ଛତ୍ରପୁର: ଗଞ୍ଜାମ ପୁଲିସର ସ୍ବତନ୍ତ୍ର ଅପରେସନ୍‌ରେ ଜିଲ୍ଲାର ପୋଲସରା, ଆସିକା, କୋଟିନଡ଼ା ଓ ହିଞ୍ଜିଳି ଥାନା ଇଲାକାରୁ ପୁଣି ୨୦ ଜଣ ଦାଗୀ ଜାଲରେ ପଡ଼ିଛନ୍ତି। ଜିଲ୍ଲାକୁ ଅପରାଧମୁକ୍ତ ଓ ବନ୍ଧୁକରାଜ୍‌ ରୋକିବା ଲାଗି ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନେତୃତ୍ବରେ ଗଠିତ ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଅପରେସନ୍‌କୁ ଜୋର୍‌ଦାର କରିଏହି ସଫଳତା ପାଇଛନ୍ତି। ଏମାନେ ବଡ଼ ଧରଣର ଅପରାଧ ଯୋଜନାରେ ଥିଲେ ବୋଲି ପୁଲିସ କହିଛି। ସେମାନଙ୍କଠୁ ୮ଟି ବନ୍ଧୁକ, ୩୧ଟି ଗୁଳି ଓ ୧୨ଟି ମାଗାଜିନ୍ ଜବତ ହୋଇଥିବା ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହାପୂର୍ବରୁ ପୁଲିସ ସ୍ବତନ୍ତ୍ର ଅପରେସନ୍‌ରେ ଗତ ୪ ତାରିଖରେ ୧୮ ଦାଗୀ ଗିରଫ ହୋଇଥିବା ବେଳେ ୧୭ଟି ବନ୍ଧୁକ ଓ ୬୬ଟି ଗୁଳି ଜବତ ହୋଇଥିଲା। 

Advertisment

୩୧ ଗୁଳି, ୧୨ ମାଗାଜିନ୍ ମଧ୍ୟ ଉଦ୍ଧାର
ବଡ଼ ଅପରାଧ ଯୋଜନାରେ ଥିଲେ 
ଗିରଫଙ୍କ ମଧ୍ୟରେ ଜଣେ ସୁରତରେ ମୋଷ୍ଟ୍ ୱାଣ୍ଟେଡ୍

ଆଜି ଛତ୍ରପୁରସ୍ଥିତ ଗଞ୍ଜାମ ପୁଲିସ ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇଜି ଶ୍ରୀ ଶେଖର କହିଛନ୍ତି, ଦ୍ବିତୀୟ ପର୍ଯ୍ୟାୟରେ ଗିରଫ ହୋଇଥିବା ଦାଗୀମାନେ ଏକାଧିକ ସଂଗିନ ମାମଲାରେ ଜଡ଼ିତ। ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ଜିଲ୍ଲା ଅଧୀନ ବିଭିନ୍ନ ଥାନାରେ ସେମାନଙ୍କ ନାମରେ ମାମଲା ରହିଛି। ଜଣେ ଦାଗୀ ସୁରତରେ ମୋଷ୍ଟ୍ ୱାଣ୍ଟେଡ୍ ତାଲିକାରେ। ସେମାନଙ୍କଠାରୁ ଜବତ ବନ୍ଧୁକ ଓ ଗୁଳିଗୁଡ଼ିକର ସାମଞ୍ଜସ୍ୟ ବିହାରର ମୁଙ୍ଗେର ପ୍ରସ୍ତୁତ ବନ୍ଧୁକ ଭଳି। କୋଟିନଡ଼ା ଥାନା ଇଲାକାରୁ ଗିରଫ ୮ ଦାଗୀ ବଡ଼ଧରଣର ଅପରାଧ ପାଇଁ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରୁଥିବା ବେଳେ ଆସିକା ଥାନା ଇଲାକାରୁ ଗିରଫ ୫ ଜଣ ଦାଗୀ ଡକାୟତି ପାଇଁ ଉଦ୍ୟମ କରୁଥିଲେ। ପୋଲସରା ଥାନା ଇଲାକାରୁ ଗିରଫ ୨ ଜଣ ଦାଗୀଙ୍କ ମଧ୍ୟରୁ ଜଣେ ମୋଷ୍ଟ୍ ୱାଣ୍ଟେଡ୍ ହୋଇଥିବା ବେଳେ ଆଉ ଜଣେ ଦାଗୀ ପାଖରେ ବନ୍ଧୁକ ଥିବା ସୂଚନା ମିଳିବା ପରେ ପୁଲିସ ଟିମ୍ ତାକୁ କାବୁ କରିଥିଲା। ଦୁଇଟି ପର୍ଯ୍ୟାୟରେ ଗିରଫ ହୋଇଥିବା ମୋଟ ୩୮ ଜଣ ଦାଗୀଙ୍କ ସହ ବାହାର ରାଜ୍ୟ ଗ୍ୟାଙ୍ଗ୍‌ର ଲିଙ୍କ୍‌ ନେଇ ଖୋଳତାଡ଼ କରିବାକୁ ଆଉ ଏକ ଟିମ୍ ଗଠିତ ହୋଇଛି। ଦାଗୀଙ୍କୁ ଦମନ ଲାଗି ସ୍ବତନ୍ତ୍ର ଟିମ୍‌ର ଏହି ଅଭିଯାନ ଜାରି ରହିବ। ସ୍କାନର୍‌ରେ ବହୁ ଦାଗୀ ରହିଛନ୍ତି ବୋଲି ଆଇଜି ଶ୍ରୀ ଶେଖର କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର, ଅତିରିକ୍ତ ଏସ୍‌ପି ରଞ୍ଜିତ କୁମାର ପୃଷ୍ଟି, ଆସିକା ଏସ୍‌ଡିପିଓ ସନ୍ତୋଷ କୁମାର ଜେନା, ଆସିକା ଥାନାଧିକାରୀ କୁଳମଣି ସେଠୀ, ପୋଲସରା ଥାନାଧିକାରୀ କୌଶିକ ମାଝୀ, କୋଟିନଡ଼ା ଥାନାଧିକାରୀ ଦାମୋଦର ବିହାରି ଓ ହିଞ୍ଜିଳି ଥାନାଧିକାରୀ ଶ୍ରୀନିବାସ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। କୋଟିନଡ଼ା ଥାନା ଇଲାକାରୁ ପିଣ୍ଟୁ ବେହେରା, ରାମଚନ୍ଦ୍ର ଗୌଡ଼, ପିଣ୍ଟୁ ଓରଫ ପଣ୍ଡା ଗୌଡ଼, ରାଜୁ ଜେନା, ସନ୍ତୋଷ କୁମାର ବେହେରା, ଗଣେଶ ନାହାକ, ରାଜେଶ ମହାରଣା ଓ  ପପୁ ଓରଫ ପ୍ରତାପ କୁମାର ଜେନା ଗିରଫ ହୋଇଛନ୍ତି। ସେହିପରି ଆସିକା ଥାନା ଇଲାକାରୁ କାଳିଆ ଓରଫ ଘନଶ୍ୟାମ ବେହେରା, ଦୀପକ ପୃଷ୍ଟି, ଅଜିତ ପଲେଇ, ଟୁକୁନା ବାରିକ, ଶିବପ୍ରସାଦ ଦାସ, ହିଞ୍ଜିଳି ଥାନା ଇଲାକାରୁ ଚିଂଟୁ ଦାସ, ହୀନ ସାମଲ, ରାଜା ଗୌଡ଼, ରାକେଶ ମହାପାତ୍ର ଓ ଗୋବିନ୍ଦ ବେହେରା ଏବଂ ପୋଲସରା ଥାନା ଇଲାକାରୁ ମାଲିଙ୍ଗା ଓରଫ କୃଷ୍ଣଚନ୍ଦ୍ର ବେହେରା ଏବଂ ଧୋବାସାହିର ରାଜା ସେଠୀ ଗିରଫ ହୋଇଥିବା ସୂଚନା ମିଳିଛି।