ଆନ୍ଦୋଳନରୁ ଓହରିଲା ପୁଲିସ ମହାସଂଘ

ଭୁବନେଶ୍ୱର : ୬ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଡାକରା ଦେଇଥିବା ଓଡ଼ିଶା ପୁଲିସ ସମନ୍ବୟ ସମିତି ଆନ୍ଦୋଳନରୁ ଓହରିଛି। ଆଜି ପୁଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସହ ହୋଇଥିବା ଆଲୋଚନା ସଫଳ ହୋଇଛି। ଖୁବ୍‌ଶୀଘ୍ର ଦାବି ପୂରଣ ହେବା ପାଇଁ ପ୍ରତିଶ୍ରୁତି ମିଳିବାରୁ ସମିତି ଆନ୍ଦୋଳନରୁ ଓହରିଥିବା କହିଛନ୍ତି ରାଜ୍ୟ ପୁଲିସ ଅଧିକାରୀ ସଂଘ (ଓପିଏ) ସଭାପତି ସତ୍ୟଜିତ ମିଶ୍ର। ଆଜି ଡିଜିଙ୍କ ଭୁବନେଶ୍ବର କ୍ୟାମ୍ପ ଅଫିସରେ ହୋଇଥିବା ଆଲୋଚନାରେ ୬ ଦଫା ଦାବିରୁ ୪ ଦଫା ଦାବି ପୂରଣ କରିବାକୁ ଡିଜି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଆଲେଚାନା ସରିବା ପରେ କର୍ମଚାରୀମାନେ କଳାବ୍ୟାଜ୍‌ ଖୋଲି ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବା ସୂଚନା ଦେଇଛନ୍ତି। ହାବିଲଦାର, କନ୍‌ଷ୍ଟେବଲ୍‌ ଓ ସିପାହୀ ମହାସଂଘ ସହ ଦାବି ସହ ତାଳ ମେଳାଇ ଓପିଏ ଓ ଓପିଏସ୍‌ ସଂଘ ଆନ୍ଦୋଳନ ଡାକରା ଦେଇଥିଲା। ରାତି ସୁଦ୍ଧା ଦାବି ପୂରଣ ନ ହେଲେ ଆଜିଠାରୁ କଳାବ୍ୟାଜ୍‌ ପରିଧାନ ଓ ସନ୍ଧ୍ୟାରେ ଅସ୍ତ୍ରଶସ୍ତ୍ର ସହ ପୋଷାକ ଓ ଗାଡ଼ିଚାବି ହସ୍ତାନ୍ତର କରି ଶୁକ୍ରବାରଠାରୁ ୭୨ହଜାର କର୍ମଚାରୀ ଓ ଅଧିକାରୀ ସମୂହ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ଓଡ଼ିଶା ପୁଲିସ ସମନ୍ବୟ ସମିତି ଆନ୍ଦୋଳନରୁ ଓହରିଥିବାରୁ ହାବିଲଦାର, କନ୍‌ଷ୍ଟେବଲ୍‌ ଓ ସିପାହୀ ମହାସଂଘ ମଧ୍ୟ ଆନ୍ଦୋଳନରୁ ଓହରିଛି। ତେବେ ହାବିଲଦାର, କନ୍‌ଷ୍ଟେବଲ୍‌ ଓ ସିପାହୀ ମହାସଂଘ ସହ ପୁଲିସ ଅଫିସର ଓ କର୍ମଚାରୀ ମହାସଂଘ ହାତ ମିଶାଇବା, ରାତିଅଧିଆ ଆନ୍ଦୋଳନ ଚେତାବନୀ ଦେବା ଓ ସକାଳୁ ସକାଳୁ ଆଲୋଚନା ସଫଳ ହେବା। ପରେ ଆନ୍ଦୋଳନ ପ୍ରତ୍ୟାହୃତ ହେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ୬ ଦଫା ଦାବିଗୁଡ଼ିକ ମଧ୍ୟରୁ ବର୍ଷକୁ ଏକମାସର ଅତିରିକ୍ତ ଦରମା, ଏଏସ୍‌ଆଇ, ଏସ୍‌ଆଇ ଓ ଇନ୍‌ସ୍‌ପେକ୍ଟରଙ୍କୁ ଷଷ୍ଠ ଓ ସପ୍ତମ ବେତନ ଲାଗୁ, ଭତ୍ତା ବୃଦ୍ଧି ସହ ସ୍ବାସ୍ଥ୍ୟ ବୀମା ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିଛି।

ସମ୍ବନ୍ଧିତ ଖବର