ରାଉରକେଲା: ସ୍ମାର୍ଟସିଟିରେ ପିଲା ବିକ୍ରି ମାମଲାକୁ ନେଇ ଦିନକୁ ଦିନ ନୂଆ ତଥ୍ୟ ଆସିବାରେ ଲାଗିଛି। ଏହି ବେପାରରେ ଗିରଫ ୫ ଜଣ ମହିଳା ଓ ୨ ଜଣ ଯୁବକ, ସମସ୍ତେ ଉଚ୍ଚ ଶିକ୍ଷିତ ଓ ସମ୍ଭ୍ରାନ୍ତ ପରିବାରର। ଏହି ମହିଳାମାନେ ବେଆଇନ ସୁଧ କାରବାରରେ ବି କୁଆଡ଼େ ଲିପ୍ତ ଅଛନ୍ତି। ତେବେ ଦୀର୍ଘ ୪/୫ ବର୍ଷ ହେଲା ଏମାନେ ଶିଶୁ ବିକ୍ରି କାରବାରରେ ଜଡ଼ିତ ଅଛନ୍ତି। ଗୋଟିଏ ଶିଶୁକୁ ବିକ୍ରି କଲେ ତିରିଶ ରୁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ କମିଶନ ପାଉଥିଲେ। ଶିଶୁ କନ୍ୟା ତୁଳନାରେ ଶିଶୁ ପୁତ୍ର ପାଇଁ କମିଶନ ଆହୁରି ଅଧିକ ରହୁଥିଲା।

Advertisment

ତେବେ ଶିଶୁ ପୁତ୍ର/କନ୍ୟା ଦେଖିବାକୁ ଯଦି ଭଲ ଥାଆନ୍ତି, ତା’ହେଲେ ଏହି କ୍ଷେତ୍ରରେ କମିଶନ ସବୁଠୁ ବଳିଯାଉଥିଲା। ଏନେଇ ରାଉରକେଲା ଏସ୍‌ପି ମୁକେଶ ଭାମୁ କହିଛନ୍ତି, ଅଭିଯୁକ୍ତମାନଙ୍କୁ ଅଧିକ ପରିମାଣରେ କମିଶନ କମିଳୁଥିଲା। ସଂପ୍ରତି ଘଟଣା ତଦନ୍ତାଧୀନ ରହିଛି। ଅଭିଯୁକ୍ତମାନଙ୍କୁ ରିମାଣ୍ଡ୍‌ରେ ଆଣି ତଦନ୍ତକୁ ବ୍ୟାପକ କରାଯିବ। ତଦନ୍ତରେ ସହାୟତା ପାଇଁ ଶିଶୁ କଲ୍ୟାଣ ସମିତି(ସିଡବ୍ଲ୍ୟୁସି)କୁ ଅନୁରୋଧ କରାଯାଇଛି। ରାଉରକେଲା ପୁଲିସ ଜିଲ୍ଲାରୁ ନିଖୋଜ ଥିବା ୩୭ ଜଣଙ୍କ ମଧ୍ୟରୁ ୧୬ ଶିଶୁଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇସାରିଲାଣି। ଅନ୍ୟ ନିଖୋଜଙ୍କ ସହ ରାକେଟ୍‌ର କୌଣସି ଲିଙ୍କ୍‌ ଅଛି ନା ନାହିଁ; ତା’ର ତଦନ୍ତ ଜାରି ରହିଥିବା କହିଛନ୍ତି ଏସ୍‌ପି।

ତେବେ ଏହି ରାକେଟ୍‌ର କିଙ୍ଗ୍‌ପିନ ଏବେ ବି ଫେରାର ଅଛି। ଏହି ଫେରାର କିଙ୍ଗପିନ୍‌ ହିଁ ଝାଡ଼ଖଣ୍ଡ, ରାୟଗଡ଼, ଦିଲ୍ଲୀ ଆଦିକୁ ଶିଶୁ ଚାଲାଣ କରୁଥିଲେ। ସେଠାକାର ଦଲାଲମାନଙ୍କ ସହ ଯୋଗାଯୋଗ କରି ଦର ନିର୍ଦ୍ଧାରଣ କରୁଥିଲା। ଘଟଣାକୁ ତିନି ଦିନ ବିତସାରିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତର ପତ୍ତା ମିଳିପାରିନାହିଁ। ଅପରକ୍ଷରେ ମୁଖ୍ୟ ଅଭିଯୁକ୍ତର ସ୍ବାମୀ ମଧ୍ୟ କୁଆଡ଼େ ସମଗ୍ର ବେପାରରେ ସଂଶ୍ଲିଷ୍ଟ ଅଛନ୍ତି। ଗତକାଲି ଜାଲ ବିଛାଇ ପୁଲିସ ତାଙ୍କୁ ଓ ଜଣେ ସହଯୋଗୀଙ୍କୁ ଗିରଫ କରିଥିଲା। କିନ୍ତୁ କେବଳ ପଚରାଉଚୁରା କରି ଉଭୟଙ୍କୁ ଛାଡ଼ି ଦିଆଯାଇଛି।

ପ୍ରକାଶଥାଉକି, ଛୁଆ ବିକ୍ରି ମାମଲାରେ ପ୍ଲାଣ୍ଟ୍‌ସାଇଟ ପୁଲିସ ଗତ ସୋମବାର ଦିନ ୭ ଜଣ,- ଡେଲି ମାର୍କେଟ୍‌ ଜନତା ନିବାସ ଗଳିର ସୀମା ଅଗ୍ରୱାଲ ଓରଫ୍‌ ସୀମା ଗର୍ଗ(୪୫), କ୍ରିଷ୍ଣା ହୋଟେଲ ସମ୍ମୁଖରେ ରହୁଥିବା ସରୀତା ଅଗ୍ରୱାଲ(୫୦), ଡିଏଭି ସ୍କୁଲ ଲେନ୍‌ର ନୀତା ଅଗ୍ରୱାଲ(୪୪), ଗୁରୁଦ୍ବାରା ରୋଡ୍‌ର ଆଶା ଦେବୀ(୩୮), ଡିଏଭି ଲେନ୍‌ର ନିଖିଳ ଅଗ୍ରୱାଲ(୨୫), ପାୱାର ହାଉସ୍‌ ରୋଡ୍‌ର ସୁମିତ ଅଗ୍ରୱାଲ(୨୧) ଓ ବିଶ୍ରା ଡାହାର ରୋଡ୍‌ର ଶୀଲା ଅଗ୍ରୱାଲ(୩୮)। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଯୋଡ଼ି ମା’-ପୁଅ ମଧ୍ୟ ଥିଲେ। ଏହି ମା’-ପୁଅ ଯୋଡ଼ି ହେଉଛନ୍ତି ଡିଏଭି ସ୍କୁଲ୍‌ ଲେନ୍‌ ସୁପର୍‌ ମ୍ୟାକ୍ସ ପାଖରେ ରହୁଥିବା ନୀତା ଅଗ୍ରୱାଲ(୪୪) ଓ ତାଙ୍କ ପୁଅ ନିଖୀଳ ଅଗ୍ରୱାଲ(୨୫) ଏବଂ ପାୱାର ହାଉସ୍‌ ରୋଡ୍‌ରେ ରହୁଥିବା ସରୀତା ଅଗ୍ରୱାଲ(୫୦) ଓ ତାଙ୍କ ପୁଅ ସୁମିତ ଅଗ୍ରୱାଲ(୨୧)।