ପୁଲିସ-ଓକିଲ ବିବାଦ: ହାଇକୋର୍ଟରେ ଓକିଲଙ୍କୁ ମାଡ଼ମରା ଘଟଣାରେ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ନିଃସର୍ତ୍ତ କ୍ଷମାପ୍ରାର୍ଥନା

କଟକ: ଗତ ଅଢ଼େଇ ମାସ ଧରି ଚାଲିଥିବା ଓକିଲ-ପୁଲିସ ବିବାଦର ସମାଧାନ ହେବା ସମ୍ଭାବନା ଦେଖାଦେଇଛି। କଟକରେ ଓକିଲଙ୍କୁ ମାଡ଼ ଦେଇଥିବା ଅଭିଯୋଗରେ ସମ୍ପୃକ୍ତ ୩ ପୁଲିସ କର୍ମଚାରୀ  ବୁଧବାର ଦିନ ଓଡ଼ିଶା ହାଇକୋର୍ଟରେ ହାଜର ହୋଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି।

ଗତ ଅଗଷ୍ଟ ୨୮ରେ ପୁଲିସ ମାଡ଼ର ସରବ୍ୟ ହୋଇଥିବା ଓକିଲ ଦେବୀ ପ୍ରସାଦ ପଟ୍ଟନାୟକ ନିଜେ ହାଇକୋର୍ଟରେ ପିଟିସନ୍‌ ପିଟିସନ୍‌ ଦାଏର୍‌ କରି ଦର୍ଶାଇଥିଲେ କି, ସେ ଦେଇଥିବା ଏତଲା ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ପୁଲିସ ନିଷ୍କ୍ରିୟ ରହୁଛି।

ଆଜି ହାଇକୋର୍ଟର ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଏକକ ଖଣ୍ଡପୀଠରେ ଉକ୍ତ ପିଟିସନ୍‌ର ଶୁଣାଣି ହୋଇଥିଲା। ଓକିଲ ଦେବୀ ପ୍ରସାଦଙ୍କୁ ମାଡ଼ ଦେଇଥିବା ଦୁଇ ଜଣ କନେଷ୍ଟବଳ ଏବଂ ଜଣେ ହାବିଲ୍‌ଦାର୍‌ ଖଣ୍ଡପୀଠଙ୍କ ଆଗରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ହୋଇ ଉକ୍ତ ଘଟନା ଉପରେ ସତ୍ୟପତ୍ର ଦାଖଲପୂର୍ବକ ନିଃସର୍ତ୍ତ କ୍ଷମାଯାଚନା କରିଥିଲେ।

ଖଣ୍ଡପୀଠ ସେମାନଙ୍କୁ କ୍ଷମା କରିବା ସହ ଭବିଷ୍ୟତରେ ପୁଲିସ-ଓକିଲ ବିବାଦ ଏଡ଼ାଇବାକୁ ଏକ ଗାଇଡ୍‌ଲାଇନ୍‌ ପ୍ରସ୍ତୁତି କରିବାକୁ ନିର୍ଦେଶ ଦେଇଛନ୍ତି।

ଆଜି ମଧ୍ୟାହ୍ଣ ୧ଟା ବେଳେ ହାଇକୋର୍ଟଙ୍କ ରାୟ ଉପରେ ବାର୍‌ ଆସୋସିଏସନ୍‌ରେ ଓକିଲମାନଙ୍କର ବୈଠକ ବସିବ। ଏଥିରେ ଦୀର୍ଘଦିନ ହେବ ଚାଲିଥିବା ଓକିଲଙ୍କ ଆନ୍ଦୋଳନ ପ୍ରତ୍ୟାହାର କରି ନିଆଯିବ ବୋଲି ବିଶ୍ୱାସ କରାଯାଉଛି।

ସମ୍ବନ୍ଧିତ ଖବର