ମାଓ-ପୁଲିସ ଗୁଳି ବିନିମୟ, ଯବାନ ଆହତ

ବଲାଙ୍ଗୀର : ବଲାଙ୍ଗୀରର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ମହଖଣ୍ଡ ସଂରକ୍ଷିତ ଜଙ୍ଗଲରେ ରବିବାର ରାତିରେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଚନ୍ଦ୍ରଭାନୁ ଭୋଇ (୨୮) ନାମକ ଜଣେ ଏସ୍‌ଓଜି ଯବାନ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ପେଟରେ ଗୁଳି ବାଜିଥିବା ଜଣାପଡ଼ିଛି। ତାଙ୍କୁ ପ୍ରଥମେ କଣ୍ଟାବାଞ୍ଜି ଡାକ୍ତରଖାନ ଓ ପରେ ବଲାଙ୍ଗୀର ଜିଲ୍ଲା ସଦର ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବଲାଙ୍ଗୀର ଡାକ୍ତରଖାନାରେ ଜିଲ୍ଲାପାଳ ଆଶିଷ ଥାକ୍‌ରେ, ସିଡିଏମ୍‌ଓ ଡା. ସୁଜ୍ଞାନେନ୍ଦ୍ର ମିଶ୍ର, ବଲାଙ୍ଗୀର ଏସ୍‌ଡିପିଓ ନାରାୟଣ ନାୟକ, କଣ୍ଟାବାଞ୍ଜି ଏସ୍‌ଡିପିଓ ପ୍ରଫୁଲ୍ଲ ମିଶ୍ର ଓ ଅନ୍ୟ ପୁଲିସ ଅଧିକାରୀମାନେ ଉପସ୍ଥିତ ରହି ଚିକିତ୍ସା ବ୍ୟବସ୍ଥା ତଦାରଖ କରୁଛନ୍ତି।

ସୂଚନାଯୋଗ୍ୟ ଯେ ରବିବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ଉକ୍ତ ଜଙ୍ଗଲରେ ମାଓବାଦୀ ଥିବା ସୂଚନା ପାଇ ଯବାନମାନେ କମ୍ବିଂ କରିଥିଲେ। ଏହି ସମୟରେ ମାଓବାଦୀଙ୍କ ସହ ସାମନା ସାମନି ହେବାରୁ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଗୋଟିଏ ଗୁଳି ଚନ୍ଦ୍ରଭାନୁଙ୍କ ଦେହରେ ବାଜିଥିଲା।

ସମ୍ବନ୍ଧିତ ଖବର