ମାଲକାନଗିରି: ମାଲକାନଗିରି ବ୍ଲକ ଅନ୍ତର୍ଗତ କତାମାଟେରୁ ଗ୍ରାମରୁ ୫ ଜଣ ଗ୍ରାମବାସୀଙ୍କୁ ଗତକାଲି ରାତିରେ ମାଲକାନଗିରି ପୁଲିସ ଉଠାଇ ଆଣିଥିବାରୁ ଆଜି ଏହି ଅଂଚଳର ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ମାଲକାନଗିରି ଥାନାକୁ ଘେରାଉ କରିଥିଲେ। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ କୋସା ସୋଡି,ପ୍ରଶାନ୍ତ ବେଟ୍ଟି, ଶିବ ପ୍ରସାଦ ସୋଡି, ଗଂଗା ସୋଡି ଏବଂ ଇର୍ମା ସୋଡି।ତେବେ ଏମାନଙ୍କୁ ଗତକାଲି ଉଠାଇ ଆଣିବା ପରେ ଆଦିବାସୀ ସଂଘ ତରଫରୁ ମାଲା ମାଢି, ଘନଶ୍ୟାମ ମାଡକାମୀ, ରବୀନ୍ଦ୍ର ମାଢି, କାମରାଜ କାବାସୀ ପ୍ରମୁଖଙ୍କ ନେତୃତ୍ବରେ ଶତାଧିକ ମହିଳା ପୁରୁଷ ମାଲକାନଗିରି ଥାନା ଆଗରେ ଧାରଣା ଦେଇଥିଲେ।ଗ୍ରମବାସୀଙ୍କ କହିବା ହେଲା କତାମାଟେରୁ ଗ୍ରାମରେ ହେଉଥିବା ସିମେଣ୍ଟ କାରଖାନାକୁ ଏମାନେ ବିରୋଧ କରିଆସୁଥିବାରୁ ଏମାନଙ୍କୁ ପୁଲିସ ଟାର୍ଗେଟ କରି ଉଠାଇଥିବା କୁହାଯାଇଛି।ତେବେ ପୁଲିସ କିନ୍ତୁ ଏମାନେ ଅନ୍ୟ ଘଟଣାରେ ସାମିଲ ଥିବାରୁ ଉଠାଇଥିବା ଜଣାପଡିଛି। ତେବେ ଏନେଇ ଆଇଆଇସି ରିଗାନ କିଣ୍ଡୋଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଂକର ପ୍ରତିକ୍ରିୟା ଦିଆଯାଇପାରି ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଦିନ ତମାମ ଲୋକେ ଧାରଣାରେ ବସିବା ପରେ ପୁଲିସ ତିନି ଜଣଙ୍କୁ ଛାଡି ଦେଇଥିବା ବେଳେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି।କୋର୍ଟ ଚାଲାଣ କରାଯାଇଥିବା ବ୍ୟକ୍ତିମାନେ ହେଲେ କୋସା ସୋଡି ଏବଂ ପ୍ରଶାନ୍ତ ବେଟ୍ଟି।ତେବେ କତାମାଟେରୁ ଗ୍ରାମବାସୀଙ୍କ ଅଭିଯୋଗ ହେଲା ଯେ ଡାଲମିଆ ସିମେଣ୍ଟ କାରଖାନା କରୁଥିବା ମାଲିକ ଲୋକଙ୍କ କୌଣସି ଦାବିକୁ ପୂରଣ କରୁନାହିଁ।ଲୋକେ ସେମାନଙ୍କର କେତେ ଜମି ଏବଂ ଜାଗା ଯିବ ସେନେଇ କୌଣସି ସୂଚନା ପାଇପାରୁନାହାନ୍ତି।ଏଥିସହ ଏହି ଅଂଚଳରେ କଣ କଣ ଉନ୍ନୟନ ମୂଳକ କାର୍ଯ୍ୟ କମ୍ପାନି କରିବ ସେନେଇ ମଧ୍ୟ ସ୍ପଷ୍ଟ କରୁନାହିଁ।ତେଣୁ ଏହି ଅଂଚଳର ଲୋକେ ଏହାକୁ ବିରୋଧ କରିଆସୁଛନ୍ତି।ପୁଲିସ ସୁରକ୍ଷାରେ କେବଳ ପଲ୍ଲୀ ସଭା ହିଁ ସମାପ୍ତ ହୋଇଛି।ତେବେ ତିନି ଜଣଙ୍କୁ ପୁଲିସ ଛାଡିବା ପରେ ଲୋକେ ଧାରଣାରୁ ହଟିଥିଲେ।