ପୁଲିସ ସହ ମୁହାଁମୁହିଁ, ୪ ନକ୍ସଲ ନିହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକମା ଜିଲ୍ଲାରେ ଆଜି ପୁଣି ପୁଲିସ ସହ ମୁହାଁମୁହିଁ ହୋଇଥିଲେ ନକ୍ସଲ। ଉଭୟପଟୁ ବହୁ ସମୟ ଧରି ଗୁଳି ବିନିମୟ ହୋଇଥିବାବେଳେ ୪ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ସେହିପରି କୋଣ୍ଡାଗାଁଓ ଅଞ୍ଚଳରେ ମାଓବାଦୀ ଲୁଚାଇ ରଖିଥିବା ବିପୁଳ ସାମଗ୍ରୀକୁ ପୁଲିସ ଆଜି ଜବତ କରିଛି। ଉଭୟ ଘଟଣା ପରେ ନିର୍ବାଚନ ଭଣ୍ଡୁର ‌କରିବାକୁ ମାଓବାଦୀ ଅଧିକ ସକ୍ରିୟ ହୋଇଥିବା ସ୍ପଷ୍ଟ ହୋଇଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳେ ଜିଲ୍ଲା ପୁଲିସ ଓ ୨୦୧ କୋବ୍ରା ବାଟାଲିୟନର ଯବାନ କମ୍ବିଂ ଅପରେସନରେ ବାହାରିଥିଲେ। ଜଂଗରଗୁଣ୍ଡା ଜଙ୍ଗଲରେ ଶିବିର କରିଥିବା ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ ଯବାନ। ଉଭୟ ପଟୁ ବହୁ ସମୟ ଧରି ଗୁଳି ଫୁଟିବା ପରେ ଗଳା ବାଟ ଦେଇ ନକ୍ସଲ ଖସି ଯାଇଥିଲେ। ଘଟଣା ସ୍ଥଳରେ ସର୍ଚ ଅପରେସନ ସମୟରେ ୪ଜଣ ନକ୍ସଲଙ୍କ ଶବ ମିଳିଥିଲା। ସେହିପରି ଗୋଟିଏ ୩୦୩ ଏବଂ ୨ଟି ଇନସାସ ରାଇଫଲ ଜବତ କରାଯାଇଛି। ଏହି ଗୁଳି ବିନିମୟରେ ୧୨ରୁ ଊର୍ଦ୍ଧ୍ବ ନକ୍ସଲ ଆହତ ହୋଇଥିବା କୁହାଯାଉଛି। ତେଣୁ ଶେଷ ଖବର ସୁଦ୍ଧା ସର୍ଚ ଅପରେସନ ଜାରି ରହିଛି। ଅନ୍ୟପଟେ କୋଣ୍ଡାଗାଁଓ ଜିଲ୍ଲା ଅନ୍ତର୍ଗତ ମର୍ଦାପାଲ ଅଂଚଳରେ ନକ୍ସଲ ଲୁଚାଇ ରଖିଥିବା ସାମଗ୍ରୀକୁ ପୁଲିସ ଜବତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର