କଟକଣା ଭୁଲିଗଲା ପୁଲିସ ମୁଖ୍ୟାଳୟ

କଟକ : ପୁଲିସ ମୁଖ୍ୟାଳୟ ଗେଟ୍ ବାହାରେ ସମସ୍ତେ ହାତ ଧୋଇ ଭିତରକୁ ଯିବାକୁ ବାଧ୍ୟତାମୂଳକ କରାଯାଇଥିଲା। ଛୋଟ ସାନିଟାଇଜର୍ ମେସିନ୍ ମାଧ୍ୟମରେ ସବୁ ବିଭାଗ ମଧ୍ୟ ବିଶୋଧନ କରାଯାଇଥିଲା। ମାର୍ଚ୍ଚରୁ ଏପ୍ରିଲ ଏହି କାର୍ଯ୍ୟକ୍ରମ ଜୋରଦାର ଚାଲିଲା। କିନ୍ତୁ ଗଲା ମେ ମାସରୁ ବ୍ୟବସ୍ଥା ସମ୍ପୂର୍ଣ୍ଣ କୋହଳ କରିଦିଆଯାଇଛି। ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ସାଧାରଣ ଲୋକ କିମ୍ବା ଡିଜିଙ୍କୁ ଭେଟିବାକୁ ଯାଉଥିବା ଆନ୍ଦୋଳକାରୀଙ୍କ ପ୍ରତିନିଧିମଣ୍ଡଳୀ ବିନା ସାନିଟାଇଜରେ ପୁଲିସ ମୁଖ୍ୟାଳୟ ଭିତରକୁ ଅବାଧରେ ପ୍ରବେଶ କରୁଛନ୍ତି। ସେମାନଙ୍କ ହାତ ସାନିଟାଇଜ୍ ବାଧ୍ୟତାମୂଳକ କରାଯାଉନାହିଁ। ଏବେ ବଡ଼ମ୍ବା ଥାନାରେ ଯେଭଳି ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲାଣି କୌଣସି ମୂହୁର୍ତ୍ତରେ ଯେ ପୁଲିସ ମୁଖ୍ୟାଳୟରେ ନ ହେବ ସେ ଆଶଙ୍କା ଏଡ଼ାଇ ଦିଆଯାଇପାରିବ ନାହିଁ। ମୁଖ୍ୟାଳୟରେ ଏବେ ପାଖାପାଖି ୫୦୦ ପୁଲିସ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ଏଭଳି ଅବାଧ ପ୍ରବେଶ ପରେ ସଂକ୍ରମଣ ନେଇ ଅଫିସର ଓ କର୍ମଚାରୀଙ୍କ ଭିତରେ ଭୟ ସୃଷ୍ଟି ହେଲାଣି। ସାଧାରଣରେ କୋଭିଡ୍ କଟକଣାକୁ ଜଗୁଥିବା ପୁଲିସ ଏବେ ନିଜ ବିଭାଗରେ କଟକଣାକୁ ଭୁଲିଯାଇଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ଭୁବନେଶ୍ବର କମିସନରେଟ୍ ପୁଲିସ, ମାଲକାନଗିରି, ଗଞ୍ଜାମ, କଟକ ଗ୍ରାମାଞ୍ଚଳ ପୁଲିସ ଜିଲ୍ଲାର ବଡ଼ମ୍ବା ଥାନା ପୁଲିସ ଅଫିସର କ୍ରମାଗତ ଭାବେ କରୋନାରେ ସଂକ୍ରମଣ ହେଲେଣି। ବର୍ତ୍ତମାନ ସୁଦ୍ଧାର ୩୫ରୁ ଅଧିକ ପୁଲିସ ଅଫିସର ଓ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ରାଜ୍ୟରେ ଥାନାସ୍ତରରେ ଭୟ ସୃଷ୍ଟି ହେଲାଣି। କଟକ କମିସନରେଟ୍ ପୁଲିସର ଲାଲବାଗ, ପୁରୀଘାଟ, ମର୍କତନଗର, ମାଲଗୋଦାମ ଭଳି ଥାନା ଭିତରକୁ ଅଭିଯୋଗକାରୀଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଥାନା ବାହାରେ ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣାଣି କରାଯାଉଛି। ହାତ ସାନିଟାଇଜ୍ କରିବାକୁ ବାଧ୍ୟତାମୂଳକ କରାଯାଇଛି। କୌଣସି ମୁହୂର୍ତ୍ତରେ ସଂକ୍ରମଣ ଭୟ ଥିବାରୁ ପୁଲିସ ଅଫିସରମାନେ ଏ ପ୍ରକାର ପଦକ୍ଷେପ ଗ୍ରହଣ କଲେଣି। କିନ୍ତୁ ପୁଲିସ ମୁଖ୍ୟାଳୟ କୋଭିଡ୍ କଟକଣାକୁ ସମ୍ପୂର୍ଣ୍ଣ ଅଣଦେଖା କରିଦେଇଛି। କୋଭିଡ-୧୯ ଆଇନ ଉଲ୍ଲଘଂନ ଅଭିଯୋଗରେ ଜରିମାନା ଆଦାୟ କରୁଥିବା ପୁଲିସ ଏବେ ନିଜେ ଭୁଲ୍ କରିବା ଆରମ୍ଭ କରିଛି। ମାର୍ଚ୍ଚ ୨୨ରୁ ଲକ୍‌ଡାଉନ୍‌ ଆରମ୍ଭ ପରେପରେ ପୁଲିସ ମୁଖ୍ୟାଳୟ ଗେଟ୍ ବାହାରେ ପୁଲିସ କର୍ମଚାରୀ କିମ୍ବା ସାଧାରଣ ଲୋକେ ହାତ ସାନିଟାଇଜ୍ କରିବାକୁ ବାଧ୍ୟତାମୂଳକ କରାଯାଇଥିଲା। ପାଣି ଓ ସାନିଟାଇଜ୍ ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଗେଟ୍ ନିକଟରେ ଥିବା ପୁଲିସ କର୍ମଚାରୀ ସାନିଟାଇଜ୍ ବ୍ୟବସ୍ଥାକୁ ସୁନିଶ୍ଚିତ ବି କରୁଥିଲେ। ଛୋଟ ସାନିଟାଇଜର୍ ମେସିନ ମାଧ୍ୟମରେ ମୁଖ୍ୟାଳୟର ସମସ୍ତ ବିଭାଗ ପର୍ଯ୍ୟାୟକ୍ରମେ ବିଶୋଧନ ବି କରାଯାଇଛି। କିନ୍ତୁ ମେ ପରଠାରୁ ବର୍ତ୍ତମାନ ସୁଦ୍ଧା ବ୍ୟବସ୍ଥା ସମ୍ପୂର୍ଣ୍ଣ କୋହଳ କରିଦିଆଯାଇଛି। ଏବେ ସାନିଟାଇଜ୍ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଉ ନଥିବାରୁ ବିନା ସାନିଟାଇଜରେ ଯେ କେହି ଭିତରକୁ ପ୍ରବେଶ କରୁଛନ୍ତି। ଏଭଳି ପରିସ୍ଥିତିରେ ଯେ ସଂକ୍ରମଣ ନ ହେବ ସେ ନେଇ ପ୍ରଶ୍ନ ଉଠିଛି। ମୁଖ୍ୟାଳୟରେ ପୁଲିସ ଡିଜିଙ୍କ ଅଫିସ ସମେତ ଏଚ୍‌ଆର୍‌ପିସି, କ୍ରାଇମବ୍ରାଞ୍ଚ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ କାର୍ଯ୍ୟ କରୁଛି। ଏହି ତିନୋଟି ବିଭାଗକୁ ଦୈନିକ ବିଭିନ୍ନ ଜିଲ୍ଲାରୁ ୧୦୦ରୁ ୧୫୦ ସାଧାରଣ ଲୋକ ଏବଂ ପୁଲିସ ଅଫିସର ଓ କର୍ମଚାରୀ ଅଭିଯୋଗ ପ୍ରକୋଷ୍ଠକୁ ଆସୁଛନ୍ତି। ଏମାନଙ୍କ ବାଦ୍ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମଣ୍ଡଳୀ ଏବଂ ଆନ୍ଦୋଳକାରୀ ମଧ୍ୟ ପୁଲିସ ଡିଜିଙ୍କୁ ଭେଟିବାକୁ ସିଧାସଳଖ ଆସୁଛନ୍ତି। ଏଭଳି ପରିସ୍ଥିତିରେ ସଂକ୍ରମଣ ହେଲେ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟକରୁଥିବା ୫୦୦ ପାଖାପାଖି ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ବିପଦ ସୃଷ୍ଟି ହୋଇପାରେ। ମୁଖ୍ୟାଳୟରେ ଡିଜିଙ୍କୁ ମିଶାଇ ପାଖାପାଖି ୧୫ ଆଇପିଏସ୍ ଅଫିସର, ଏସ୍‌ପି ଓ ଅତିରିକ୍ତ ଏସ୍‌ପି ୩୦, ଡିଏସ୍‌ପି ୩୦, ଇନସ୍ପେକ୍ଟର ୩୦ ଏବଂ ଏସ୍‌ଆଇ, ଏଏସଆଇ, କନଷ୍ଟେବଳ କାର୍ଯ୍ୟ କରୁଥିବା ବେଳେ ସେଭଳି ସତର୍କ ନ ରହିଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଉଛି। ତୁରନ୍ତ ସାନିଟାଇଜ୍ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ମୁଖ୍ୟାଳୟର ଅଫିସରଙ୍କ ମହଲରେ ଦାବି ଉଠିଲାଣି।

ସମ୍ବନ୍ଧିତ ଖବର