ଲୋୟର ପିଏମ୍‌ଜିରେ ଖାକି-ଖାକି ମୁହାଁମୁହିଁ : ଲାଠିମାଡ଼ ଦେଇ ଗୃହରକ୍ଷୀଙ୍କୁ ତଡ଼ିଦେଲା ପୁଲିସ

ଭୁବନେଶ୍ୱର : ପୁଲିସ ନ ହେଲେ ବି ପୁଲିସ ସହ ଖାକି ପୋଷାକ ପିନ୍ଧି ସେମାନେ ଆଇନ ଶୃଙ୍ଖଳା ରକ୍ଷା କରନ୍ତି। ପୁଲିସବାବୁମାନଙ୍କ ବୋଲହାକ କାମ ବି କରନ୍ତି। ମାତ୍ର ଦରମା ବୃଦ୍ଧି ସମେତ ସାତ ଦଫା ଦାବି ନେଇ ଲୋୟର ପିଏମ୍‌ଜି ଆନ୍ଦୋଳନ ଚଳାଇଥିବା ଏହି ଗୃହରକ୍ଷୀମାନଙ୍କୁ ଆଜି ପୁଲିସର ଲାଠିମାଡ଼ ଖାଇବାକୁ ପଡ଼ିଛି। ଭୋର୍‌ରୁ କ୍ୟାପିଟାଲ ଥାନା ପୁଲିସ ସେମାନଙ୍କୁ ବଳପୂର୍ବକ ଧାରଣାସ୍ଥଳରୁ ଉଠାଇ ଦେଇଛି। ଏହି ସମୟରେ ପୁଲିସ ଓ ଗୃହରକ୍ଷୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ ପ୍ରାୟ ୨୦ ଜଣ ଗୃହରକ୍ଷୀ ଆହତ ହୋଇଥିବାବେଳେ ପୁଲିସ ୧୨ ଜଣଙ୍କୁ ଗିରଫ କରିଛି।

ରାଜ୍ୟରେ କାର୍ଯ୍ୟରତ ୧୭ ହଜାରରୁ ଊର୍ଧ୍ୱ ଗୃହରକ୍ଷୀଙ୍କ ଦାବିକୁ ନେଇ ଗତ ୧୫ ତାରିଖରୁ କାର୍ଯ୍ୟ ବନ୍ଦ କରି ଏଠାରେ ଧାରଣାରେ ବସିଥିଲେ ଶତାଧିକ ଗୃହରକ୍ଷୀ। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦେଶ ଅନୁଯାୟୀ ମହଙ୍ଗା ଭତ୍ତା ସହିତ ଦୈନିକ ଭତ୍ତା ବୃଦ୍ଧି କରିବା, କାର୍ଯ୍ୟରତ ଗୃହରକ୍ଷୀମାନଙ୍କ ନାମରେ ରୁଜୁ ହୋଇଥିବା ମିଥ୍ୟା ମକଦ୍ଦମାକୁ ପ୍ରତ୍ୟାହାର କରି ସେମାନଙ୍କୁ ତୁରନ୍ତ ନିଯୁକ୍ତି ଦେବା, ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ସହ ଚାକିରିର ସର୍ତ୍ତାବଳୀ ପ୍ରଣୟନ କରିବା, ଗୃହରକ୍ଷୀମାନଙ୍କ ସାମଜିକ ସୁରକ୍ଷା ପାଇଁ ବ୍ୟକ୍ତିଗତ ବୀମା, ପାରିବାରିକ ସ୍ୱାସ୍ଥ୍ୟବୀମା, ଭବିଷ୍ୟତ ସୁରକ୍ଷା ଲାଗି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଯୋଜନା, ଅସ୍ତ୍ର ପ୍ରଶିକ୍ଷଣ ନେଇଥିବା ଗୃହରକ୍ଷୀମାନଙ୍କୁ ସେହି କାର୍ଯ୍ୟରେ ନିୟୋଜିତ କରି ପୁଲିସଙ୍କ ଭଳି ସମାନ ସୁବିଧା ଯୋଗାଇଦେବା, ହକ୍‌ ପାଇଁ ଆତ୍ମାହୁତି ଦେଇଥିବା ଗୃହରକ୍ଷୀମାନଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଆର୍ଥିକ ସହାୟତା ଓ ସେମାନଙ୍କ ପିଲାମାନଙ୍କୁ ଉଚ୍ଚ ଶିକ୍ଷିତ ହେବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରିବା ଆଦି ଦାବି ନେଇ ସେମାନେ ଏହି ଧାରଣା ଦେଇଥିଲେ। ତେବେ ସେମାନଙ୍କୁ ଧାରଣାରୁ ହଟିଯିବା ଲାଗି ବିଭିନ୍ନ ମହଲରୁ ଚାପ ପଡ଼ୁଥିଲା। ଏହାକୁ ନେଇ ସଂଘର ଦୁଇ ଗୋଷ୍ଠୀ ମଧ୍ୟରେ ମତଭେଦ ବି ଦେଖା ଦେଇଥିଲା। ମାତ୍ର ଗୋଟିଏ ଗୋଷ୍ଠୀ ନିଜ ଜିଦ୍‌ରେ ଅଟଳ ରହି ଆନ୍ଦୋଳନ ଚଳାଇଥିଲେ। ତେବେ ଆଜି ଭୋର୍‌ ସମୟରେ ପୁଲିସ ଏହି ଗୃହରକ୍ଷୀମାନଙ୍କୁ ଧାରଣାସ୍ଥଳରୁ ବଳପୂର୍ବକ ତଡ଼ି ଦେବାକୁ ଚେଷ୍ଟା କରିବାରୁ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୁଲିସ ଲାଠି ମାଡ଼ଯୋଗୁଁ ୨୦ରୁ ଉର୍ଦ୍ଧ୍ୱ ଗୃହରକ୍ଷୀ ଆହତ ହୋଇଥିଲେ। ଯାହାକୁ ନେଇ ପ୍ରାୟ ଘଣ୍ଟାଏ କାଳ ଲୋୟର ପିଏମଜିରେ ଉତ୍ତେଜନା ଦେଖା ଦେଇଥିଲା।

ତେବେ ଲାଠିମାଡ଼ ଘଟଣାକୁ ଡିସିପି ସତ୍ୟବ୍ରତ ଭୋଇ ଅସ୍ୱୀକାର କରିଛନ୍ତି। କ୍ୟାପିଟାଲ ଥାନା ଆଇଆଇସି ମାନସ ଗଡ଼ନାୟକ କହିଛନ୍ତି ଯେ ୧୨ ଜଣ ଗୃହରକ୍ଷୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଗୃହରକ୍ଷୀମାନେ ହେଲେ ସଂଘ ସମ୍ପାଦକ ନିରଂଜନ ସେନାପତି, ଜିତେନ୍ଦ୍ର ପାତ୍ର, ସଂଜୟ କୁମାର ମିଶ୍ର, ପ୍ରଭାତ ପାଣିଗ୍ରାହୀ, ଅଜୟ ଦାସ, ବିଷ୍ଣୁ ଚରଣ ଦାସ, କେ ବାସୁଦେବ ରାଓ, ଦେବରାଜ ପଣ୍ଡା, ରାଜେଶ କୁମାର ଜେନା, ସୁବାସ ଚନ୍ଦ୍ର ମହାନ୍ତି, ଅର୍ଜୁନ ନାୟକ, ନଳିନୀକାନ୍ତ ନାୟକ ପ୍ରମୁଖ। ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

ସମ୍ବନ୍ଧିତ ଖବର