ଆଇନଜୀବୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ: ଏପରି ପରିସ୍ଥିତି ଏଡାଇବା ଲାଗି ଗାଇଡ୍‌ ଲାଇନ୍‌ ପ୍ରସ୍ତୁତି ସହ କମିଟି ଗଠନ ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଦୀର୍ଘ ୭୮ଦିନ ଧରି ଚାଲିଥିବା ଆଇନଜୀବୀଙ୍କ ଆନ୍ଦୋଳନ ଆଜି ପ୍ରତ୍ୟାହୃତ ହୋଇଛି। ବୁଧବାର ଦିନ ମଧ୍ୟାହ୍ଣ ୧ଟାରେ ହାଇକୋର୍ଟ ବାର ଆସୋସିଏସନ୍‌ର ସାଧାରଣ ବୈଠକରେ ଏହି ଆନ୍ଦୋଳନ ପ୍ରତ୍ୟାହାର ଲାଗି ନିଷ୍ପତ୍ତି ହୋଇଛି। ଅନ୍ୟ ପକ୍ଷରେ ଏଭଳି ପରିସ୍ଥିତିର ପୁନରାବୃତ୍ତି ନ ଘଟିବା ଲାଗି ଏକ ଗାଇଡଲାଇନ୍‌ ପ୍ରସ୍ତୁତ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏଭଳି ଘଟଣାର ଅନୁଧ୍ୟାନ ଲାଗି ଏକ କମିଟି ଗଠନ ଲାଗି ନିର୍ଦ୍ଦେଶ ଦେଇଛନ୍ତି।

ଆଜି ସକାଳେ ଗତ ଅଗଷ୍ଟ ୨୮ ତାରିଖରେ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କ ମାଡ ମରା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ୩ ପୁଲିସ କର୍ମଚାରୀ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଜଷ୍ଟିସ୍‌ ଚିତ୍ତ ରଞ୍ଜନ ଦାଶଙ୍କ ନିକଟରେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିବା ପରେ ବିବାଦର ସମାଧନ ଦିଗରେ ବାଟ ଫିଟିଥିଲା। ସମ୍ପୃକ୍ତ ଦୁଇ କନ୍‌ଷ୍ଟେବଲ ଓ ଜଣେ ହାବିଲ୍‌ଦାର୍‌ଙ୍କ କ୍ଷମାପ୍ରାର୍ଥନା ପରେ ମଧ୍ୟାହ୍ନ ୧ଟା ବେଳେ ହାଇକୋର୍ଟ ବାର ଆସୋସିଏସନ୍‌ର ସାଧାରଣ ପରିଷଦ ବୈଠକ ବସିଥିଲା। ବରିଷ୍ଠ ଆଇନଜୀବୀ ତଥା ବାର୍‌ ଆସୋସିଏସନ୍‌ ଅଧ୍ୟକ୍ଷ ଶ୍ରୀକାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆନ୍ଦୋଳନରୁ ଓହରିବା ନିଷ୍ପତ୍ତି ହେବା ସହ ଆସନ୍ତା କାଲିଠାରୁ କାର୍ଯ୍ୟରେ ଯୋଗ ଦେବା ଲାଗି ସ୍ଥିର ହୋଇଛି।

ପୁଲିସ ମାଡର ଶିକାର ଆଇନ୍‌ଜୀବୀ ଦେବୀ ପ୍ରସାଦ ପଟ୍ଟନାୟଙ୍କ ପକ୍ଷରୁ ପୁଲିସ ନିଷ୍କ୍ରିୟତା ନେଇ ଦାୟର ହୋଇଥିବା ମାମଲାର ଶୁଣାଣି କରୁଥିବା ଜଷ୍ଟିସ୍‌ ସି.ଆର.ଦାଶଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ନିକଟରେ ପୁଲିସ କର୍ମଚାରୀ କ୍ଷମା ପ୍ରାର୍ଥନା କରିବା ପରେ ଅକ୍ଟୋବର ୨୯ ତାରିଖରେ ହାଇକୋର୍ଟ ପରିସରରେ ହୋଇଥିବା ଓକିଲଙ୍କ ପ୍ରତିବାଦ ସମୟରେ ଜଣେ ପୁଲିସ କର୍ମଚାରୀଙ୍କୁ ହୋଇଥିବା ଠେଲାପେଲା ଘଟଣା ନେଇ ବାର୍‌ ଆସୋସିଏସନ୍‌ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଥିଲା।

ମାମଲାର ଶୁଣାଣି କରି ଜଷ୍ଟିସ୍‌ ଦାଶ ଭବିଷ୍ୟତରେ ଏଭଳି ଘଟଣା ଏଡାଇବାକୁ ଏକ ଗାଇଡ୍‌ ଲାଇନ୍‌ ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶ ଦେବା ସହ ଏକ କମିଟି ଗଠନ ଲାଗି କହିଛନ୍ତି। ଏହି କମିଟିରେ ରାଜ୍ୟର ଗୃହ ବିଭାଗ ସଚିବ, ବାର ଆସୋସିଏସନ୍‌ ସଭାପତି, ସମ୍ପାଦକ ଏବଂ ବରିଷ୍ଠ ଓକିଲ ରହିବେ ବୋଲି ହାଇକୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର