ରାଜଧାନୀରେ ଚାଞ୍ଚଲ୍ୟ: ଥାନା ସମ୍ମୁଖରେ ପୁଲିସ ମିତ୍ରଙ୍କୁ ବୀଭତ୍ସ ହତ୍ୟା!

ଭୁବନେଶ୍ୱର : ଗୁରୁବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ରାଜଧାନୀର ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣି ହତ୍ୟା କରିଛନ୍ତି। କ୍ୟାପିଟାଲ ଥାନା ସମ୍ମୁଖରେ ଘଟିଥିବା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ଗୌତମନଗର ଅଞ୍ଚଳର ପୁଲିସ ମିତ୍ର ପି ରାମାରାଓ(୨୬)। ଥାନା ନିକଟରେ ଜଣେ ପୁଲିସ ମିତ୍ରଙ୍କୁ ସର୍ବସାଧାରଣରେ ହତ୍ୟା କରି ଅପରାଧୀମାନେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଅଥଚ ପୁଲିସ ଏହାକୁ ଏକ ଦୁର୍ଘଟଣା ବୋଲି କହି ମାମଲାକୁ ଚାପିଦେବାକୁ ଉଦ୍ୟମ କରୁଛି ବୋଲି ମୃତକଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ୟୁନିଟ୍‌-୨ ମାର୍କେଟ୍‌ ସମ୍ମୁଖ ଜନଗହଳିପୂର୍ଣ୍ଣ ରାସ୍ତାରେ ଦୁର୍ବୃତ୍ତମାନଙ୍କ ଏହି ଜଘନ୍ୟ ହତ୍ୟାକାଣ୍ଡ ଆଜି ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଖୋଦ୍ ପୁଲିସ ମିତ୍ର ବିଚ୍ ରାସ୍ତାରେ ହତ୍ୟାର ଶିକାର ହେଉଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

ସୂଚନା ମୁତାବକ, ଗୁରୁବାର ରାତି ପାଖାପାଖି ୮ଟା ସମୟରେ ରାମାରାଓ ତାଙ୍କ ପୁଅକୁ ଟ୍ୟୁସନରୁ ଆଣିବା ପାଇଁ ବାଇକ୍‌ ଯୋଗେ ୟୁନିଟ୍‌-୨ ଯାଇଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ। ୟୁନିଟ୍‌-୨ ମାର୍କେଟ୍‌ ସମ୍ମୁଖ ମୁଖ୍ୟରାସ୍ତା ଅର୍ଥାତ କ୍ୟାପିଟାଲ୍‌ ଥାନା ଠାରୁ ମାତ୍ର ୧୦ ମିଟର ଦୂରରେ ଦୁର୍ବୃତ୍ତମାନେ ଅଚାନକ ଆକ୍ରମଣ କରିଥିଲେ। ରାମାରାଓ ଖସିପଳାଇବା ପାଇଁ ଉଦ୍ୟମ କରିଥିଲେ ବି ଦୁର୍ବୃତ୍ତଙ୍କ କବଳରୁ ବର୍ତ୍ତିପାରିନଥିଲେ। ତାଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ହୋଇ ସେ ତଳେ ପଡ଼ିଯାଇଥିଲେ। ଆଖପାଖରେ ଥିବା ଲୋକ ଧାଇଁଆସିବା ପରେ ଦୁର୍ବୃତ୍ତ ସେଠାରୁ ଫେରାର୍‌ ହୋଇଯାଇଥିଲେ। ଖବର ପାଇ କ୍ୟାପିଟାଲ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ରାମାରାଓଙ୍କୁ ଉଦ୍ଧାର କରି ପ୍ରଥମ‌େ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନେଇଥିଲା। ହେଲେ ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ପରେ ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ରାମାରାଓଙ୍କ ବଡ଼ ଭଉଣୀ ଆଶା ମାଳି କ୍ୟାପିଟାଲ୍‌ ଥାନାରେ ହତ୍ୟା ଅଭି‌ଯୋଗ କରିଛନ୍ତି। ତେବ‌େ ରାମାରାଓଙ୍କ ଅଣ୍ଟାରେ ଏକ ମାରଣାସ୍ତ୍ର ଥିବା ଫଟୋରୁ ଜଣାପଡ଼ିଛି।

ଅନ୍ୟପଟେ ଆଇଆଇସି ଗିରିଜା ଚକ୍ରବର୍ତ୍ତୀ କହିଛନ୍ତି ଯେ ଦୁର୍ଘଟଣା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି। ପେଟ୍ରୋଲ୍‌ ଟାଙ୍କିକୁ ଯାଉଥିଲେ। କୌଣସି ଜଣେ ବ୍ୟକ୍ତିକୁ ଧକ୍କା ଦେଇ ସେ ପଳାଇବା ବେଳେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ। ପ୍ରଥମେ ତାଙ୍କର ପରିଚୟ ମିଳିନଥିଲା।

ସୂଚନାଯୋଗ୍ୟ ଯେ ଗତ ଜୁନ୍‌ ୪ ତାରିଖ ଦିନ ରାଜମହଲ ଛକ ନିକଟ ଫାଳିକିଆ ବସ୍ତି ଓ ଗୌତମନଗର ବସ୍ତିର ବାସିନ୍ଦାଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ରାମାରାଓ ବସ୍ତି ମିତ୍ର ଥିବାରୁ ସେ ବସ୍ତିରେ ରହୁଥିବା ନିଶା ବ୍ୟବସାୟୀଙ୍କୁ ଚିହ୍ନଟ କରି ପୁଲିସକୁ ଜଣାଉଥିଲେ। ଯାକହୁ ନେଇ ତିକ୍ତତା ବଢ଼ି ଗୋଷ୍ଠୀ ସଂଘର୍ଷ ରୂପନେଇଥିଲା। ଫାଳିକିଆ ବସ୍ତିର ପ୍ରାୟ ୩୦ରୁ ୪୦ଜଣ ମହିଳା ଓ ପୁରୁଷ ଖଣ୍ଡା, ଭୁଜାଲି, ଲୁହାରଡ୍‌ ଭଳି ମାରଣାସ୍ତ୍ର ଧରି ଗୌତମନଗର ବସ୍ତିରେ ପଶି ଆକ୍ରମଣ କରିଥିଲେ। ସେମାନଙ୍କ ଖଣ୍ଡା ଚୋଟରେ ରାମା ରାଓ, ପି. ନରସିଂହ ରାଓ ଓ ପ୍ରକାଶ କୁମାର ମାଳି ଗୁରୁତର ହୋଇଥିବା ହୋଇଥିଲେ। ଏନେଇ ବଡ଼ଗଡ଼ ଥାନାରେ ଦୁଇ ଗୋଷ୍ଠୀ ପକ୍ଷରୁ ମାମଲା ହୋଇଥିଲା। ପୁଲିସ କୌଣସି ପଦକ୍ଷେପ ନନେବାରୁ ଦୁଇଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗିରହିଥିଲା।

ସମ୍ବନ୍ଧିତ ଖବର