ଶାଢ଼ି ଜବତ କରି ବିଧାୟକଙ୍କ ଗାଡ଼ି ଛାଡ଼ିଲା ପୁଲିସ, କଂଗ୍ରେସର ଗାଡି ଭଙ୍ଗା ନେଇ ମାମଲା ରୁଜୁ

ପାପଡାହାଣ୍ଡି : ଗତକାଲି ଜବତ ହୋଇଥିବା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ଗାଡ଼ିକୁ ଛାଡ଼ି ଦେଇଛି ପାପଡ଼ାହାଣ୍ଡି ପୁଲିସ। ତେବେ ଗାଡ଼ିରେ ରହିଥିବା ଶାଢ଼ି, ଗାମୁଛା ଆଦି ପୁଲିସ ଜବତ କରିଛି। ଏହି ଘଟଣାରେ ପରବର୍ତ୍ତୀ ନିଷ୍ପତ୍ତି ନିର୍ବାଚନ କମିସନର ନେବେ ବୋଲି ଜଣାପଡ଼ିଛି। ଅନ୍ୟପଟେ ପୁଲିସ ଗାଡ଼ି ଛାଡ଼ିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଭୁଜବଳ ମାଝୀ। ସେହିପରି କଂଗ୍ରେସର ପ୍ରଚାର ଗାଡ଼ିକୁ ଘୁସରାବେଡ଼ା ରାସ୍ତାରେ ଭଙ୍ଗାରୁଜା ଘଟଣାରେ ପୁଲିସ ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍‌ କଣ୍ଟାମାଳ ପଞ୍ଚାୟତ ଅନ୍ତର୍ଗତ ରୋଣ୍ଡାଗୁଡ଼ା ଗ୍ରାମବାସୀଙ୍କୁ ବିଧାୟକ ମନୋହର ରନ୍ଧାରୀ ପ୍ରଭାବିତ କରୁଥିବା ଗତକାଲି ଅଭିଯୋଗ ହୋଇଥିଲା। ଭୋଟରଙ୍କୁ ଶାଢ଼ୀ, ଗାମୁଛା ବାଣ୍ଟୁଥିବା ନେଇ ପାଇ ପୂର୍ବତନ ବିଧାୟକ ଭୁଜବଳ ମାଝୀ ଏବଂ ଜୋନ୍‌-୨ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଡାକ୍ତର ଲିପିକା ମାଝୀ ଖବର ପାଇଥିଲେ। ବିଧାୟକ ଫେରିବା ସମୟରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଦର୍ଶାଇ ଶାଢ଼ୀ ଓ ଗାମୁଛା ‌ଭର୍ତ୍ତି ହୋଇଥିବା ଗାଡ଼ିକୁ ଉଭୟ ରାସ୍ତାରେ ଅଟକାଇଥିଲେ। ତେଣୁ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୂର୍ବତନ ବିଧାୟକ ଭୁଜବଳ ମାଝୀ ଫୋନ ଯୋଗେ ପୁଲିସକୁ ଜଣାଇଥିଲେ। ଖବର ପାଇ ପାପଡାହାଣ୍ଡି ତହସିଲଦାର ଯୋଗେଶ୍ୱର ଭୋଇ ଓ ପାପଡାହାଣ୍ଡି ଥାନା ଅଧିକାରୀ ଶୁଭେନ୍ଦୁ ଶବର ଘଟଣାସ୍ଥଳରେ ପହଞ୍ଚି ବିଧାୟକ ଗାଡ଼ି ଜବତ କରି ଥାନାକୁ ନେଇଥିଲେ। ମାମଲା ରୁଜୁ ପରେ ଗାଡ଼ିରେ ଭର୍ତ୍ତି ହୋଇ ରହିଥିବା ୨୮୪ ଶାଢ଼ୀ, ୫ଶହ ତଉଲିଆ, ୧୫୮ ଟର୍କିସ୍‌ ଚଉଲିଆ ଏବଂ ୧୬୨ ଗାମୁଛା ଜବତ କରିଛି ପୁଲିସ। ଏହାପରେ ବିଧାୟକଙ୍କ ଗାଡ଼ି ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି।

ଏ ନେଇ ଥାନା ଅଧିକାରୀ ଶୁଭେନ୍ଦୁ ଶବରଙ୍କୁ ଯୋଗାଯୋଗ କରିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ଲିଖିତ ଦେବାରୁ ଗାଡ଼ି ଛଡ଼ାଯାଇଛି। ପରବର୍ତ୍ତୀ ନିଷ୍ପତ୍ତି ନିର୍ବାଚନ କମିସନର ନେବେ ବୋଲି କହିଛନ୍ତି। ପୂର୍ବତନ ବିଧାୟକ ଭୁଜବଳ ମାଝୀକୁ ଯୋଗାଯୋଗ କରିବାରୁ ଏହା ନିନ୍ଦନୀୟ ଘଟଣା ଏବଂ ବିଧାୟକ ଏମିତି ବାରମ୍ବାର କରୁଛନ୍ତି। ତେଣୁ ନିର୍ବାଚନ କମିସନରଙ୍କୁ ଘଟଣା ସଂପର୍କରେ ଲିଖିତ ଭାବେ ଜଣାଇବେ ବୋଲି କହିଛନ୍ତି।

ସେହିପରି ଗତକାଲି ହିଁ କଂଗ୍ରେସର ପାପଡାହାଣ୍ଡି ବ୍ଲକ୍‌ ଜୋନ୍‌-୨ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଲିପିକା ମାଝୀଙ୍କ ପ୍ରଚାର ଗାଡ଼ିକୁ ଭଙ୍ଗା ଯାଇଥିଲା। ଏତଲା ଭତ୍ତିରେ ପୁଲିସ ଶରତ ବେନିଆ, ବାବୁନା ବେନିଆ ଓ ଭାସ୍କର ବିଶୋଇଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ଲିପିକାଙ୍କ ପ୍ରଚାର ଗାଡି ଚନ୍ଦ୍ରପୁର ପଞ୍ଚାୟତରେ ପ୍ରଚାର କରି ଘୁସରାବେଡ଼ା ରାସ୍ତାରେ ଯିବା ସମୟରେ ଗାଡିକୁ ଭଙ୍ଗା ରୁଜା କରାଯାଇଥିଲା। ଏ ନେଇ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଲିପିକା ପାପଡାହାଣ୍ଡି ଥାନାରେ ଏତଲା ଦେବାପରେ ପୁଲିସ କେସ ନମ୍ବର ୨୪/୨୨ରେ ମାମଲା ରୁଜୁ କରି ଏସ୍‌ଆଇ ଶିବାଜୀ ପଣ୍ଡା ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର