କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ସାପ୍ତାହିକ ହାଟରେ କୁକୁଡ଼ା ଲଢ଼େଇ ବନ୍ଦ କରିବାକୁ ନେଇ ତୁମୁଳକାଣ୍ଡ ଘଟିଛି। ପୁଲିସ ଓ ଜନତା ମୁହାଁମୁହିଁ ହୋଇଥିବାବେଳେ ଉତ୍ତ୍ୟକ୍ତ ଲୋକଙ୍କ ଢେଲାମାଡ଼ରେ ପୁଲିସ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଥାନା ଅଧିକାରୀ ପଦ୍ମାଳୟା ସାହୁ ଆହତ ହୋଇଥିବା ସୂଚନା ମିଳିଛି।
ପଣ୍ଡାପଡ଼ା ଥାନା ପାଖରେ ରହିଛି ସାପ୍ତାହିକ ହାଟପଡିଆ। ଏଠାରେ ପ୍ରତି ବୁଧବାର ହାଟ ବସିଥାଏ। ନିୟମିତ କୁକୁଡ଼ା ଲଢ଼େଇ ସାଙ୍ଗକୁ ଜୁଆଖେଳ ହୋଇଥାଏ। ପଣ୍ଡାପଡ଼ା ଥାନା ପୁଲିସ ଏସବୁ ଜାଣି ବି ନିରବ ଥିଲା। ଆଜି ହଠାତ୍ କୁକୁଡ଼ା ଲଢ଼େଇ ବନ୍ଦ କରିବାକୁ ହାଟରେ ପହଞ୍ଚିଥିଲେ ପୁଲିସ ଅଧିକାରୀ। କୁକୁଡ଼ା ଛଡ଼େଇ ନେବାରୁ ସେଠାରେ ଉପସ୍ଥିତ ଥିବା ଲୋକେ ଉତ୍ତ୍ୟକ୍ତ ହୋଇ ଉଠିଥିଲେ। ପୁଲିସକୁ ଠେଲାପେଲା କରିବା ସହ ପୁଲିସ ଗାଡ଼ିକୁ ପଥର ଫିଙ୍ଗିଥିଲେ। ଶେଷରେ ପୁଲିସ ଅଧିକାରୀମାନେ ଗାଡ଼ି ନେଇ ସେଠାରୁ ପଳାଇ ଆସିଥିଲେ।
ଏ ସମ୍ପର୍କରେ ଥାନା ଅଧିକାରୀ ପଦ୍ମାଳୟା ସାହୁଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନି।
ଏକ ବିଶ୍ବସ୍ତ ସୂତ୍ରର ମିଳିଥିବା ଖବର ଅନୁସାରେ, କେନ୍ଦୁଝର ଜିଲ୍ଲାର ସମସ୍ତ ସାପ୍ତାହିକ ହାଟରେ ଚାଲୁଥିବା କୁକୁଡ଼ା ଲଢ଼େଇ ଏବଂ ଜୁଆଖେଳ ପୁଲିସ ଜାଣତରେ ହେଉଛି। ପୂର୍ବରୁ ହରିଚନ୍ଦନପୁର ଥାନାର ଜଣେ କନେଷ୍ଟବଳ କୁକୁଡା ଲଢ଼େଇ ଓ ଜୁଆଖେଳ କରୁଥିବା ବ୍ୟକ୍ତିଙ୍କୁ ଚାନ୍ଦା ମାଗିବା ଅଡିଓ ଭାଇରାଲ ହେବା ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ଏମିତିକି ଏହି ଅଡିଓରେ ସେ ଆଇଆଇସି ଓ ଏସ୍ଡିପିଓ ସମସ୍ତେ ଏଥିପାଇଁ ଟଙ୍କା ନିଅନ୍ତି ବୋଲି କହୁଥିବା ଶୁଣିବାକୁ ମିଳିଥିଲା।