ବଦଳି ହୋଇଥିଲା, ଯୋଗ ଦେଉନଥିଲେ : ପୁଲିସ ଇନ୍‌ସପେକ୍ଟର ବହିଷ୍କୃତ

କଟକ : ବଦଳି ହେବାର ୮ ବର୍ଷ ପରେ ବି କାର୍ଯ୍ୟରେ ଯୋଗ‌ ନ ଦେବାରୁ ରାଜ୍ୟ ପୁଲିସ ବିଭାଗର ଜଣେ ଇନ୍‌ସପେକ୍ଟର ପ୍ରଫୁଲ୍ଲ କୁମାର ସାହୁଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ପୁଲିସ ଡିଜି ବିଜୟ କୁମାର ଶର୍ମା କର୍ତ୍ତବ୍ୟରେ ଅବହେଳା ଓ ବିଶୃଙ୍ଖଳା ପ୍ରଦର୍ଶନ ଅଭିଯୋଗରେ ତାଙ୍କୁ ବହିଷ୍କାର କରିଛନ୍ତି।

ଇନ୍‌ସପେକ୍ଟର ଶ୍ରୀ ସାହୁଙ୍କର ୨୦୧୧ ଜୁଲାଇ ୩୧ ତାରିଖରେ କେନ୍ଦୁଝର ପୁଲିସ ଜିଲ୍ଲାରୁ ବଲାଙ୍ଗୀରକୁ ବଦଳି ହୋଇଥିଲା। କିନ୍ତୁ ଶ୍ରୀ ସାହୁ ଅସୁସ୍ଥତା କାରଣ ଦର୍ଶାଇ ବଦଳି ହୋଇଥିବା ବଲାଙ୍ଗୀର ଜିଲ୍ଲାରେ ଯୋଗ ଦେଇନଥିଲେ। ତାଙ୍କ ଅସୁସ୍ଥତା ଓ ଚିକିତ୍ସା ସ˚କ୍ରାନ୍ତରେ ମଧ୍ୟ କୌଣସି ପ୍ରକାର ଡାକ୍ତରୀ ପ୍ରମାଣ ପତ୍ର ଉପରିସ୍ଥ ଅଧିକାରୀଙ୍କ ନିକଟରେ ଦାଖଲ କରି ନଥିଲେ। ସେ କାର୍ଯ୍ୟରେ ଯୋଗ ଦେଉ ନଥିବାରୁ ବିଭାଗ ପକ୍ଷରୁ ବାରମ୍ବାର କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା। କିନ୍ତୁ ଶ୍ରୀ ସାହୁ ନୋଟିସ୍‌ର କୌଣସି ଜବାବ ଦେଇ ନଥିଲେ। ଏପରିକି ବିଭାଗୀୟ ନିର୍ଦ୍ଦେଶ ମୁତାବକ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଜାଣିଶୁଣି ହାଜର ହୋଇନଥିଲେ। ଓଡ଼ିଶା ସର୍ଭିସ କୋର୍ଡର ଧାରା ୭୧(୨) ଅନୁଯାୟୀ, ଇନ୍‌ସପେକ୍ଟର ଶ୍ରୀ ସାହୁଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରାଯାଇଥିବା ପୁଲିସ ମୁଖ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର