ଟିଟୋକୁ ମାରାଥନ୍ ଜେରା : ଗୁପ୍ତା ଫାର୍ମ ହାଉସ୍କୁ ମାଗିଥିଲା ୧୦ ଲକ୍ଷ, ଟିଟୋ ନିର୍ଦ୍ଦେଶରେ ହୋଇଥିଲା ଦେବାଶିଷ ସାହୁ ହତ୍ୟା
କେନ୍ଦ୍ରାପଡ଼ା : ଗ୍ୟାଙ୍ଗ୍ଷ୍ଟର ଟିଟୋ ଓରଫ୍ ସୟଦ୍ ଉସ୍ମାନ୍ ଅଲ୍ଲୀକୁ ଆଜି କେନ୍ଦ୍ରାପଡ଼ା ପୁଲିସ ମାରାଥନ୍ ଜେରା କରିଛି। ଜେରା ବେଳେ ଟିଟୋ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓଗାଳିଛି। ଗୁପ୍ତା କନ୍ଷ୍ଟ୍ରକସନ୍କୁ ସେ ୧୦ ଲକ୍ଷ ଟଙ୍କା ବଟି ମାଗିଥିଲା ବୋଲି ମାନିଛି। ଗୁପ୍ତାର ମାଲିକ ଜିତେନ୍ଦ୍ର ମୋହନ୍ ଗୁପ୍ତାଙ୍କ ପକ୍ଷରୁ କୌଣସି ସିଧାସଳଖ ସମ୍ମତି ନ ପାଇବାରୁ ଯୁବ ଇଂଜିନିୟର୍ ଦେବାଶିଷ ସାହୁଙ୍କୁ ଉଡ଼ାଇବାକୁ ସେ କଟା ଦୀପୁକୁ ନିର୍ଦ୍ଦେଶ ଦେଇଥିଲା ବୋଲି ପୁଲିସ ଆଗରେ ସ୍ୱୀକାର କରିଛି।
ଗତକାଲିଠାରୁ ଟିଟୋକୁ କେନ୍ଦ୍ରାପଡ଼ା ଏସ୍ପି ନିତିଶେଖର, ତଦନ୍ତକାରୀ ଅଫିସର୍ ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା, ଟାଉନ୍ ଥାନା ଆଇଆଇସି ତପନ ନାୟକ ଜେରା କରୁଥିଲେ। ପୂର୍ବାହ୍ନ ୧୧ଟାରୁ ରାତି ୧୦ଟା ଓ ଆଜି ପୁଣି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ଯାଏ ଟିଟୋକୁ ରିଜର୍ଭ ପୁଲିସ ଅଫିସ୍ରେ ଜେରା କରାଯାଇଥିଲା। ସୁରକ୍ଷା ପାଇଁ ବାହାରେ ଗୋଟିଏ ସେକ୍ସନ୍ ଫୋର୍ସ ମୁତୟନ କରାଯାଇଥିଲା। ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ, ଏତେ ସବୁ ଅପରାଧ ସତ୍ତ୍ୱେ କିପରି ନିର୍ବିଘ୍ନରେ ରହିଥିଲୁ ବୋଲି ଏସ୍ପି ଟିଟୋକୁ ପ୍ରଶ୍ନ କରିଥିଲେ। ଟିଟୋ କହିଥିଲା ଯେ, ସେ ନିଜେ କିଛି କରି ନ ଥିଲା। ଅନ୍ୟମାନଙ୍କ ଦ୍ୱାରା ଏସବୁ ଅପରାଧ କରାଯାଉଥିବାରୁ ସେ ନିଶ୍ଚିନ୍ତ ଥିଲା। ସେପଟେ, ଆଜି ଗୁଡ଼େଇ ତୁଡ଼େଇ ଦୀର୍ଘ ସମୟ ପଚାରିବା ପରେ ତା’ରି ନିର୍ଦ୍ଦେଶରେ ହିଁ ଇଂଜିନିୟର ଦେବାଶିଷଙ୍କୁ ହତ୍ୟା କରାଯାଇଥିଲା ବୋଲି ସ୍ୱୀକାର କରିଛି।
ଅନ୍ୟପକ୍ଷରେ, ଆଜି ଟିଟୋର ଦୁଇଦିନିଆ ରିମାଣ୍ଡ ଶେଷ ହେଉଥିବାରୁ ଆସନ୍ତାକାଲି ପୂର୍ବାହ୍ନରେ ତାକୁ ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯିବ। ସେଠାରୁ ଟାଉନ ଥାନା ପୁଲିସ୍ ଠିକାଦାର ଶିବ ପ୍ରସାଦ ପରିଡ଼ାକୁ ଅପହରଣ, ମରଣାନ୍ତକ ଆକ୍ରମଣ ଓ ଦାଦାବଟି ଆଦାୟ ମାମଲାରେ ପୁଣିଥରେ ରିମାଣ୍ଡରେ ନେବାକୁ ଆବେଦନ କରିବ ବୋଲି ଜଣାପଡ଼ିଛି। ଏହାଛଡ଼ା ମାର୍ଶାଘାଇ ଥାନା ଅଞ୍ଚଳରେ ପାଇକା ନଦୀବନ୍ଧରେ ରାଜକିଶୋର ବେହେରା ହତ୍ୟା, କୁସୁନପୁରରେ ଅଶ୍ୱଜିତ ସାହୁ ଓରଫ ଲୁଲୁ ହତ୍ୟା ମାମଲା, ସଦର ଥାନା ଅଧୀନ କେଦାର ସ୍ୱାଇଁ ହତ୍ୟା, ପାଟକୁରାରେ ବୋମା ମାଡ଼ ମାମଲାରେ ପୁଲିସ ଟିଟୋକୁ ରିମାଣ୍ଡ୍ରେ ଆଣିବ ବୋଲି ଜଣାପଡ଼ିଛି।
ଜେରା ବେଳେ ୫ ଥର ନମାଜ୍ ପଢ଼ିଲା
ଜେରା ଭିତରେ ଟିଟୋ ଅନୁମତି ମାଗି ନମାଜ ପାଠ କରିଥିଲା। ନମାଜ ପାଠ ପାଇଁ ପୁଲିସ୍ ପକ୍ଷରୁ କୌଣସି ବାରଣ କରାଯାଇ ନ ଥିଲା। ରାତିସାରା ଜେରା ହେଉଥିବା କୋଠରୀର ତଳେ ଶୋଇଥିଲା। ଅଧିକାଂଶ ସମୟ ଚୁପ୍ଚାପ୍ ରହୁଥିଲା। କେବଳ ଓକିଲଙ୍କ ସାଙ୍ଗରେ କଥାବାର୍ତା କରି ପୁଲିସ ପ୍ରଶ୍ନର ଉତ୍ତର ରଖୁଥିଲା। ଏତେଦିନ ଜେରା ଭିତରେ ଟିଟୋର ମନୋବଳ ଭାଙ୍ଗି ପଡ଼ିଥିବା ଓ ଚାରିଆଡ଼ୁ ତାକୁ ଘେରା ଯାଇଥିବାରୁ ସେ ବେଶ୍ ଚିନ୍ତାଗ୍ରସ୍ତ ରହୁଥିବା ପୁଲିସ୍ ଅଧିକାରୀ କହିଛନ୍ତି ।