କେନ୍ଦୁଝର/ହରିଚନ୍ଦନପୁର: ବେଆଇନ ଗୋରୁ ଚାଲାଣର କରିଡର୍‌ ପାଲଟିଥିବା କେନ୍ଦୁଝରରେ ଆଜି ପୁଲିସ ଓ ଗୋରୁ ମାଫିଆ ମୁହାଁମୁହିଁ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଞ୍ଚଳରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୋରୁ ମାଫିଆଙ୍କ ଗୁଳିରେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ବେଳେ ପୁଲିସର ପାଲଟା ଗୁଳିରେ ଜଣେ ଗୋରୁ ମାଫିଆ ଗୁରୁତର ଆହତ ହୋଇଛି। ଏହି ଘଟଣାରେ ୫ ଜଣ ଗୋରୁ ମାଫିଆଙ୍କୁ ପୁଲିସ ଗିରଫ କରିବା ସହିତ ଦୁଇଟି ପିସ୍ତଲ ଓ ୪ ଗାଡ଼ି ଜବତ କରିଛି।

Advertisment

ଆଜି ଭୋରରେ ୪ଟି ଗୋରୁ ବୋଝେଇ ଗାଡ଼ି ତେଲକୋଇ ବ୍ଲକ୍‌ କାଳିଆହତା ପଟୁ ହରିଚନ୍ଦନପୁର ଆଡ଼କୁ ଆସୁଥିବାର ପୁଲିସ ସୂଚନା ପାଇଥିଲା। ପୁଲିସର ସ୍ବତନ୍ତ୍ର ସ୍କ୍ୱାଡ୍‌ ଓ ହରିଚନ୍ଦନପୁର ଥାନା ପୁଲିସ ବେଆଇନ ଗୋରୁ ବୋଝେଇ ଗାଡ଼ିଗୁଡ଼ିକୁ ହରିଚନ୍ଦନପୁର ଥାନା ପିଠାଗୋଳାର କାଦୁଆ ଗାଁ ନିକଟରେ ଅଟକାଇବାକୁ ଚେଷ୍ଟା କରିଥିଲା। ଗୋରୁ ଗାଡ଼ିକୁ ଖସାଇବା ପାଇଁ ମାଫିଆମାନେ ପ୍ରଥମେ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ଆତ୍ମରକ୍ଷା ପାଇଁ ପୁଲିସ ମଧ୍ୟ ପାଲଟା ଗୁଳି ଚଳାଇଥିଲା। ପୁଲିସ ଗୁଳିରେ ଗୋରୁ ମାଫିଆ ଘଟଗାଁ ଥାନା ସାନ୍ତରାପୁର ଗ୍ରାମର ଆରିକ୍‌ ଖାଁ ଗୁରୁତର ହୋଇଛି। ତା’ର ଦୁଇଟି ଗୋଡ଼ରେ ଗୁଳି ବାଜିଛି। ଅନ୍ୟପକ୍ଷରେ ଗୋରୁ ମାଫିଆଙ୍କ ଗୁଳିରେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତଦନ୍ତ ଚାଲୁଥିବାରୁ ପୁଲିସ ସେମାନଙ୍କ ନାମ ଗୋପନ ରଖିଛି। ଗୁରୁତର ଗୋରୁ ମାଫିଆକୁ ପ୍ରଥମେ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି।

ପୁଲିସ ଏହି ଘଟଣାରେ ଘଟଗାଁ ଥାନା ସାନ୍ତରାପୁର ଗ୍ରାମର ଆରିକ ଖାଁ, ସେକ୍ ହାକିମ, ପଣ୍ଡାପଡ଼ା ଥାନା ଜଂଘିରାର ସୋନୁ ମହମ୍ମଦ, ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ବୋକଲାର ଦୀପକ କାଳିନ୍ଦୀ ଓ ଦେବୁ କାଳିନ୍ଦୀକୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨ଟି ବନ୍ଧୁକ ଜବତ ହୋଇଛି। ଗୋରୁ ଚାଲାଣରେ ବ୍ୟବହୃତ ପିକ୍‌ଅପ୍‌ ଭ୍ୟାନ୍‌ (ଓଡି୦୯ଏମ୍‌-୪୯୩୨), ମହିନ୍ଦ୍ରା ଏକ୍ସୟୁଭି (ଓଡି୦୨ଏଫ୍‌-୮୫୭୩)କୁ ହରିଚନ୍ଦନପୁର ପୁଲିସ ଜବତ କରିଛି। ସେହିପରି ଆଉ ଦୁଇଟି ପିକ୍‌ଅପ୍‌ ଭ୍ୟାନ୍‌ (ଓଡି୧୯-ଆର୍‌-୫୭୧୯ ଓ ଓଆର୍‌-୦୫-ଏଆଇ-୩୬୪୭)କୁ ପଣ୍ଡାପଡ଼ା ପୁଲିସ ଜବତ କରିଛି। ଏ ନେଇ ହରିଚନ୍ଦନପୁର ଥାନାରେ କେସ୍‌ ନମ୍ବର ୧୬୮/୨୦୨୪ ଓ ପଣ୍ଡାପଡ଼ା ଥାନାରେ କେସ୍‌ ନମ୍ବର ୨୪୭/୨୦୨୪ରେ ଦୁଇଟି ମାମଲା ରୁଜୁ ହୋଇଥିବା ଅତିରିକ୍ତ ଏସ୍‌ପି ଦିଲୀପ କୁମାର ନାଏକ ସୂଚନା ଦେଇଛନ୍ତି।