ଥାନା ଅଧିକାରୀଙ୍କ ମୁଣ୍ଡରେ ରିଭଲଭର!

ଜୟପୁର: ଜଣେ ଥାନା ଅଧିକାରୀଙ୍କ ମୁଣ୍ଡରେ ରିଭଲଭର ଲଗାଯାଇଛି। ପୁଣି ଲଗାଇଛନ୍ତି ସେହି ପୁଲିସ ବିଭାଗର ଜଣେ ପଦସ୍ଥ ଅଧିକାରୀ। କକ୍ କରି ଟ୍ରିଗର ଚିପି ଦେବାକୁ ବି ଉଦ୍ୟମ କରିଛନ୍ତି। ଆଉ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଥାନା ଅଧିକାରୀ। ଏହାକୁ ନେଇ ଏବେ କୋରାପୁଟ ପୁଲିସରେ ହଲଚଲ ଖେଳି ଯାଇଛି। ପୁଲିସ ବିଭାଗରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ବି ହେଉଛି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କେହି ମୁହଁ ଖୋଲୁ ନାହାନ୍ତି। ତଥାପି ପୁଲିସ ବାବୁଙ୍କ ଏମିତି ଗୁଣ୍ଡାଗିରି ପରେ ତଳିଆ ଅଧିକାରୀଙ୍କ ଭିତରେ ବିଦ୍ରୋହ ଦାନା ବାନ୍ଧିବାରେ ଲାଗିଛି।

କୋରାପୁଟ ଜିଲ୍ଳାରେ କିଛି ଦିନ ତଳେ ଏକ ଜୁଆ ଆଡ୍ଡା ଧରା ପଡିଥିଲା। ଆଉ ଏହି ଜୁଆ ଖେଳ ଧରା ପଡିବା ପରେ ବରିଷ୍ଠ ପୁଲିସ ଅଧିକାରୀ ଜଣଙ୍କ ରାଗି ପାଚି ଲାଲ ହୋଇ ଯାଇଥିଲେ। ଜୁଆ ଖେଳ ନିୟମିତ ଚାଲୁଥିଲେ ମଧ୍ୟ କେମିତି ଆଖପାଖ ଥାନା ଅଧିକାରୀମାନେ ଜାଣି ପାରୁ ନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାକୁ ନେଇ ଏକାଧିକ ଥାନା ଅଧିକାରୀଙ୍କୁ ଗାଲିଗୁଲଜ କରିଥିଲେ ଏହି ବରିଷ୍ଠ ଅଧିକାରୀ। ପୁଲିସିଆ ଭାଷାର ଭରପୁର ପ୍ରୟୋଗ କରିଥିଲେ। ମନଇଛା ଗାଳି କଲା ପରେ ବି ବରିଷ୍ଠଙ୍କ ରାଗ ଥଣ୍ଡା ହୋଇ ନ ଥିଲା। ବରଂ ମୁଣ୍ଡକୁ ପିତ୍ତ ଚଢି ଯାଇଥିଲା। ମୁଣ୍ଡକୁ ରାଗ ଏମିତି ଚଢିଥିଲା ଯେ, ପକେଟରୁ ରିଭଲଭର ବାହାର କରି ଜଣେ ଇନ୍ସପେକ୍ଟରଙ୍କ ମୁଣ୍ଡରେ ଲଗାଇ ଦେଇଥିଲେ। ଗୁଳି ମାରିଦେବାକୁ ଧମକ ଦେଇଥିଲେ। ଏପରିକି କକ୍ ବି କରିଥିଲେ। ଟ୍ରିଗର ଚିପି ଦେବାକୁ ଉଦ୍ୟତ ହେଲା ବେଳକୁ ଥାନାରେ ଥିବା କିଛି ଅଧିକାରୀ ରିଭଲଭର ଛଡାଇ ନେଇଥିଲେ। ଫଳରେ ଏକ ବଡ ଅଘଟଣ ଅଳ୍ପକେ ଟଳି ଯାଇଥିଲା। ରାଗରେ ଥିବା ବଡ ଅଧିକାରୀଙ୍କୁ ଆଉ କିଛି ଅଧିକାରୀ ବୁଝାଶୁଝା କରି ନେଇ ଯାଇଥିଲେ।

ଥାନା ଭିତରେ ବରିଷ୍ଠ ଅଧିକାରୀଙ୍କ ଏମିତି ବ୍ୟବହାର ସମୟରେ ବହୁ ଅଧିକାରୀ ଓ କର୍ମଚାରୀ ଥିଲେ। କିନ୍ତୁ ଅଧିକାରୀଙ୍କ ରାଗ ଦେଖି କେହି ପ୍ରତିବାଦ କରିପାରି ନ ଥିଲେ। ସ୍ଥିତି ବିଗିଡିବା ପରେ ଆଉ ଜଣେ ଅଧିକାରୀ ଏଥିରେ ମୁଣ୍ଡ ପୁରାଇ ରିଭଲଭର ଛଡାଇ ନେଇଥିଲେ। ଅପରପକ୍ଷରେ ଏହି ଘଟଣାକୁ ନେଇ ଏବେ କୋରାପୁଟ ପୁଲିସରେ ଢେର ଚର୍ଚ୍ଚା। ପଦସ୍ଥ ଅଧିକାରୀଙ୍କ ଏମିତି ଆତଙ୍କରାଜକୁ କେହି ସହଜରେ ହଜମ କରି ପାରି ନାହାନ୍ତି। କ୍ଷମତାରେ ଅନ୍ଧ ହୋଇ ସେ ଏମିତି ଆଇନ ବିରୋଧୀ କାମ କରିଥିବା ପୁଲିସ ମହଲରେ ଆଲୋଚନା ହେଉଛି। କୌଣସି ସାଧାରଣ ଲୋକ ଏମିତି କାମ କଲେ ପୁଲିସ ସେମାନଙ୍କୁ ଆଇନର ଜାଲରେ ଛନ୍ଦି ଜେଲକୁ ପଠାଇ ଦେଉଥିଲା ବେଳେ ନିଜ ବିଭାଗର ଦୋଷକୁ ଲୁଚାଇବାକୁ ଉଦ୍ୟମ କରାଯାଇଛି। ବାହାରେ କିଛି ନ କହିବା ପାଇଁ ଧମକ ବି ଦିଆଯାଇଛି। କିନ୍ତୁ କଥା ଏବେ ଏ କାନରୁ ସେ କାନକୁ ପବନ ବେଗରେ ବ୍ୟାପିବାରେ ଲାଗିଛି। ହୋମଗାର୍ଡଙ୍କଠାରୁ ଆରମ୍ଭ କରି ଇନ୍ସପେକ୍ଟର ପାହ୍ୟାର ଅଧିକାରୀଙ୍କ ଭିତରେ ଏହି ଘଟଣାକୁ ନେଇ ଗରମାଗରମ ଆଲୋଚନା ହେଉଛି। ଏପରିକି ଏହା ଭିତରେ ବିଦ୍ରୋହର ବାସ୍ନା ବି ରହିଛି। କିନ୍ତୁ ବରିଷ୍ଠ ଅଧିକାରୀଙ୍କ ବିରୋଧରେ କେହି ମୁହଁ ଖୋଲୁ ନାହାନ୍ତି। ଭୟ ଓ ଚାପରେ ଅଧିକାରୀମାନେ ଚେପା ହୋଇ ଯାଇଥିଲାବେଳେ କୋରାପୁଟ ପୁଲିସରେ ଏହାକୁ ନେଇ ଏକ ଅବିଶ୍ବାସର ବାତାବରଣ ସୃଷ୍ଟି ହୋଇଛି। ଏହା ଜିଲ୍ଲା ପୁଲିସ ବାହିନୀରେ ଏକ ନକରାତ୍ମକ ପରିବେଶ ସୃଷ୍ଟି କରିବ ବୋଲି ଏବେଠାରୁ ଆଶଙ୍କା ପ୍ରକାଶ ପାଇଲାଣି। ତେବେ ଏଥିନେଇ କୌଣସି ପୁଲିସ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ତେଣୁ ଏହା ସତ ନା’ ଗୁଜବ ସ୍ପଷ୍ଟ ହୋଇପାରିନାହିଁ। ତଥାପି ପୁଲିସ ମହଲରେ ଲାଗି ରହିଥିବା ଆଲୋଚନା ଓ ଚର୍ଚ୍ଚା ଘଟଣା ପଛରେ ସତ୍ୟତା ରହିଥିବା ନେଇ ଇଙ୍ଗିତ ଦେଉଛି।

ସମ୍ବନ୍ଧିତ ଖବର