ରାଷ୍ଟ୍ରପତି ପୁଲିସ ପଦକ ଘୋଷଣା : ଓଡ଼ିଶାରୁ ପାଇବେ ୧୪, ତାଲିକାରେ ନାହାନ୍ତି ଆଇପିଏସ୍ ଅଫିସର

ଅଗ୍ନିଶମ ଓ ଗୃହରକ୍ଷୀ ସେବା ପାଇଁ ୧୪

ନୂଆଦିଲ୍ଲୀ/ଭୁବନେଶ୍ବର/କଟକ : ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରପତି ପୁଲିସ ପଦକ ପାଇବାକୁ ଯୋଗ୍ୟ ଅଧିକାରୀ ଓ କର୍ମଚାରୀମାନଙ୍କ ନାମ ତାଲିକା ପ୍ରକାଶ ପାଇଛି। ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାରୁ ୧୪ଜଣଙ୍କ ନାମ ସୁପାରିସ୍‌ କରାଯାଇଛି। ବିଶିଷ୍ଟ ସେବା ପାଇଁ ୨ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ଓ ୧୨ ଜଣଙ୍କୁ ମେରିଟାରିୟସ ସେବା ପଦକ ମିଳିବ। ତେବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଜି ଘୋଷିତ ହୋଇଥିବା ପୁଲିସ ପଦକର ସାହସିକତା ବର୍ଗରେ ସମଗ୍ର ଦେଶରୁ ୨୧୫ଜଣ ମ‌ନୋନୀତ ହୋଇଥିଲେ ମଧ୍ୟ ରାଜ୍ୟର କୌଣସି ପୁଲିସ କର୍ମଚାରୀଙ୍କ ନାମ ନାହିଁ। ସେହିଭଳି ଏହି ମର୍ଯ୍ୟାଦାଜନକ ପଦକ ତାଲିକାରେ ମଧ୍ୟ ରାଜ୍ୟର କୌଣସି ଆଇପିଏସ୍‌ ଅଧିକାରୀଙ୍କ ନାମ ନାହିଁ।

ରାଷ୍ଟ୍ରପତି ପୁଲିସ ପଦକ ପାଇଁ ଯୋଗ୍ୟ ଦୁଇ ପୁଲିସ ଅଧିକାରୀ ହେଲେ, ଭୁବନେଶ୍ବରର ଭିଜିଲାନ୍ସ ଡିଭିଜନର ଭାରପ୍ରାପ୍ତ ଡିଏସପି କେ. ବେଣୁଗୋପାଳ ଆଚାର୍ଯ୍ୟ ଓ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ପୁଲିସ ଏକାଡେମିରେ କାର୍ଯ୍ୟରତ କନ୍‌ଷ୍ଟ‌େବଳ ବିରଞ୍ଚି ନାରାୟଣ ସାହୁ। ମେରିଟାରିୟସ ସେବା ପଦକ ତାଲିକା‌ରେ ଅଛନ୍ତି, କଟକ ଭିଜିଲାନ୍ସ ଡାଇରେକ୍ଟର ଅତିରିକ୍ତ ପୁଲିସ ଅଧୀକ୍ଷକ ଅଭିରାମ କର, ଭୁବନେଶ୍ବର ଏସ୍‌ଓଜିର ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ ତାପସ ରଂଜନ ମହାପାତ୍ର, ଭୁବନେଶ୍ବର ପୁଲିସ ଜୋନ୍‌-୫ ଏସିପି ଅନିଲ କୁମାର ମିଶ୍ର, ଭୁବନେଶ୍ବର ଡିଭିଜନ ଭିଜିଲାନ୍ସର ଭାରପ୍ରାପ୍ତ ଡିଏସ୍‌ପି ଅନୁପମା ମହାପାତ୍ର, ଭୁବନେଶ୍ବରର ଅତିରିକ୍ତ ଡିସିପି ରାଜକିଶୋର ପାଇକରାୟ, କଟକ ୟୁପିଡିର ଇନ୍‌ସ୍ପେକ୍ଟର ଅଜୟ କୁମାର ଦାସ, ଭୁବନେଶ୍ବର ଏସ୍ଆଇଡବ୍ଲ୍ୟୁ ଇନ୍ସପେକ୍ଟର ଅଫ୍‌ ପୁଲିସ ଅତୁଲ୍‌କୃଷ୍ଣ ଦାସ, ଭୁବନେଶ୍ବର ଏସ୍‌ଆର୍‌ଡବ୍ଲ୍ୟୁ ଇନ୍ସପେକ୍ଟର ଅଫ ପୁଲିସ ସରୋଜ କୁମାର ପଟେଲ, ବରଗଡ଼ ଇନ୍ସପେକ୍ଟର ଅଫ ପୁଲିସ ନିର୍ମଳ କୁମାର ମହାପାତ୍ର, ପଞ୍ଚମ ଆଇଆର୍‌ ବାଟାଲିୟନ (ବୌଦ୍ଧ) ସୁବେଦାର କିଶୋର ଚନ୍ଦ୍ର ବଳବନ୍ତରାୟ, ୪ର୍ଥ ବାଟାଲିୟନ (ରାଉରକେଲା) ସିପାହୀ ରଥ ଲାକ୍ରା ଓ କୋରାପୁଟ ଭିଜିଲାନ୍ସ ଡିଭିଜନ ଜୟପୁରର ଏପିଆର୍‌ ହାବିଲଦାର ମହମ୍ମଦ ଫଜଲ ଉମାର୍‌। ଉଲ୍ଲେଖଯୋଗ୍ୟ ଯେ ଆଜି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟରୁ ଘୋଷଣା କରାଯାଇଥିବା ପୁଲିସ ପଦକ ତାଲିକାରେ ୨୧୫ ଜଣଙ୍କୁ ସାହାସିକତା, ୮୦ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ଓ ୬୩୧ ଜଣଙ୍କୁ ମେରିଟାରିୟସ ସେବା ପଦକ ପ୍ରଦାନ କରାଯିବା ପାଇଁ ମନୋନୀତ କରାଯାଇଛି।

ଅପରପକ୍ଷେ ଅଗ୍ନିଶମ, ଗୃହରକ୍ଷୀ ଓ ସିଭିଲ୍ ଡିଫେନ୍ସ କ୍ଷେତ୍ରରେ ସେବା ପାଇଁ ୧୪ଜଣ ପଦକ ପାଇବେ। ଏ ନେଇ ଆଜି ସନ୍ଧ୍ୟାରେ ତାଲିକା ପ୍ରକାଶ ପାଇଛି। ରାଷ୍ଟ୍ରପତି ସାହସିକତା ପଦକ ଲାଗି ଦେଶର ଏକମାତ୍ର ଓଡ଼ିଶାର ଅଗ୍ରଜ ଆଗ୍ନିକ ପ୍ରକାଶ କୁମାର ବଳ ମନୋନୀତ ହୋଇଛନ୍ତି। ସେହିପରି ବିଶିଷ୍ଟ ସେବା ପାଇଁ ଷ୍ଟେସନ୍‌ ଅଫିସର୍‌ ସୁରେନ୍ଦ୍ରନାଥ ଗଦପାଲା ଓ ମନୋଜ କୁମାର ସାହୁ ପଦକ ପାଇବେ। ଉଲ୍ଲେଖନୀୟ ସେବା ପାଇଁ ଡେପୁଟି ଫାୟାର ଅଫିସର୍‌ ରମେଶ ଚନ୍ଦ୍ର ମାଝୀ, ଷ୍ଟେସନ୍‌ ଅଫିସର୍‌ ଅଶୋକ କୁମାର ଶତପଥୀ, ନିରଞ୍ଜନ ପଟ୍ଟନାୟକ, ଅଗ୍ରଜ ଆଗ୍ନିକ ବେଣୁଧର ବେହେରା, କେ. କିଷ୍ଣା ରାଓ, ଡ୍ରାଇଭର ହାବିଲଦାର ଧୀରେନ୍ଦ୍ର ନାଥ ବେହେରା ପ୍ରମୁଖ ମନୋନୀତ ହୋଇଛନ୍ତି। ବିଶିଷ୍ଟ ସେବା ପାଇଁ ସିଭିଲ୍‌ ଡିଫେନ୍ସ ସ୍ବେଚ୍ଛାସେବୀ ଗଣେଶ ବାରିକ ଓ ଉଲ୍ଲେଖନୀୟ ସେବା ଲାଗି ହୋମଗାର୍ଡ ଗୀତାରାଣୀ ବେହେରା, ଅରୁଣ କୁମାର ସାହୁ, ପ୍ରଦୀପ କୁମାର ଦାସ ଓ ବିଷ୍ଣୁଚରଣ ଭୁଜବଳ ପଦକ ପାଇବେ। ୨୦୨୧ ସାଧାରଣତନ୍ତ୍ର ଦିବସରେ ଏହି ପଦକ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର