ସୂଚନା ଆୟୁକ୍ତଙ୍କ ଆଦେଶକୁ ଫୁ’ : ୮ ବର୍ଷ ହେଲା ଜରିମାନା ଅର୍ଥ ଦେଉନାହାନ୍ତି ପୁଲିସ ଇନ୍‌ସ୍‌ପେକ୍ଟର

ଦୁଇଥର ହୋଇଛି ବିଭାଗୀୟ କାର୍ଯ୍ୟାନୁଷ୍ଠାନ, ବାଧ୍ୟତାମୂଳକ ଅବସର ତାଲିକାରେ ସାମିଲ

ଭୁବନେଶ୍ବର : ସୂଚନା‌ କମିସନରଙ୍କ ଆଦେଶକୁ ଫୁ’ କରି ଦେଇଥିବା ଜଣେ ପୁଲିସ ଇନ୍‌ସ୍‌ପେକ୍ଟର ଏବେ ଚର୍ଚ୍ଚାକୁ ଆସିଛନ୍ତି। ସୂଚନା କମିସନରଙ୍କ କୋର୍ଟରେ ତିନିଥର ଦଣ୍ଡିତ ହୋଇଥିଲେ ମଧ୍ୟ ୮ ବର୍ଷ ଧରି ସେ ଜରିମାନା ଅର୍ଥ ଦାଖଲ କରିନାହାନ୍ତି। ଏହି ଚର୍ଚ୍ଚିତ ଅଫିସର ହେଉଛନ୍ତି ପୁରୀ ଟାଉନ୍ ଥାନାର ପୂର୍ବତନ ଇନ୍‌ସ୍‌ପେକ୍ଟର ବିଜୟାନନ୍ଦ ମହାନ୍ତି। ସେ ଏବେ କଟକ ସେଣ୍ଟ୍ରାଲ୍‌ ରେଞ୍ଜ ଅଫିସ୍‌ରେ କାର୍ଯ୍ୟରତ ଅଛନ୍ତି।

ଅଭିଯୋଗ ମୁତାବକ, ୨୦୧୩ ମସିହାରେ ଇନ୍‌ସ୍‌ପେକ୍ଟର ଶ୍ରୀ ମହାନ୍ତି ପୁରୀ ଟାଉନ ଥାନାରେ ଇନ୍‌ସ୍‌ପେକ୍ଟର ଭାବରେ କାର୍ଯ୍ୟରତ ଥିଲେ। ତାଙ୍କର ସମ୍ପତ୍ତି ବାବଦରେ ଜାଣିବା ପାଇଁ ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ ତାଙ୍କର ସମ୍ପତ୍ତି ବାବଦରେ ସୂଚନା ମାଗିଥିଲେ। ହେଲେ ତାଙ୍କୁ ସୂଚନା ଦିଆଯାଇନଥିଲା। ତିନି ଥର ହତାଶ ହେବା ପରେ ସେ ସୂଚନା କମିସନଙ୍କ ଦ୍ବାରସ୍ଥ ହୋଇଥିଲେ। ଗତ ୨୦୧୩ ମସିହାରେ ସୂଚନା କମିସନ ୩ଟି ମାମଲାର ବିଚାର କରି ୨୫ ହଜାର ଲେଖାଏଁ ୭୫ ହଜାର ଟଙ୍କା ଜରିମାନା ଦେଶ କରିଥିଲେ। ଏହି ଅର୍ଥ ତାଙ୍କ ଦରମାରୁ ୧୦ ଟି କିସ୍ତିରେ କାଟି ପୈଠ କରିବାପାଇଁ ନିର୍ଦେଶ ହୋଇଥିଲା। କିନ୍ତୁ ଏହି ଜରିମାନା ଆଜି ପର୍ଯ୍ୟନ୍ତ ଆଦାୟ ହୋଇନାହିଁ।

ଉଲ୍ଲେଖନୀୟ, ୨୦୧୦ ମସିହାରେ ସେ ଯାଜପୁରରେ ଥିବା ବେଳେ ତାଙ୍କ ବିରୋଧରେ ମାମଲା ରଫାଦଫା ନେଇ ଅଭିଯୋଗ ଆସିଥିଲା। ଅଭିଯୋଗ ହେବା ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଏହି କ୍ରମରେ ତାଙ୍କର ଗୋଟିଏ ବର୍ଷ ପର୍ଯ୍ୟନ୍ତ ଇନ୍‌କ୍ରିମେଣ୍ଟ ହେବ ନାହିଁ ବୋଲି ଦଣ୍ଡ ହୋଇଥିଲା। ସେହିଭଳି ୨୦୧୩ ମସିହାରେ ସେ ବୌଦ୍ଧରେ ଥିବା ବେଳେ ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଥିଲା। ଏଥିରେ ତାଙ୍କର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ତାଙ୍କ ସିସିଆର୍‌ରେ ଗୋଟିଏ କଳା ଦାଗ ଲାଗିବାକୁ ଆଦେଶ ହୋଇଥିଲା। ପ୍ରଶାସନକୁ ସ୍ବଚ୍ଛ ଓ ଦକ୍ଷ କରିବା ଉଦ୍ଦେଶ୍ୟ‌ରେ ଓଡ଼ିଶା ପୁଲିସ ଅଭିଯୁକ୍ତ ତଥା ଅଯୋଗ୍ୟ ଅଧିକାରୀମାନଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ତାଲିକା କରିଥିଲା। ଏହି ତାଲିକାରେ ଶ୍ରୀ ମହାନ୍ତି କ୍ରମାକ ସଂଖ୍ୟା ୭୦ରେ ରହିଛନ୍ତି। ଅଦ୍ୟାବଧି ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ନାହିଁ।

ସମ୍ବନ୍ଧିତ ଖବର