ପୁଲିସ ଇନ୍ସପେକ୍ଟରଙ୍କ ଗାଡ଼ି ଧକ୍କାରେ ୩ ମୃତ୍ୟୁ ଘଟଣା: ସୁନା ମାଡାମ୍ ନିଲମ୍ବିତ, ଜେଠୀଙ୍କୁ ଜାମିନ

ବଲାଙ୍ଗୀର : ବଲାଙ୍ଗୀର-ସୋନପୁର ରାଜରାସ୍ତାରେ ସଡ଼କ ଦୁର୍ଘଟଣା ମାମଲାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ମହିଳା ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କୁ ନିଲମ୍ବନ କରାଯାଇଛି। ଗତ ୧୨ ତାରିଖ ସଂଘଟିତ ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇଥିଲା ସୁନା ମାଡାମଙ୍କ କାର୍‌। ଏହି କାର ଚଳାଉଥିଲେ ମ୍ୟାଡାମଙ୍କ ପୁରୁଷ ବନ୍ଧୁ ଅଜୟ ଜେଠୀ। ବିନା ଲାଇସେନ୍ସରେ ସେ ଗାଡ଼ି ଚଳାଉଥିଲେ। ତେବେ ଜେଠୀଙ୍କୁ ରାତାରାତି ଜାମିନ ମିଳିଯାଇଛି।

ଘଟଣାକୁ ଗୁରୁତ୍ବର ସହ ନେଇ ‘ସମ୍ବାଦ’ ସବିଶେଷ ତଥ୍ୟ ସାମ୍ନାକୁ ଆଣିବା ପରେ ସୁନା ମାଡାମଙ୍କ କାରନାମା ରାଜ୍ୟ ସାରା ଚାଞ୍ଚଲ୍ୟ ଖେଳିଯାଇଥିଲା। ଶେଷରେ ପୁଲିସ ମୁଖ୍ୟାଳୟ ପକ୍ଷରୁ ଶନିବାର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସୁନା ମ୍ୟାଡାମଙ୍କୁ ପ୍ରଥମ ପର୍ଯ୍ୟାୟରେ ନିଲମ୍ବନ କରାଯାଇଛି।

ସୂଚନାଯୋଗ୍ୟ ଯେ ପ୍ରଥମେ ଦୁର୍ଘଟଣା ଘଟାଇ ସୁନା ମାଡାମ୍ ଓ ତାଙ୍କ ଡ୍ରାଇଭର ଅଜୟ ଜେଠୀ ଫେରାର ମାରିଥିଲେ। ଶେଷରେ ବଲାଙ୍ଗୀର ସହର ହାତୀଶାଳପଡ଼ାରୁ ଦୁଇଜଣଙ୍କୁ ଜଣେ ପୁଲିସ କର୍ମଚାରୀଙ୍କ ଘରୁ ଉଠାଇଥିଲା ସୋନପୁର ପୁଲିସ। ସେମାନଙ୍କୁ ତରଭା ଥାନାକୁ ନିଆଯାଇଥିଲା। ଜଣାପଡ଼ିଥିଲା ଡ୍ରାଇଭରଙ୍କ ଡିଏଲ୍‌ ନାହିଁ। ତାପରେ ଜଣେ ଦାୟିତ୍ୱସଂପନ୍ନ ମହିଳା ଇନ୍ସପେକ୍ଟର କେମିତି ବିନା ଡିଏଲ୍‌ରେ ଗାଡ଼ି ଚଳାଇବାକୁ ଦେଇଥିଲେ? ଘଟଣାସ୍ଥଳରୁ କାହିଁକି ଫେରାର ମାରିଥିଲେ? ଏସବୁ ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ସାମ୍ନାକୁ ଆସିଥିଲା ଅଜୟ ଜେଠୀ ତାଙ୍କ ଡ୍ରାଇଭର ନୁହନ୍ତି; ତାଙ୍କର ପୁରୁଷ ବନ୍ଧୁ। ଏପରିକି ସୁନା ମାଡାମଙ୍କ ବିରୋଧରେ ତାଙ୍କ ସ୍ୱାମୀ ବି ସଂଗିନ ଅଭିଯୋଗ ଆଣିଥିଲେ। ଗତ ମେ ମାସରେ ସୁନ୍ଦରଗଡ଼ ଟାଉନ ଥାନାରେ ମ୍ୟାଡାମଙ୍କ ସ୍ୱାମୀ ଏତଲା ଦେଇଥିଲେ। ସେଥିରେ ସୁନା ମାଡାମ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଏତଲାରେ ସେ ମହିଳା ଇନ୍ସପେକ୍ଟର ଓ ଅଜୟ ଜେଠୀଙ୍କ ସଂପର୍କ ନେଇ ଉଲ୍ଲେଖ କରିଥିଲେ।

ଦୁର୍ଘଟଣା ମାମଲାରେ ପୁଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠିଲାଣି। ଗତ ୧୨ ତାରିଖର ଏହି ମର୍ମନ୍ତୁଦ ଦୁର୍ଘଟଣା ୩ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୬ ଜଣ ଆହତ ହୋଇଥିଲେ। ହେଲେ ବିନା ଲାଇସେନ୍ସରେ ଡ୍ରାଇଭର ସାଜି ଗାଡ଼ି ଚଳାଇ ଦୁର୍ଘଟଣା ଘଟାଇଥିବା ଅଜୟ ଜେଠୀ ଏବେ ଜାମିନରେ ଖଲାସ।

ସୋନପୁର ଜିଲ୍ଲା ତରଭା ପୁଲିସର ଏଫ୍‌ଆଇଆର୍‌ କପି ଓ ଫରୱାର୍ଡିଂ ଲେଟରରୁ ଘଟଣା ସମ୍ପର୍କରେ ଜଣାପଡ଼ିଛି, ଅଜୟ ଜେଠୀ ବିରୋଧରେ ଆଇପିସିର ୨୭୯/୩୩୭/୩୩୮/୩୦୪-ଏ ଓ ୧୮୧ ଏମ୍‌ଭି ଆକ୍ଟରେ ମାମଲା ରୁଜୁ କରାଯାଇଛି। ହେଲେ ଫରୱାର୍ଡିଂ ଲେଟରରେ କେବଳ ଗାଡ଼ିର ମାଲିକ ସ୍ନିଗ୍ଧାରାଣୀ ସୁନା ବୋଲି ସୂଚନା ଦିଆଯାଇଥିବା ବେଳେ ତାଙ୍କ ଉପସ୍ଥିତିକୁ ନେଇ ମଧ୍ୟ ଲେଖାଯାଇଛି। କିନ୍ତୁ ତାଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇ ନାହିଁ। ବରିଷ୍ଠ ଓକିଲଙ୍କ କହିବାନୁସାରେ, ସ୍ନିଗ୍ଧାରାଣୀ ସୁନା ଗାଡ଼ିର ମାଲିକ। ତାଙ୍କ ଉପସ୍ଥିତିରେ ବିନା ଲାଇସେନ୍ସରେ ଅଜୟ ଜେଠୀ ଗାଡ଼ି ଚଳାଉଥିଲା। ଏଣୁ ଆଇପିସି ୧୧୪ ଅନୁସାରେ ମଧ୍ୟ ମାମଲା ରୁଜୁ ହେବା କଥା। କିନ୍ତୁ ସାଧାରଣ ଏମ୍‌ଭି ଆକ୍ଟରେ ଥାନାରୁ ୪୧ ନୋଟିସରେ ମହିଳା ଇନ୍ସପେକ୍ଟରଙ୍କୁ ଛାଡ଼ି ଦିଆଯାଇଥିଲା। ଏ ନେଇ ସୋନପୁର ଏସ୍‌ପି ଅମରେଶ ପଣ୍ଡାଙ୍କୁ ପଚରାଯିବାରୁ ତଦନ୍ତ ସମୟରେ ମହିଳା ଇନ୍ସପେକ୍ଟରଙ୍କ ବିରୋଧରେ ଆଇପିସି ୧୧୪ ଧାରା ଲଗାଯାଇଛି ବୋଲି କହିଛନ୍ତି। ପୁଲିସ ପ୍ରଥମରୁ ସବୁ ଜାଣିଥିଲେ ବି ଦଫା ଲଗାଇ ନଥିବା ବେଳେ ପରେ ତଦନ୍ତ ସମୟରେ ଆଇପିସି ୧୧୪ ଲଗାଇଥିବା ଏବେ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର