କଟକ : ଆଇନଜୀବୀଙ୍କୁ ପୁଲିସ ମାଡ ପ୍ରସଂଗକୁ ନେଇ ପୁଣି ହାଇକୋର୍ଟ‌େର ମାମଲା ରୁଜୁ ହୋଇଛି। ପୁଲିସ ଆକ୍ରମଣର ଶିକାର ହୋଇଥିବା ଦେବୀ ପ୍ରସାଦ ପଟ୍ଟନାୟକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ୨୦୧୮, ଅଗଷ୍ଟ ୨୮ରେ କଟକର ନୂଆବଜାରଠାରେ ତାଙ୍କୁ ମାଡ ଘଟଣାକୁ ନେଇ ରୁଜୁ ଏତଲା ପ୍ରସଂଗରେ ପୁଲିସ ନିଷ୍କ୍ରିୟତାକୁ ଅଭିଯୋଗ କରି ସେ ହାଇକୋର୍ଟ‌େର ମାମଲା ଦାୟର କରିଛନ୍ତି। ଏହି ମାମଲାରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ସେ ଦର୍ଶାଇଛନ୍ତି। ସେହିଭଳି ଅଗଷ୍ଟ ୨୮ର ଘଟଣାକୁ ନେଇ ତାଙ୍କ ବିରୋଧରେ ଚାଉଳିଆଗଞ୍ଜ ଥାନାରେ ୩ଟି ମାମଲା ରୁଜୁ ହୋଇଥିଲା। ତାଙ୍କ ବିରୋଧରେ ଥିବା ମାମଲା ଉଦ୍ଦେଶ୍ୟମୂଳକ ଓ ଅଭିଯୋଗ ଭିତ୍ତିହୀନ ଦର୍ଶାଇ ‌ଶ୍ରୀ ପଟ୍ଟନାୟକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ତାଙ୍କ ବିରୋଧରେ ଥିବା ମାମଲା ରଦ୍ଦ ପାଇଁ ସେ ହାଇକୋର୍ଟରେ ଦାୟର ମାମଲାରେ ପ୍ରାର୍ଥନା କରିଛନ୍ତି।

Advertisment

ଆଜି ଅବକାଶକାଳୀନ ଖଣ୍ଡପୀଠରେ ‌ଶ୍ରୀ ପଟ୍ଟନାୟକଙ୍କ ପକ୍ଷରୁ ଦାୟର ସମସ୍ତ ମାମଲାର ଶୁଣାଣି ହୋଇଥିଲା। ମାମଲାରେ ହାଇକୋର୍ଟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଅକ୍ଟୋବର ୨୯ରେ ସମସ୍ତ ମାମଲାର ପରବର୍ତ୍ତୀ ଶୁଣାଣି ‌କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ମାମଲାରେ ରାଜ୍ୟ ସରକାର, କ୍ରାଇମବ୍ରାଞ୍ଚ ଓ ଚାଉଳିଆଗଞ୍ଜ ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି।