ଡେଲାଙ୍ଗ/ ବଳଙ୍ଗା: ଆଗକୁ ଦୀପାବଳି ଆସୁଥିବାରୁ ବାଣ ବିକ୍ରି ଓ ପ୍ରସ୍ତୁତି ଉପରେ ପ୍ରଶାସନ ନଜର ରଖିଛି। ଏ ନେଇ ପୁଲିସ ଜୋରଦାର ଯାଞ୍ଚ ଚଳାଇଥିବାବେଳେ ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗ ଓ ବଳଙ୍ଗା ଅଞ୍ଚଳରୁ ପୁଲିସ ବିପୁଳ ବାଣ ଜବତ କରିଛି। ଡେଲାଙ୍ଗ ଥାନା ପୁଲିସ ଆଜି ଚଢ଼ାଉ କରି ୨୦ ଲକ୍ଷ ଟଙ୍କାର ବାଣ ଜବତ କରିଥିବାବେଳେ ଜଣକୁ ଗିରଫ କରିଛି। ସେହିପରି ବଳଙ୍ଗାରେ ବେଆଇନ ବାଣ ପ୍ରସ୍ତୁତ କରିବା ଅଭିଯୋଗରେ ଜଣକୁ ଗିରଫ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଦେଲଙ୍ଗ ଥାନା ଅଧିକାରୀ ଦେବାଶିଷ ମହାନ୍ତି, ହରିରାଜପୁର ଫାଣ୍ଡି ଅଧିକାରୀ ଗଦାଧର ନାୟକ, କନେଷ୍ଟବଳ ଜିତେନ୍ଦ୍ର ସ୍ବାଇଁ, ଗୃହରକ୍ଷୀ ପ୍ରମୋଦ ସେଠୀ ପ୍ରମୁଖ ପାଟ୍ରୋଲିଙ୍ଗ କରୁଥିବା ବେଳେ ହରିରାଜପୁର ନିକଟ ମାନପୁର ଗ୍ରାମରେ ବେଆଇନ ଭାବେ ବାଣ ଗଚ୍ଛିତ ଥିବା ଖବର ଜାଣିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଏହି ଟିମ୍ ବାଣ ଗଚ୍ଛିତ ଥିବା ଘର ଉପରେ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ବିଭିନ୍ନ ପ୍ରକାରର ୬୧ ପେଟି ବାଣ ଜବତ କରାଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ପାଖାପାଖି ୨୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଅନୁମାନ କରିଛି। ଘଟଣାସ୍ଥଳରୁ ବାଣ ବିକ୍ରେତା ଶ୍ରୀତମ ହରିଚନ୍ଦନ (୨୮)ଙ୍କୁ ପୁଲିସ ଗିରଫ କରିଛି। ଏନେଇ ଡେଲାଙ୍ଗ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଡେଲାଙ୍ଗ ଥାନା ଅଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।
ସେହିପରି ବେଆଇନ ଭାବେ ବାଣ ପ୍ରସ୍ତୁତ କରୁଥିବା ଅଭିଯୋଗରେ ଗତ ରାତିରେ ବଳଙ୍ଗା ପୁଲିସ ପକ୍ଷରୁ ଦୁଇଟି ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ବାଣ ଜବତ କରାଯିବା ସହ ଜଣକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ କାଳିଆପଦା ଗ୍ରାମର ଅର୍ଜୁନ ବେହେରା (୬୨) ବୋଲି ଜଣାପଡିଛି। ପ୍ରକାଶ ଯେ ବଳଙ୍ଗା ଥାନା ଅନ୍ତର୍ଗତ କାଳିଆପଦା ଓ ବେରବୋଇ ଗ୍ରାମରେ ବେଆଇନ ଭାବେ ବାଣ ପ୍ରସ୍ତୁତ ହେଉଥିବା ସୂଚନା ମିଳିଥିଲା। ସୂଚନା ଆଧାରରେ ବଳଙ୍ଗା ଥାନା ଏଏସ୍ଆଇ ସୁପ୍ତଭା ମଞ୍ଜରୀ ସାହୁ ଓ ପ୍ରଶାନ୍ତ ବେହେରାଙ୍କ ନେତୃତ୍ବରେ ପୁଲିସ ଟିମ୍ ପ୍ରଥମେ ବେରବୋଇ ଗ୍ରାମର କାଳିନ୍ଦୀ ଚରଣ ଦାସଙ୍କ ଘରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ୧୪ଶହ ତାଳଫୋଟକା ବାଣ ଜବତ ହୋଇଥିବା ବେଳେ ଅଭିଯୁକ୍ତ କାଳନ୍ଦୀ ସେଠାରୁ ଖସି ପଳାଇଥିଲା। ପରେ ପୁଲିସ ଟିମ୍ କାଳିଆପଦା ଗ୍ରମରେ ଚଢ଼ାଉ କରି ଅର୍ଜୁନର ଘରୁ ୩ ହଜାର ତାଳ ଫୋଟକା ଜବତ କରିବା ସହ ଅର୍ଜୁନକୁ ଗିରଫ କରିଥିଲା। ଏ ନେଇ ବଳଙ୍ଗା ଥାନାରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଦିବ୍ୟରଞ୍ଜନ ପଣ୍ଡା କହିଛନ୍ତି।
ନିଷ୍କ୍ରିୟ କରାଗଲାନି, ବିପଦ ଆଶଙ୍କା
ବଳଙ୍ଗା ଥାନା ପକ୍ଷରୁ ଦୁଇଟି ଜାଗାରେ ଆଜି ଚଢ଼ଉ କରାଯାଇ ବିପୂଳ ପରିମାଣର ବାଣ ଜବତ କରାଯାଇଥିବାବେଳେ ସେଗୁଡ଼ିକୁ ବଳଙ୍ଗା ଥାନାରେ ରଖାଯାଇଛି। ତେବେ ବାଣଗୁଡ଼ିକୁ ନିଷ୍କ୍ରିୟ କରା ନଯାଇ ଏଭଳି ରଖାଯିବା ବଡ଼ ବିପଦକୁ ଆମନ୍ତ୍ରଣ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହା ଦ୍ବାରା ଯେକୌଣସି ସମୟରେ ଗଚ୍ଛିତ ଥିବା ବାଣ ବିସ୍ଫୋରଣ ଘଟି ଧନଜୀବନ ହାନୀର ଆଶଙ୍କା ରହିଛି। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଏହି ଥାନାରେ ବାଣ ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇ ଥାନାରେ ରଖାଯାଇଥିଲା। ଫଳରେ ଦୁଇ ବର୍ଷ ତଳେ ପିପିଲି ଉପନିର୍ବାଚନ ପରଦିନ ବିସ୍ଫୋରଣ ଘଟି ବଳଙ୍ଗା ଥାନା ଛାତ ଉଡ଼ିଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/fshsfhfhfhfhs.jpg)