ଆଶାୟୀ ଶିକ୍ଷା ସହାୟକଙ୍କୁ ଗୋଡ଼େଇ ପିଟିଲେ

ବିକ୍ଷୋଭକାରୀଙ୍କ ଆକ୍ରମଣରେ ଇନ୍‌ସପେକ୍ଟର ଆହତ

୧୦ ଆହତ, ୧୭ ଗିରଫ

ଭୁବନେଶ୍ୱର : ଶିକ୍ଷା ସହାୟକ ନିଯୁକ୍ତି ଦାବି ନେଇ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଆଶାୟୀ ଶିକ୍ଷା ସହାୟକଙ୍କୁ ଆଜି ପୁଲିସ ଗୋଡ଼ାଇ ଗୋଡ଼ାଇ ପିଟିଛି। ଅପରାହ୍‌ଣରେ ଲୋୟର ପିଏମ୍‌ଜିରେ ଆଶାୟୀ ଶିକ୍ଷା ସହାୟକ ଓ ପୁଲିସ ମଧ୍ୟ ଖଣ୍ଡଯୁଦ୍ଧ ଚାଲିଥିଲା। ଏଥିରୁ ମହିଳା ଆଶାୟୀ ଶିକ୍ଷା ସହାୟକ ମଧ୍ୟ ବାଦ୍‌ ପଡ଼ି ନାହାନ୍ତି। ଖଣ୍ଡଯୁଦ୍ଧରେ ୧୦ରୁ ଅଧିକ ବିକ୍ଷୋଭକାରୀ ଆହତ ହୋଇଥିବା ବେଳେ ୧୭ ଜଣ ବିକ୍ଷୋଭକାରୀଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣାରେ କ୍ୟାପିଟାଲ ଥାନା ଇନ୍‌ସପେକ୍ଟର ମାନସ ଗଡ଼ନାୟକ ଆହତ ହୋଇଥିବା ଜଣାପଡ଼ିଛି।

ଶିକ୍ଷା ସହାୟକ ନିଯୁକ୍ତି ଦାବି ନେଇ ଆଜି ଶିକ୍ଷା ସହାୟକ ଆଶାୟୀ ସଂଘ ପକ୍ଷରୁ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଭାପତି ଏମ୍‌ ପଦ୍ମଲୋଚନ ସାହୁ ଓ ସଂପାଦକ ବିଘ୍ନେଶ ପ୍ରସାଦ ଗୌଡ଼ଙ୍କ ନେତୃତ୍ୱରେ ଆଶାୟୀ ଶିକ୍ଷା ସହାୟକମାନେ ରେଳ ଷ୍ଟେସନ୍‌ରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚିଥିଲେ। ସଂଘର କହିବାନୁଯାୟୀ, ଗତବର୍ଷ ଡିସେମ୍ବର ୨୬ ତାରିଖରେ ପ୍ରକାଶିତ ବିଜ୍ଞାପନ ସଂଖ୍ୟା ୨୫୬୦୫ରେ ୧୪ହଜାର ୮୭ଜଣ ଶିକ୍ଷା ସହାୟକ ନିଯୁକ୍ତି ପାଇଁ ବିଚାରଧୀନ ଥିବାରୁ ନିଯୁକ୍ତି ପ୍ରକ୍ରିୟା ବନ୍ଦ ରହିଥିଲା। ତେବେ ଚଳିତବର୍ଷ ଅକ୍ଟୋବର ୨୩ ତାରିଖରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବା ସହିତ ତୁରନ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦେଶ ଦେଇଥିଲେ। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ କୌଣସି ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବାରୁ ଏହାର ପ୍ରତିବାଦରେ ଆଶାୟୀ ଶିକ୍ଷା ସହାୟକମାନେ ଆଜି ବିଧାନସଭା ଘେରାଉ କରିଥିଲେ।

ଅପରାହ୍‌ଣରେ ଆଶାୟୀ ଶିକ୍ଷା ସହାୟକମାନେ ପୁଲିସ ବ୍ୟାରିକେଡ୍‌ ଆଡ଼କୁ ମାଡ଼ି ଯାଇଥିଲେ। ସେଠାରେ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ବିକ୍ଷୋଭକାରୀଙ୍କୁ ଅଟକାଇବାକୁ ଯାଇ ପୁଲିସ ଲାଠି ମାଡ଼ କରିଥିଲା। ଏହି ସମୟରେ ବିକ୍ଷୋଭକାରୀଙ୍କ ମଧ୍ୟରୁ କେହି ଟେକା ମାରି ଦେବାରୁ କ୍ୟାପିଟାଲ ଥାନା ଆଇଆଇସି ମାନସ ଗଡ଼ନାୟକ ଆହତ ହୋଇଥିଲେ। ପୁଲିସ ବିକ୍ଷୋଭକାରୀଙ୍କୁ ଘଉଡ଼ାଇ ଦେଇଥିଲା। ମାତ୍ର ପରବର୍ତୀ ସମୟରେ ବିକ୍ଷୋଭକାରୀ ପୁଣି ଥରେ ବିକ୍ଷୋଭ ପାଇଁ ଆଗେଇ ଆସିବା ସହିତ ରାସ୍ତାରୋକ କରିଥିଲେ। ଏହା ପରେ ପୁଲିସ ଉଗ୍ର ରୂପ ଧାରଣ କରିଥିଲା। ବିକ୍ଷୋଭକାରୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲା। ଖୋଜି ଖୋଜି ସେମାନଙ୍କୁ ମାଡ଼ ମାରିଥିଲା। ଏପରିକି ମହିଳା ଆଶାୟୀ ଶିକ୍ଷା ସହାୟକ ମଧ୍ୟ ଏଥିରୁ ବର୍ତି ନ ଥିଲେ। ପୁଲିସର ଲାଠି ମାଡ଼ରେ ୧୦ରୁ ଅଧିକ ବିକ୍ଷୋଭକାରୀ ଆହତ ହୋଇଥିବା ବେଳେ ପୁଲିସ ୧୭ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ବିକ୍ଷୋଭକାରୀମାନେ କହିଛନ୍ତି, ଆଶାୟୀ ଶିକ୍ଷା ସହାୟକମାନେ ଶାନ୍ତିପୂର୍ଣ୍ଣ ଭାବେ ଲୋୟର ପିଏମ୍‌ଜିରେ ଧାରଣା ଦେଇଥିଲେ। ଶିକ୍ଷା ସହାୟକ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ପାଇଁ ଦାବି କରିଥିଲେ। ମାତ୍ର ପୁଲିସ ସେମାନଙ୍କୁ ଆତର୍କିତ ଭାବେ ଆକ୍ରମଣ କରିଥିଲା। ମହିଳା ଆଶାୟୀ ଶିକ୍ଷା ସହାୟକଙ୍କୁ ମଧ୍ୟ ପିଟିବାକୁ ପଛାଇ ନ ଥିଲା। ତେଣୁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ବିକ୍ଷୋଭକାରୀଙ୍କୁ ମାଡ଼ ମାରିଥିବା ପୁଲିସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଆସନ୍ତା ୭ଦିନ ଭିତରେ ସରକାର ଡ୍ରାଫ୍‌ଟି ତାଲିକା ପ୍ରକାଶ କରନ୍ତୁ ବୋଲି ବିକ୍ଷୋଭାକାରୀ ଦାବି କରିଛନ୍ତି।

ଅପରପକ୍ଷରେ ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି, ଲୋୟର ପିଏମ୍‌ଜିରେ ଧାରଣା ଦେଇଥିବା ଆଶାୟୀ ଶିକ୍ଷା ସହାୟକଙ୍କ ନେତୃବୃନ୍ଦଙ୍କୁ ଆଲୋଚନା ପାଇଁ ପଠାଯାଇଥିଲା। ସେପଟେ ଆଲୋଚନା ଚାଲିଥିବା ବେଳେ କିଛି ବିକ୍ଷୋଭକାରୀ ଉତ୍‌କ୍ଷିପ୍ତ ହୋଇ ପଥର ମାଡ଼ କରିଥିଲେ। ଏଥିରେ କ୍ୟାପିଟାଲ ଥାନା ଅଧିକାରୀଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ପରେ ସେମାନଙ୍କୁ ଧାରଣାସ୍ଥଳରୁ ଘଉଡ଼ାଇ ଦିଆଯାଇଥିଲା। ତେବେ ପରବର୍ତୀ ସମୟରେ ସେମାନେ ପୁଣିଥରେ ରାସ୍ତାରୋକ କରିଥିଲେ। ସେମାନଙ୍କୁ ପୁଣି ଘଉଡ଼ାଇ ଦିଆଯାଇଛି।

ସମ୍ବନ୍ଧିତ ଖବର