ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା

ମାଲକାନଗିରି : ଗୋଟିଏ ପରେ ସାରା ଦେଶ କରୋନା ବିରୋଧରେ ଲଢ଼େଇ କରୁଥିବା ବେଳେ ଅନ୍ୟପଟେ ନକ୍ସଲ ହିଂସା ଘଟାଇ ଚାଲିଛନ୍ତି। ସଦ୍ୟତମ ଘଟଣାରେ ପୁଲିସ ଇନଫର୍ମର ଦର୍ଶାଇ ସୀମାନ୍ତ ଛତିଶଗଡ଼ର ସୁକମା ଅଞ୍ଚଳରେ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ସୂଚନା ପାଇବା ପରେ ପୁଲିସ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ସଶସ୍ତ୍ର ନକ୍ସଲ ସୁକମା ଜିଲ୍ଲା ଫୁଲବାଡ଼ି ଥାନା ଅନ୍ତର୍ଗତ ବସେସେଟ୍ଟି ଅଂଚଳର ସିଙ୍ଗନାପାର ଗ୍ରାମରେ ପଶିଥିଲେ। ଗାଁକୁ ଘେରିବା ପରେ ଘରେ ଶୋଇଥିବା ପଡ଼ିଆମି ସିଙ୍ଗାକୁ ବଳପୂର୍ବକ ଉଠାଇ ନେଇଥିଲେ। ନିକଟସ୍ଥ ଜଙ୍ଗଲରେ ଆୟୋଜିତ ପ୍ରଜାକୋର୍ଟରେ ସିଙ୍ଗାକୁ ହାଜର କରାଯାଇଥିଲା। ଏହାପରେ ଏକତରଫା ବିଚାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୨୦୧୭ ମସିହାରୁ ସିଙ୍ଗା ନକ୍ସଲଙ୍କ ଗତିବିଧି ସଂପର୍କରେ ପୁଲିସକୁ ସୂଚନା ଦେଉଥିଲା। ପୁଲିସଠାରୁ ଟଙ୍କା ନେଇ ଏହି କାମ କରୁଥିବାରୁ ମୃତ୍ୟୁଦଣ୍ଡ ପାଇଁ ପ୍ରଜାକୋର୍ଟରେ ନିଷ୍ପତ୍ତି ନିଆଯାଇଥିଲା। ନିର୍ମମ ଭାବେ ହତ୍ୟା କରି ଶବ ଗାଁ ନିକଟରେ ଫିଙ୍ଗି ଚାଲି ଯାଇଥିଲେ ନକ୍ସଲ। ଶବ ନିକଟରେ ଗୋଟିଏ ପୋଷ୍ଟର ମଧ୍ୟ ଛାଡ଼ି ଯାଇଥିଲେ। ସେଥିରେ ସିଙ୍ଗାକୁ ପୁଲିସ ଇନଫର୍ମର ଦର୍ଶା ଯାଇଥିବା ବେଳେ କେରଲାପାଲ ଏରିଆ କମିଟି ଦଣ୍ଡ ଦେଇଥିବା ଉଲ୍ଲେଖ କରାଯାଇଛି। ନକ୍ସଲଙ୍କ ଏହି ହିଂସାକାଣ୍ଡ ସଂପର୍କରେ ଆଜି ଏସ୍‌ପି ସଲଭ ସିହ୍ନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର