ମୁହାଁମୁହିଁ ସ୍ଥିତିରେ ପୁଲିସ-ମାଓବାଦୀ; ଟାର୍ଗେଟ୍‌ରେ ନିଖିଲ୍‌, ବଣ୍ଟି

କନ୍ଧମାଳ ଏବେ ବଡ଼ କରିଡର୍‌, କମ୍ବିଂ ଜୋର୍‌ଦାର୍‌
ନିର୍ବାଚନ ପରିଚାଳନା ପୁଲିସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ୍‌

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ମାଓବାଦୀ ଓ ପୁଲିସ ମୁହାଁମୁହିଁ ସ୍ଥିତିରେ। ଗତ ସପ୍ତାହେ ଧରି କନ୍ଧମାଳ ଜିଲ୍ଲାରେ କେକେବିଏନ୍‌ ମାଓ ଡିଭିଜନ ପୋଷ୍ଟର୍‌, ବ୍ୟାନର୍‌ ଜରିଆରେ ନିଜ ସ୍ଥିତି ଜାହିର୍‌ କରୁଛି । ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟାଇ ଚାଲିଛି। ଅନ୍ୟପଟେ, ମାଓବାଦୀଙ୍କୁ ସମ୍ପୂର୍ଣ୍ଣ ଦମନ କରିବା ଲକ୍ଷ୍ୟରେ ପୁଲିସ ପକ୍ଷରୁ କନ୍ଧମାଳ-ବୌଦ୍ଧ-କଳାହାଣ୍ଡି ଜିଲ୍ଲା ସୀମାରେ କମ୍ବିଂ ଅପରେସନ୍‌କୁ ଜୋର୍‌ଦାର୍‌ କରାଯାଇଛି। ମାଓନେତା ନିଖିଲ୍‌, ବଣ୍ଟି ଏବେ ପୁଲିସ ଟାର୍ଗେଟ୍‌ରେ ଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ଅବାଧ ନିର୍ବାଚନ ପରିଚାଳନା ପୁଲିସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ୍‌ ପାଲଟିଛି।

ବେଶ୍‌ କିଛିଦିନ ଧରି କନ୍ଧମାଳ ଜିଲ୍ଲାରେ କେକେବିଏନ୍‌ ମାଓ ଡିଭିଜନ ସକ୍ରିୟ ରହିଛି। ଡିଭିଜନ୍‌ର କନ୍ଧମାଳ କରିଡ଼ର୍‌ରେ ନିଖିଲ୍‌ ଓ ବଣ୍ଟିଙ୍କ ନେତୃତ୍ବରେ ମାଓବାଦୀମାନେ ବେଶ୍‌ ସକ୍ରିୟ ରହିଛନ୍ତି। ନିଜର ଉପସ୍ଥିତି ଜାହିର କରିବାକୁ ଯାଇ ମାଓବାଦୀମାନେ ଗତ ସପ୍ତାହ ମଧ୍ୟରେ କନ୍ଧମାଳ ଜିଲ୍ଲାରେ ନାନା ହିଂସା ଘଟାଇ ସାରିଲେଣି। ଫିରିଙ୍ଗିଆ ବ୍ଲକ୍‌ର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସାଡ଼ିଙ୍ଗିଆର କିଆମୁଣ୍ଡାଠାରେ ରାସ୍ତା କାମରେ ଲାଗିଥିବା ଟ୍ରାକ୍ଟର୍‌, ଜେସିବି ପୋଡ଼ିବା ସହ ଲ୍ୟାଣ୍ଡ୍‌ମାଇନ୍‌ ବିଛାଇବା ଫଳରେ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ଏହାସହିତ ପ୍ରତିଦିନ ବାଲିଗୁଡ଼ାରୁ ଆରମ୍ଭ କରି ତୁମୁଡ଼ିବନ୍ଧ, ଫିରିଙ୍ଗିଆ ଓ କୋଟଗଡ଼ର କେଉଁଠି ନା କେଉଁଠି ପୋଷ୍ଟର୍‌, ବ୍ୟାନର୍‌ ଲଗାଇ ଉପସ୍ଥିତି ଜାହିର କରୁଛନ୍ତି। ମାଓବାଦୀଙ୍କର ଏହିଭଳି ସକ୍ରିୟତା ଯୋଗୁ ଏବେ କେକେବିଏନ୍‌ ମାଓ ଡିଭିଜନର ସବୁଠୁ ବଡ଼ କରିଡର୍‌ ପାଲଟିଛି କନ୍ଧମାଳ ଜିଲ୍ଲା।

କନ୍ଧମାଳ-ରାୟଗଡ଼ା ଜିଲ୍ଲା ସୀମାନ୍ତ କୋଟଗଡ଼ ବ୍ଲକ୍‌ର ଶ୍ରୀରାମପୁର, ସୁବର୍ଣ୍ଣଗିରି, ଆମ୍ବାଦଳାଠାରୁ ଆରମ୍ଭ କରି କନ୍ଧମାଳ-କଳାହାଣ୍ଡି ସୀମାବର୍ତ୍ତୀ ତୁମୁଡ଼ିବନ୍ଧର ଭଣ୍ଡରଙ୍ଗି, ବେଲଘର, ଝିରିପାଣି, ଲଙ୍କାଗଡ଼, କଳାହାଣ୍ଡି ଜିଲ୍ଲାର ଏମ୍‌.ରାମପୁର, ବାଲିଗୁଡ଼ା ବ୍ଲକ୍‌ର ବାରଖମା, ଖମନଖୋଲ, ଗୁମୁଡ଼ୁମାହା ଏବଂ କନ୍ଧମାଳ-ବୌଦ୍ଧ ଜିଲ୍ଲା ସୀମାନ୍ତ ଫିରିଙ୍ଗିଆ ବ୍ଲକ୍‌ର ସାଡ଼ିଙ୍ଗିଆ, ସୁମରବନ୍ଧ, ଗୋଚ୍ଛାପଡ଼ା, ବାଲନ୍ଦାପଡ଼ା, ପାଇରାଜୁ, ପକାରି, ଲୁଇସିଂ ଏବଂ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଜଙ୍ଗଲ ଅଞ୍ଚଳରେ ବେଶ୍‌ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି ମାଓବାଦୀ। ଅନ୍ୟପକ୍ଷରେ, କନ୍ଧମାଳ ଜିଲ୍ଲାରେ ଯାହା କିଛି ମାଓହିଂସା ଘଟୁଛି, ତା’ ପଛରେ ଟପ୍‌ ମାଓନେତା ନିଖିଲ ଓ ବଣ୍ଟିଙ୍କ ହାତ ରହିଛି ବୋଲି କୁହାଯାଉଛି। ମାଓନେତା ସବ୍ୟସାଚୀ ପଣ୍ଡା ଓ ଆଜାଦ୍‌ଙ୍କ ଗିରଫ ପରେ କେକେବିଏନ୍‌ ଡିଭିଜନ୍‌ରର ନେତୃତ୍ବ ନେଉଛନ୍ତି ନିଖିଲ ଓ ବଣ୍ଟି। ଏହି ଦୁଇ ମାଓନେତା ଏବେ କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ଓ ରାୟଗଡ଼ା ପୁଲିସ ପାଇଁ ମୋଷ୍ଟ୍‌ ୱାଣ୍ଟେଡ୍‌ ପାଲଟିଛନ୍ତି।

ମାଓବାଦୀଙ୍କ ଯେଉଁଭଳି ଭାବେ ନିଜର ଉପସ୍ଥିତ ଜାହିର୍‌ କରିଆସୁଛନ୍ତି, ତାହା ପୁଲିସ୍‌ ନିକଟରେ ଆହ୍ବାନ ସୃଷ୍ଟି କରିଛି। ବିଶେଷକରି, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣା ପରଠାରୁ ମାଓବାଦୀମାନେ ହିଂସାକାଣ୍ଡ ଘଟାଇବା ଜାରି ରଖିଥିବାରୁ ସେମାନଙ୍କୁ କିଭଳି ମୁକାବିଲା କରିବେ, ତାହା ଚିନ୍ତାଜନକ କାରଣ ହୋଇଛି। କନ୍ଧମାଳ ଜିଲ୍ଲାର ମାଓ ପ୍ରଭାବିତ ଅଞ୍ଚଳ କୋଟଗଡ଼, ତୁମୁଡ଼ିବନ୍ଧ, ବାଲିଗୁଡ଼ା ଓ ଫିରିଙ୍ଗିଆ ବ୍ଲକ୍‌ରେ ଅବାଧ ନିର୍ବାଚନ ପରିଚାଳନା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ୍‌ ଭାବେ ଉଭା ହୋଇଛି। ପୁଲିସ ଏଭଳି ଚ୍ୟାଲେଞ୍ଜ୍‌ର କିଭଳି ସାମ୍ନା କରିବ, ତାହା ସମୟ କହିବ।

ସମ୍ବନ୍ଧିତ ଖବର