ବାରିପଦା : ଦୁଇ ସରକାରୀ କର୍ମଚାରୀଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ମାଡ଼ ମାରିବା ଘଟଣାରେ ସୋମବାର ଦିନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁଙ୍କ ବାରିପଦା ସହର ତକତପୁରସ୍ଥିତ କାର୍ଯ୍ୟାଳୟରେ ଛାନ୍‌ଭିନ୍‌ କରିଛନ୍ତି ପୁଲିସ ଓ ସାଇଣ୍ଟିଫିକ୍ ଟିମ୍।

Advertisment

ମଧ୍ୟାହ୍ନରେ ଅତିରିକ୍ତ ଏସ୍‌ପି ସୁରେଶ ଚନ୍ଦ୍ର ପାତ୍ର, ବାରିପଦା ସଦର ଏସ୍‌ଡିପିଓ କେ.କେ ହରିପ୍ରସାଦ ଓ ସଦର ଥାନା ଆଇଆଇସି ବୀରେନ୍ଦ୍ର ସେନାପତିଙ୍କ ନେତୃତ୍ବରେ ୮ଜଣିଆ ପୁଲିସ ଟିମ୍‌ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳର ଫଟୋ ଉଠାଇଥିଲା। ଯେଉଁ କମ୍ପ୍ଲେକ୍ସର ଉପର ମହଲାରେ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ରହିଛି, ତା’ ତଳ ମହଲାର ଦୋକାନୀମାନଙ୍କୁ ତଦନ୍ତକାରୀ ଦଳ ପଚରାଉଚରା କରିଥିଲେ। ସେମାନଙ୍କ ପାଖରୁ ପୁଲିସ ଘଟଣା ଦିନର ବେଶ୍‌ କିଛି ତଥ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି। ତେବେ ଆଜି ମନ୍ତ୍ରୀଙ୍କ ଦେଖା ପାଇନଥିଲେ ତଦନ୍ତକାରୀ ଟିମ୍‌। ସେ ଭୁବନେଶ୍ବର କିମ୍ବା ଦିଲ୍ଲୀ ଯାଇଥିବା ସୂଚନା ଦିଆଯାଇଥିଲା।

ସୂଚନାଯୋଗ୍ୟ; ଗତ ୨୦ ତାରିଖରେ ମନ୍ତ୍ରୀ ଶ୍ରୀ ଟୁଡ଼ୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦୁଇ ଅଧିକାରୀଙ୍କୁ ଫୋନ୍‌ ଯୋଗେ ତାଙ୍କ କାର୍ଯ୍ୟାଳୟକୁ ଡାକି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ପୁଲିସ ଆଇପିସି ଦଫା ୩୨୩, ୩୨୫, ୩୪୧, ୨୯୪ ଓ ୫୦୬ରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଥିଲା। ସେପଟେ ମନ୍ତ୍ରୀ ଶ୍ରୀ ଟୁଡ଼ୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରଥମରୁ ଖଣ୍ଡନ କରି ଆସୁଛନ୍ତି।