ଗଞ୍ଜାମ: ରମ୍ଭା ଥାନା ଅନ୍ତର୍ଗତ ଏଚ୍‌. ବୁରୁଡ଼ି ରାଜସ୍ବ ସର୍କଲ ଅଧୀନସ୍ଥ ଶତ୍ରୁସୋଲ ମୌଜାରେ ଥିବା ଏକ ଘଞ୍ଚ ଜଙ୍ଗଲ ଭିତରେ ଥିବା ପାହାଡ଼ରୁ ମୋରମ୍ ଚାଲାଣ ହେଉଥିବା ନେଇ ପୁଲିସକୁ ଖବର ମିଳିଥିଲା। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ରମ୍ଭା ଥାନାଧିକାରୀ ସତ୍ୟବ୍ରତ ଭୂତିଆଙ୍କ ନେତୃତ୍ବରେ ଏକ ଟିମ୍‌ ସେଠାରେ ଅତର୍କିତ ଚଢ଼ଉ କରିଥିଲେ। ପୁଲିସ ଟିମ୍‌ ଦୁଇ ଭାଗରେ ବିଭକ୍ତ ହୋଇ ଖଲ୍ଲିକୋଟ ଏବଂ ହୁମ୍ମା ପଟୁ ଯାଇ ଉକ୍ତ ଇଲାକାକୁ ଚାରିପଟୁ ଘେରି ଯାଇଥିଲେ। ଚଢ଼ଉ ସମୟରେ ମାଫିଆମାନେ ଟ୍ରାକ୍ଟର୍‌ରେ ମୋରମ୍ ନେବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ ତାଙ୍କୁ ଅଟକାଇଥିଲା। ଫଳରେ ପୁଲିସ ଓ ମାଫିଆଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ତେବେ ପୁଲିସ ସେଠାରୁ ମାଫିଆ ତଥା ଶତ୍ରୁସୋଲର ସୁବାସ ପଲାଇ ଓ ବାହାଲପୁର ଗ୍ରାମର ଜେ. ଗଣେଶ ରାଓକୁ ଗିରଫ କରିବାରେ ସକ୍ଷମ ହୋଇଛି। କିନ୍ତୁ ଘଟଣାସ୍ଥଳରୁ ସେମାନଙ୍କ ୪ଜଣ ସହଯୋଗୀ ଫେରାର ହୋଇଯାଇଛନ୍ତି। ପୁଲିସ ଏକ ଜେସିବି‌ ମେସିନ୍‌ ଓ ୩ଟି ଟ୍ରାକ୍ଟର୍‌ ଜବତ କରିଛି। କେସ୍ ନମ୍ବର ୫୪୯/୨୪ରେ ମାମଲା ରୁଜୁ ସହ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ବହୁ ବର୍ଷ ପରେ ପୁଲିସ ଏହି ମୋରମ୍ ମାଫିଆଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

Advertisment

ଗଞ୍ଜାମ ତହସିଲ ଅଧୀନରେ ଥିବା ଏଚ୍‌.ବୁରୁଡି, ହୁମ୍ମା ଓ ସନ୍ତୋଷପୁର ଅଞ୍ଚଳରେ ଥିବା ପ୍ରାୟ ୩୦ ଏକର ରାଜସ୍ୱ ଗ୍ରାମ୍ୟ ଜଙ୍ଗଲର ପାହାଡ଼ରୁ ବାରମ୍ବାର ମୋରମ୍ ଖନନ କରି ରାତାରାତି ଜିଲ୍ଲାର ବିଭିନ୍ନ ସ୍ଥାନ ଓ ପୁରୀ ଜିଲ୍ଲାକୁ ଚାଲାଣ କରାଯାଉଥିଲା। ରାଜସ୍ବ ବିଭାଗ ଅଧିକାରୀ ଏସମ୍ପର୍କରେ ସବୁ ଜାଣିଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରୁ ନଥିଲେ। ରାଜସ୍ୱ ବିଭାଗର ଜଣେ ପୂର୍ବତନ ତହସିଲଦାର ଅନ୍ୟ ଅଧିକାରୀଙ୍କୁ ହାତ କରି ଏହି କାରବାର ଜାରି ରଖିଥିଲେ। ୧୬ନମ୍ବର ଜାତୀୟ ରାଜପଥ ଠାରୁ ମାତ୍ର ୪/୫ କିମି ଦୂରରେ ଥିବା ଶତ୍ରୁସୋଲ ମୌଜାର ଖାତା ନମ୍ବର-୧୭୩, ପ୍ଲଟ୍ ନଂ ୧୫୯୮ ଓ ହୁମ୍ମା ମୌଜାର ଖାତା ନମ୍ବର-୧୩୩୭, ପ୍ଲଟ ନମ୍ବର-୩୫ରୁ ହଜାର ହଜାର ଟ୍ରକ୍‌ ମୋରମ ଚାଲାଣ ହୋଇଥିଲେ ସୁଦ୍ଧା ରାଜସ୍ବ ବିଭାଗ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରି ନଥିଲା। ମୋରମ୍ ମାଫିଆମାନେ ପ୍ରାୟ ୧୦ବର୍ଷ ହେବ ଗ୍ରାମ୍ୟ ଜଙ୍ଗଲ ଓ ଗୋଚର ଜମିରୁ ମୋରମ୍ ଚାଲାଣ କରିଚାଲିଥିଲେ। ଫଳରେ ବିଭିନ୍ନ ସ୍ଥାନରେ ପାଞ୍ଚରୁ ଦଶ ପୁଟ ଗଭୀର ଗାତ ହୋଇଥିବା ଦେଖିବାକୁ ମିଳିଛି। ଏହାଦ୍ବାରା ରାଜସ୍ବ ହାନି ହେବା ସହିତ ଜଙ୍ଗଲ କ୍ଷୟ ହୋଇଛି। ତେବେ କେଉଁ ଅଧିକାରୀମାନେ ଏହି ମୋରମ୍ ଚାଲାଣରେ ସମ୍ପୃକ୍ତ ରହିଥିଲେ ତା’ର ତଦନ୍ତ କରି ସେମାନଙ୍କୁ ଠାବ କରିବାକୁ ଦାବି ହୋଇଛି।