ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲାରେ ପୁଲିସ ବାହିନୀର କମ୍ବିଂ ଅପରେସନ୍ ବେଳେ ବିଶାଳ ମାଓକ୍ୟାମ୍ପ୍ ଠାବ ହୋଇଛି। ତୁମୁଡ଼ିବନ୍ଧ ଥାନା ଅଧୀନ କୁର୍ତ୍ତମଗଡ଼ ବୁଢ଼ାନଈ ନିକଟସ୍ଥ ସିନ୍ଧିପଙ୍ଖାଲ ଜଙ୍ଗଲରେ ଆଜି ସକାଳୁ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ତେବେ କିଛି ସମୟ ଗୁଳି ବିନିମୟ ପରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘଟଣାସ୍ଥଳରେ ଏକାଧିକ ମାଓ କ୍ୟାମ୍ପ୍କୁ ଧ୍ବଂସ କରା ଯାଇଥିବା ବେଳେ ବହୁ ମାତ୍ରାରେ ମାଓ ସାମଗ୍ରୀ ଜବତ କରାଯାଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ କିଛି ମାଓବାଦୀ ଆହତ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଥିଲେ ହେଁ, ତାହା ସ୍ପଷ୍ଟ ହୋଇପାରି ନାହିଁ। ଘଟଣାସ୍ଥଳରେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍କୁ ଜୋର୍ଦାର କରାଯାଇଛି।
/sambad/media/post_attachments/wp-content/uploads/2023/05/3-19.jpg)
କିଛି ଦିନ ହେଲା ଏହି ଅଞ୍ଚଳରେ କେକେବିଏନ୍ ମାଓ ସଂଗଠନ କ୍ୟାମ୍ପ୍ କରି ଜିଲ୍ଲାରେ ବଡ଼ ଧରଣର ଅଘଟଣ ଘଟାଇବା ପାଇଁ ଯୋଜନା କରୁଥିବା ପୁଲିସକୁ ପୂର୍ବରୁ ଗୁଇନ୍ଦା ସୂଚନା ମିଳିଥିଲା। ଫଳରେ ଏହି ଅଞ୍ଚଳରେ ଏସ୍ଓଜି ଯବାନ୍ମାନେ କମ୍ବିଂ ଅପରେସନ୍ ଜାରି ରଖିଥିଲେ। ଆଜି ସକାଳୁ ସିନ୍ଧିପଙ୍ଖାଲ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଦୀର୍ଘ ସମୟ ଗୁଳିବିନିମୟ ପରେ ମାଓବାଦୀ ଦୂରକୁ ହଟି ଯାଇଥିଲେ। ପୁଲିସ ଘଟଣାସ୍ଥଳରୁ ଦେଶୀବନ୍ଧୁକ, ଡିଟୋନେଟର, ବିଦ୍ୟୁତ୍ ତାର, ମାଓ ପୋଷାକ, ଛତା, ଟିଫିନ୍, କଲର୍ ବାଲ୍ଟି, ସୋଲାର ଲାଇଟ୍, ଖାଦ୍ୟ ସାମଗ୍ରୀ, ରୋଷେଇ ସାମଗ୍ରୀ ଓ ପଲ୍ଥିନ୍ ଆଦି ଜବତ କରିଛି। ଅନ୍ୟପଟେ କିଛି ଦିନର ନିରବତା ପରେ କନ୍ଧମାଳରେ ଲାଲ୍ବାହିନୀ ପୁଣିଥରେ ନିଜର ସ୍ଥିତି ଜାହିର କରିବା ଓ ଗୁଳି ବିନିମୟକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/2-23.jpg)