଦ୍ୟମ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ସେକ୍‌ସନ୍‌ ଅଫିସରମାନେ କଲମ ଛାଡ଼ ଆନ୍ଦୋଳନ ଆରମ୍ଭ କରିଦେଇଥିଲେ। ଘଟଣା ସମ୍ପର୍କରେ ଅତିରିକ୍ତ ଡିଜି ସତ୍ୟଜିତ ମହାନ୍ତିଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଅପରାହ୍ନରେ ସମସ୍ତ ସେକ୍‌ସନ୍‌ କର୍ମଚାରୀଙ୍କ ଦସ୍ତଖତ ସମ୍ବଳିତ ଏକ ସ୍ମାରକପତ୍ର ଅତିରିକ୍ତ ଡିଜିଙ୍କ ଜରିଆରେ ଡିଜିଙ୍କ ନିକଟକୁ ପଠାଯାଇଥିଲା। ସଂଧ୍ୟାବେଳେ ହାବିଲ୍‌ଦାର, କନଷ୍ଟେବଳ ଓ ସିପାହୀ ମହାସଂଘର କର୍ମକର୍ତ୍ତାମାନେ ମଧ୍ୟ କିଛି ଦାବି ନେଇ ଡିଜିଙ୍କୁ ଦେଖା କରିବାକୁ ଯାଇଥିଲେ। ସେଠାରେ ଉଭୟ ପକ୍ଷଙ୍କୁ ଡକାଇ ଘଟଣାର ସମାଧାନ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର