କରୋନା ଭାଇରସ ବ୍ୟାପିବା ପାଇଁ ଦାୟୀ ଲୋକମାନଙ୍କୁ ବାନ୍ଧ: ପୁଲିସ ଡିଜି ଅଭୟ

ଭୁବନେଶ୍ୱର : ଜାତୀୟ ବିପତ୍ତି ପାଲଟିଛି କରୋନା। ରାଜ୍ୟରେ ପ୍ରଥମ ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ପାଇଁ ବିପଦ ବଢ଼ିଛି। ଏହାକୁ ସରକାର ଗମ୍ଭୀରତାର ସହ ବିଚାର କରୁଥିବା ବେଳେ ପୁଲିସ ଡିଜି କଠୋର ହୋଇଛନ୍ତି। କରୋନା ଭାଇରସ ବ୍ୟାପିବା ପାଇଁ ଦାୟୀ ଲୋକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ ଡିଜି ଶ୍ରୀ ଅଭୟ ସମସ୍ତ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସାମାନ୍ୟ ଅବହେଳା ଏକ ବିରାଟ ସଙ୍କଟ ସୃଷ୍ଟି କରିପାରେ। ଯେଉଁମାନେ ବିଦେଶ ଯାଇ ଫେରିଛନ୍ତି ବା ବିଦେଶ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଏହାକୁ ନ ଲୁଚାଇ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ ନେବା ଜରୁରି। ଜାଣି ଜାଣି ଯଦି ସ୍ବାସ୍ଥ୍ୟ ବିଭାଗର ପରାମର୍ଶ ନେଉ ନାହାନ୍ତି ତେ‌‌ବେ ସେମାନେ ଅପରାଧୀ। ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଦେଶ‌ ହୋଇଛି।

ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏସ୍‌ପିମାନଙ୍କ ସହ ଆଲୋଚନା କରି ଡିଜି ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି କେତେକ ସୋସିଆଲ ମିଡିଆରେ ଗୁଜବ ସୃ୍ଷ୍ଟି କରି ଲୋକଙ୍କୁ ଭୟଭୀତ କରାଉଥିବା ଦେଖାଯାଇଛି। କରୋନାକୁ ଲୋକଙ୍କର ଡର ରହିଥିବାରୁ ଅତି ସହଜରେ ଲୋକମାନେ ଏହି ଗୁଜବର ବିଶ୍ବାସ କରୁଛନ୍ତି। ଏଣୁ ସେମାନଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏସ୍‌ପିମାନେ ଜିଲ୍ଲାସ୍ତରରେ ସ୍ବତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ବ ଦେଇ ଏଭଳି କାର୍ଯ୍ୟର ତଦାରଖ କରିବା ସହ ଗୁଜବ କିଭଳି ବ୍ୟାପିବ ନାହିଁ ତାହା ଉପରେ ନଜର ରଖିବାକୁ ନିର୍ଦ୍ଦେଶ କହିଛନ୍ତି।

ସମ୍ବନ୍ଧିତ ଖବର