ମାଲକାନଗିରି : ସୀମାନ୍ତ ଛତିଶଗଡରେ ନକ୍ସଲ ପୁଣି ହିଂସାକାଣ୍ଡ ଘଟାଇଛନ୍ତି। ଜଣେ ପୁଲିସ କର୍ମଚାରୀଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରିଛନ୍ତି।
ସୂଚନା ଅନୁଯାୟୀ, ମୃତ ପୁଲିସ କର୍ମଚାରୀ ଗଣେଶ ଓରଫ ରବି (୩୯ବର୍ଷ) ପୂର୍ବରୁ ନକ୍ସଲ ସଂଗଠନ ପାଇଁ କାମ କରୁଥିଲେ। କିଛିବର୍ଷ ତଳେ ସେ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହାପରେ ଆତ୍ମନିର୍ଭରଶୀଳ ଯୋଜନାରେ ତାଙ୍କୁ ପୁଲିସ ବାହିନୀରେ ନିଯୁକ୍ତି ଦିଆଯାଇଥିଲା। ଗତକାଲି ବାଗନଦୀ ଅଂଚଳର ବଂଜାରୀ ନିକଟରେ ରହୁଥିବା ଭୁପାଲ ମଣ୍ଡୋଲଇଙ୍କ ଝିଅ ରେଣୁକାଙ୍କ ବିବାହ ଥିଲା। ରେଣୁକା ହେଉଛନ୍ତି ଗଣେଶଙ୍କ ସମ୍ପର୍କୀୟ। ବରଯାତ୍ରୀ ଭିଲାଇ ଅଂଚଳର କୋହକା ନିକଟସ୍ଥ ସିର୍ସା ଗ୍ରାମରୁ ଆସିଥିଲେ। ରାତି ପ୍ରାୟ ୧୧ଟାରେ ବରଯାତ୍ରୀ ନାଚଗୀତିରେ ମସ୍ଗୁଲ ରହିଥିବା ବେଳେ ଗହଳିର ସୁଯୋଗ ନେଇ ନକ୍ସଲ ଗାଁରେ ପଶିଥିଲେ। ବାହାଘର ସ୍ଥଳରେ ଉପସ୍ଥିତ ଥିବା ଗଣେଶଙ୍କୁ ଅତି ନିକଟରୁ ଗୁଳି କରି ଚାଲି ଯାଇଥିଲେ। ଗୁରୁତର ଅବସ୍ଥାରେ ଗଣେଶଙ୍କୁ ରାଜନନ୍ଦଗାଓଁ ଜିଲ୍ଲା ହସ୍ପିଟାଲକୁ ନିଆ ଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା। ନକ୍ସଲଙ୍କ ଗୁଳିରେ ଅନ୍ୟ ଜଣେ ଗ୍ରାମବାସୀ ବି ଆହତ ହୋଇଥିବା ସୂଚନା ମିଳିଛି। ଏହି ବୀଭତ୍ସ କାଣ୍ଡ ଘଟାଇବା ପୂର୍ବରୁ ନକ୍ସଲ ଗାଁର ଭୁପାଲ ମାଣ୍ଡଲୋଇଙ୍କ ବଡ ପୁଅଙ୍କ ମୋବାଇଲ ଛଡାଇ ନେଇଯାଇଥିଲେ ବୋଲି ଅଭିଯୋଗ ହୋଇଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।