କଟକ: ରାଜ୍ୟରେ କ୍ଷେତ୍ର ସ୍ତରରେ କାମ କରୁଥିବା ପୁଲିସ ବାବୁମାନେ ନିଜ କାମ ଛାଡ଼ି ଅନ୍ୟ ଧନ୍ଦାରେ ମାତିଛନ୍ତି। ମୁଖ୍ୟତଃ ଏମାନେ ଖଣି ଓ ଶିଳ୍ପାଞ୍ଚଳ ପରିବହନ କାମରେ ମାତିଛନ୍ତି। ଏହା ପୁଲିସ ବାବୁଙ୍କ କର୍ତ୍ତବ୍ୟ ପରିସରଭୁକ୍ତ ନୁହେଁ। ଏଭଳି ନିୟମ ଖିଲାପୀ କାର୍ଯ୍ୟରୁ ସମ୍ପୃକ୍ତ ପୁଲିସ ବାବୁମାନେ ଦୂରେଇ ନରହିଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି ପୁଲିସ ଡିଜି ଏଭଳି କଡ଼ା ଚେତାବନୀ ଦେଇଛନ୍ତି। ଡିଜିଙ୍କ ଏଭଳି ନିର୍ଦ୍ଦେଶନାମା ସଂପର୍କରେ ଆଇନଶୃଙ୍ଖଳା ଦାୟିତ୍ବରେ ଥିବା ଏଡିଜି ସଂଜୟ କୁମାର ଜିଲ୍ଲା ଏସ୍ପି ଓ ଡିସିପିମାନଙ୍କୁ ଚିଠି ଲେଖି ଜଣାଇ ଦେଇଛନ୍ତି। ଏଥିସହିତ ରାଜ୍ୟରେ ପୁଲିସର କିଛି କର୍ମଚାରୀ, ଖଣି ଓ ଶିଳ୍ପ ମାଫିଆଙ୍କୁ ସହଯୋଗ କରୁଥିବା ଅଭିଯୋଗ ପ୍ରମାଣିତ ହୋଇଛି।
ଅନଧିକୃତ କାର୍ଯ୍ୟ କଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ
ରେଞ୍ଜ ଆଇଜି, ଏସିପି, ସିପିଙ୍କୁ ଚିଠି
ଶ୍ରୀ କୁମାର ଲେଖିଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଓଡ଼ିଶାର ଥାନା ସ୍ତରରେ ଅର୍ଥାତ୍ କ୍ଷେତ୍ରରେ ଡ୍ୟୁଟି କରୁଥିବା ଅଧିକାରୀମାନେ ଏଭଳି କିଛି କାର୍ଯ୍ୟ କରୁଛନ୍ତି ଯାହା ପୁଲିସର କାର୍ଯ୍ୟ ନୁହେଁ। ଖଣି ଓ ଶିଳ୍ପାଞ୍ଚଳରେ ପରିବହନ ତଥା ଅନ୍ୟ ଅନଧିକୃତ କାର୍ଯ୍ୟରେ ସେମାନଙ୍କର ସମ୍ପୃକ୍ତି ରହୁଛି। ଏକଥା ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆଙ୍କ ନଜରକୁ ଆସିଛି। ପୁଲିସ ଅଧିକାରୀଙ୍କ ଏ ପ୍ରକାର କାର୍ଯ୍ୟକଳାପକୁ ନେଇ ପୁଲିସ ଡିଜି ଉଦ୍ବେଗ ପ୍ରକାଶ କରିଛନ୍ତି। ସିଧା ସିଧା ଶୁଣାଇ ଦିଆଯାଇଛି ଯେ ଏଭଳି ଘଟଣାରେ କେହି ଏଣିକି ଲିପ୍ତ ରହିଲେ ଏହାକୁ ଗୁରୁତ୍ୱର ସହିତ ବିଚାର କରାଯିବ। ସମସ୍ତ ରେଞ୍ଜ ଆଇଜି/ଡିଆଇଜି, ଭୁବନେଶ୍ବର-କଟକ କମିସନରେଟ୍ ପୁଲିସ ସିପିଙ୍କୁ ଏକଥା ଶ୍ରୀ କୁମାର ଜଣାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଏଡିଜି ଶ୍ରୀ କୁମାର ଉଲ୍ଲେଖ କରିଛନ୍ତି।
ଅନ୍ୟପଟେ ଏଡିଜି ଶ୍ରୀ କୁମାର ‘ସମ୍ବାଦ’କୁ ସୂଚନା ଦେଇ କହିଛନ୍ତି ଯେ ପୁଲିସର ମୁଖ୍ୟ କାମ ହେଲେ ଅପରାଧ ଓ ଅପରାଧୀ ନିୟନ୍ତ୍ରଣ ସହିତ ଆଇନଶୃଙ୍ଖଳା ନିୟନ୍ତ୍ରଣ ଉପରେ ମୁଖ୍ୟତଃ ଧ୍ୟାନ ଦେବା। ଏହି ନିର୍ଦ୍ଦେଶନାମାକୁ ଯଦି କେହି ଖିଲାପ କରନ୍ତି ତେବେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/DfhKhuPKOzrz9HtbxdtW.jpg)