ସୁନ୍ଦରଗଡ଼: ଶୁକ୍ରବାର ସୁନ୍ଦରଗଡ଼ ଜନଗହଳିପୂର୍ଣ୍ଣ ରାସ୍ତାରେ ୨ ନିବସ୍ତ୍ର ମହିଳା ଚାଲି ଚାଲି ଯାଉଥିବା ଓ ଶେଷକୁ କଲେଜ ନିକଟ ଇବନଦୀ ସେତୁ ଉପରେ ବିଧାୟିକା କୁସୁମ ଟେଟେ ନିଜ ଉତ୍ତରୀୟ ପିନ୍ଧାଇ ସେମାନଙ୍କୁ ଉଦ୍ଧାର କରିବା ଘଟଣା ସମଗ୍ର ଓଡ଼ିଶାରେ ଆଲୋଡ଼ନ ସୃଷ୍ଟି କରିଛି। ଆଜି ସେମାନଙ୍କ ପରିଚୟ ମିଳିଥିବାବେଳେ ମହିଳା ଜଣକ ମୁହଁରୁ ତାଙ୍କ ପରିବାର ଉପରେ ଘଟିଥିବା ନିର୍ଯାତନାର ଯେଉଁ କାହାଣୀଟି ସାମ୍ନାକୁ ଆସିଛି, ତାହା ଆହୁରି ବର୍ବର ଓ ଲୋମହର୍ଷକ। ଦୁଇ ମହିଳାଙ୍କୁ ଆସ୍ଥା ଗୃହରେ ସମ୍ପାଦିକା ସ୍ନେହଲତା ପଟେଲଙ୍କ ତତ୍ତ୍ବାବଧାନରେ ରଖା ଯାଇଛି। ଉଦ୍ଧାର ସମୟରେ ଦୁଇ ଜଣଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା ସେମାନଙ୍କ ମୁହଁରୁ କୌଣସି କଥା ବି ବାହାରୁନଥିଲା। ଗୋଟଏ ଦିନ ଧରି ସେମାନଙ୍କୁ ଚିକିତ୍ସା କରାଗଲା ପରେ ମୁହଁ ଖୋଲିଛନ୍ତି। ଏହି ଦୁଇ ଜଣ ସମ୍ପର୍କରେ ହେଉଛନ୍ତି ମା, ଝିଅ । ଝିଅ ଜଣକ ପୁରା ଗୁମ୍ ହୋଇ ବସିଥିବା ବେଳେ ମା’ ଜଣକ ଆଜି ଅଳ୍ପ କଥା କହୁଛନ୍ତି। ମା, ଝିଅ ହେଉଛନ୍ତି ପଡ଼ୋଶୀ ଝାରଖଣ୍ଡର। ସେମାନଙ୍କ ନାମ ବି କହିଛନ୍ତି। ପରିବାରରେ ମା ଓ ତିନି ଝିଅ ରହିଛନ୍ତି। ହେଲେ ସେହି ଗାଁର ସୁନୀଲ ନାମକ ଯୁବକ ସେହି ପରିବାର ସମସ୍ତ ମହିଳାମାନଙ୍କ ସହିତ ଜୋରଜବରଦସ୍ତ ଦୁଷ୍କର୍ମ କରୁଥିବା କଥା କହିଛନ୍ତି ଏହି ମହିଳା ଜଣକ।

Advertisment

ଉଲ୍ଲେଖଯୋଗ୍ୟ, ୬ ତାରିଖ (ଶୁକ୍ରବାର) ମଧ୍ୟାହ୍ନ ୧୨ଟାତରେ ଜନଗହଳିପୂର୍ଣ୍ଣ କଲେଜ ରାସ୍ତାରେ ପୂରା କ୍ଲାନ୍ତ ଓ ମାନସିକ ଭାବେ ସାମାନ୍ୟ ଦୁର୍ବଳ ୨ ମହିଳା ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଚାଲିଥିଲେ । ରାସ୍ତାରେ କଲେଜ ଛାତ୍ରଛାତ୍ରୀଙ୍କ ସହ ସାଧାରଣଲୋକଙ୍କ ଯାତାୟତ ଲାଗି ରହିଥିଲା। ସମସ୍ତେ ଦେଖୁଥିଲେ, କିନ୍ତୁ ସେମାନଙ୍କ ଲଜ୍ଜା ନିବାରଣ ପାଇଁ କେହି ଗାମୁଛା କି ଲୁଗା ଖଣ୍ଡେ ନେଇ ଘୋଡ଼ାଇ ଦେବାକୁ ଆଗେଇ ଆସି ନଥିଲେ। ସମସ୍ତେ ସାଜିଥିଲେ ଦେଖଣାହାରୀ। ଭିଡ଼ ରାସ୍ତାୀରେ ଟ୍ରକ, ଟେମ୍ପୋ, ବସ୍ ଯିବାଆସିବା କରୁଥିଲା। ଗାଡ଼ିକୁ ଅଟକାଇ ଲଜ୍ଜାଜନକ ଦୃଶ୍ୟକୁ ଦେଖିବା ପରେ ଚୁପଚାପ ଯେଯା ବାଟରେ ପଳାଉଥିଲେ। ସୂଚନା ପାଇ କିଛି ସାମ୍ବାଦିକ ଘଟଣାସ୍ଥଳକୁ ଆସି ପୁଲିସ ଓ ଆସ୍ଥା ଗୃହ ସମ୍ପାଦିକାଙ୍କୁ ଫୋନ କଲ୍ କରି ତୁରନ୍ତ ପହଞ୍ଚିବାକୁ ଅନୁରୋଧ କରିଥିଲେ। ସେତେବେଳକୁ ସେମାନେ କଲେଜ ରାସ୍ତାରେ ଗୋଟିଏ କିଲୋମିଟର ଅତିକ୍ରମ କରି ସାରିଥିଲେ। ଲୋକଙ୍କ କହିବା କଥା ହେଲା, ଉଲଗ୍ନ ଅବସ୍ଥାରେ ତାଙ୍କୁ କଲେଜ ରାସ୍ତା କାଳୀମଣ୍ଡପ ଛକରେ ଦେଖିବାକୁ ମିଳିଥିଲା। କିଏ ସେମାନଙ୍କୁ ଉଲଗ୍ନ କଲା, କେମିତି ଉଲଗ୍ନ ହେଲେ ସେ କଥା କେହି ଦେଖି ନଥିଲେ। କେବଳ ରାସ୍ତାକୁ ଉଲଗ୍ନ ଅବସ୍ଥାରେ ଆସିବା ପରେ ସମସ୍ତଙ୍କ ନଜର ପଡ଼ିଥିଲା। ଏହି ସମୟରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଚାଲିଥିବା ଆଦିବାସୀ ମେଳିରେ ସାମିଲ ହେବାକୁ ସେହି ବାଟ ଦେଇ ନିଜ ଗାଁ ତସଲାଡିହିରୁ ଆସୁଥିବା ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଦୁଇ ମହିଳାଙ୍କୁ ଦେଖି ଅଟକି ଯାଇଥିଲେ। ନିଜ ଉତ୍ତରୀୟ ଆଣି ପିନ୍ଧାଇ ଦେବା ସହ ସେମାନଙ୍କୁ ଉଦ୍ଧାର କରିଥିଲେ।

ସୁନ୍ଦରଗଡ଼ର ଜନଗହଳିପୂର୍ଣ୍ଣ କଲେଜ ରାସ୍ତାରେ ୨ ଉଳଗ୍ନ ମହିଳା ଚାଲିଚାଲି ଯାଉଥିବା ଦୃଶ୍ୟକୁ ସମସ୍ତେ ଦେଖୁଥିଲେ। କେହି କେହି ତ ମୋବାଇଲରେ ଫଟୋ, ଭିଡିଓ ଉତ୍ତୋଳନ କରିବାରେ ବ୍ୟସ୍ତ ଥିଲେ। ଠିକ୍ ଏହି ସମୟରେ ସେହି ବାଟ ଦେଇ ଯାଉଥିବା କୁସୁମ ଟେଟେ ଦୁଇ ମହିଳାଙ୍କୁ ଦେଖିବା ପରେ ଅଟକି ଯାଇଥିଲେ। କାରରୁ ଓହ୍ଲାଇ ସେମାନଙ୍କୁ ସେ ନିଜ ଉତ୍ତରୀୟ ପିନ୍ଧାଇ କିଛି ସାମ୍ବାଦିକଙ୍କ ସହ ଉଦ୍ଧାର କରିଥିଲେ। ସେମାନଙ୍କ ଉଦ୍ଧାର କାର୍ଯ୍ୟରେ ଘଣ୍ଟାଏ ସେ ଅଟକି ଯାଇଥିଲେ। ସମସ୍ତେ ମୁହଁ ଫେରାଇ ନେଇଥିବା ବେଳେ ବିଧାୟିକା ଶ୍ରୀମତୀ ଟେଟେ ଦେଖାଇଥିବା ମାନବିକତା ଏବେ ବେଶ ପ୍ରଶଂସା ସାଉଁଟିଛି। ଏହି ଅବସରରେ ବିଧାୟିକା କୁସୁମ ପ୍ରତିକ୍ରିୟା ଦେଇ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସହର ଭିତରେ ଦୁଇ ମହିଳା ଏପରି ଉଲଗ୍ନ ହୋଇ ଯାଉଥିବା ଦେଖିବା ପରେ ମଧ୍ୟ କେହି ଜଣେ ସେମାନଙ୍କ ଲଜ୍ଜା ନିବାରଣ ପାଇଁ ଚେଷ୍ଟା ନକରିବା କି ପୁଲିସକୁ ଫୋନ ନକରିବା ସମାଜ ପାଇଁ ପାଇଁ ଘୋର ଲଜ୍ଜାକର ବିଷୟ। ସମସ୍ତଙ୍କ ଘରେ ମା’ ଭଉଣୀ ଅଛନ୍ତି, ଏମାନେ ବି କାହାର ମା’ କି ଭଉଣୀ ହୋଇଥିବେ। ଏପରି ଘଟଣା ସାମ୍ନାକୁ ଆସିଲେ ମୁହଁ ନଲୁଚାଇ, ପୀଡ଼ିତାଙ୍କୁ ସାହାଯ୍ୟ କରି ମଣିଷର ପରିଚୟ ଦିଅନ୍ତୁ ବୋଲି ସେ କହିଥିଲେ।