ମମିତା ମାଗୁଛି ନ୍ୟାୟ: କଣ୍ଟ ପୂରିବ, ଚାର୍ଜସିଟ ଦେଇନି ପୁଲିସ

ସେକ୍ସ ସ୍କାଣ୍ଡାଲ ତଦନ୍ତ କେତେଦୂର?

ବଲାଙ୍ଗୀର: ଅକ୍ଟୋବର ୮ ତାରିଖ ୨୦୨୧ରେ ଘଟିଥିଲା ମମିତା ହତ୍ୟାକାଣ୍ଡ। ସାରା ରାଜ୍ୟ ହୁଲସ୍ତୁଲ ହୋଇଥିଲା। ରାଜରାସ୍ତାକୁ ଓହ୍ଲାଇଥିଲେ ବିରୋଧୀ। ଏହାରି ଭିତରେ ମମିତା ହତ୍ୟା ମାମଲାର ଚାରି ମାସ ପୂରିଛି। ଆଉ ଏହି ପ୍ରସଙ୍ଗରେ ପୁଣି ଥରେ ଗର୍ଜିଛନ୍ତି ବିରୋଧୀ। କାରଣ ବଲାଙ୍ଗୀର ପୁଲିସ ଆଜି ଯାଏ ଚାର୍ଜସିଟ ଦାଖଲ କରିନି। ଏପରିକି ପ୍ରାଥମିକ ଚାର୍ଜସିଟ ମଧ୍ୟ ଏଯାଏ ପୁଲିସ ଦେଇନି। ଆଇନ ଅନୁସାରେ ଆସନ୍ତା ୧୫ ତାରିଖ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ କୋର୍ଟ ଚାଲାଣ କରିବାର ୧୨୦ ଦିନ ପୂରିବ। ସେହି ସମୟ ଭିତରେ ପୁଲିସ ଚାର୍ଜସିଟ ଦାଖଲ କରିବ। ହାତଗଣତି ଆଉ ୬ ଦିନ ଭିତରେ ଚାର୍ଜସିଟ ଦାଖଲ ନକଲେ ମୁଖ୍ୟ ଅଭିଯୁକ୍ତକୁ ଜାମିନ ମିଳିବାର ଯଥେଷ୍ଟ ସମ୍ଭାବନା ଥିବା ଆଇନଜ୍ଞ କହୁଛନ୍ତି। ହେଲେ କଣ ପାଇଁ କଣ୍ଟ ପୂରିବା ଯାଏ ଅପେକ୍ଷା କରିଛି ବଲାଙ୍ଗୀର ପୁଲିସ? ମମିତା ମାମଲାକୁ ଚାରି ମାସ ପୂରିବା ପରେ ପୁଣି ଥରେ ତାଜା ହୋଇଛି ମମିତା ମର୍ଡର ମିଷ୍ଟ୍ରି।

ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଓକିଲ ମୋହନଲାଲ ଶର୍ମାଙ୍କ କହିବା କଥା, ଚାର୍ଜସିଟ ଦାଖଲ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ନାହିଁ। କିନ୍ତୁ ୧୨୦ ଦିନ ଭିତରେ ଚାର୍ଜସିଟ ଦାଖଲ ନକଲେ ମାମଲା ଆମ ସପକ୍ଷରେ ଯିବ ବୋଲି ସେ କହିଛନ୍ତି। ସେହିପରି ବରିଷ୍ଠ ଓକିଲ ପ୍ରମୋଦ ମିଶ୍ର କହିଛନ୍ତି, ସିଆର୍‌ପିସି ଅନୁଯାୟୀ ୧୨୦ ଦିନ ଭିତରେ ପ୍ରାଥମିକ ଚାର୍ଜସିଟ ଦାଖଲ କରି, ଫାଇନାଲ ଚାର୍ଜସିଟ ପାଇଁ ସମୟ ନେଇପାରିବ ପୁଲିସ। ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ହାଇକୋର୍ଟରେ ଜାମିନ ପାଇଁ ଗତ ୬ ତାରିଖ ଅବେଦନ କରିଛି। ତିନି ସପ୍ତାହ ପରେ ଜାମିନ ଆବେଦନ ଶୁଣାଣି ହେବା ପାଇଁ ହାଇକୋର୍ଟ ତାଲିକାରେ ଅର୍ନ୍ତଭୁକ୍ତ ହୋଇଥିବା ସୂଚନା ମିଳିଛି।

ଏ ନେଇ ବଲାଙ୍ଗୀର ଏସ୍‌ପି ନିତିନ କୁଶଳକରଙ୍କୁ ପଚାରିବାରୁ ୧୫ ତାରିଖ ୧୨୦ ଦିନ ପୂରିବ। ପୁଲିସ ଠିକ ସମୟରେ ଚାର୍ଜସିଟ ଦାଖଲ କରିବ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି।  ମମିତା ମାମଲାରେ ପୁଲିସ ତଦନ୍ତରେ ବିଶେଷ ତତ୍ପରତା ପ୍ରକାଶ ପାଇବା ଭଳି ମନେ ହେଉନି। କାରଣ ମମିତା ହତ୍ୟାକାଣ୍ଡ ପଛର କାହାଣୀରେ ସେକ୍ସ ସ୍କାଣ୍ଡଲର ସଂପୃକ୍ତି ଥିବା ନେଇ ସେତେବେଳେ ପୁଲିସ ବି ମାନିଥିଲା। ଏପରିକି ଅଭିଯୁକ୍ତ ଗୋବିନ୍ଦ ସାହୁର କୋର୍ଟଚାଲାଣ ରିପୋର୍ଟରେ, ସେକ୍ସ ସ୍କାଣ୍ଡାଲ କଥା ପୁଲିସ ଉଲ୍ଲେଖ କରିଥିଲା। କିନ୍ତୁ ସେ ସଂର୍ପକରେ ଆଜିଯାଏ ତଦନ୍ତ ହୋଇନି। ଏପରିକି ବହୁଚର୍ଚ୍ଚିତ ପେନଡ୍ରାଇଭ କିଂବା ମମିତା ବ୍ୟବହାର କରୁଥିବା ମୋବାଇଲକୁ ଆଜିଯାଏ ପୁଲିସ ଉଦ୍ଧାର କରିନି। କାରଣ ପେନଡ୍ରାଇଭରେ ଅନେକ ବଡ଼ବଡ଼ିଆଙ୍କ କଳାକାରନାମାର ଲାଇଭ୍‌ ଚିତ୍ର ଥିବା ସେତେବେଳେ ଅଭିଯୋଗ କରିଥିଲେ ମୃତ ମମିତାଙ୍କ ବାପା, ମା’। ତଦନ୍ତ ମଝିରେ ମୁହଁ ବନ୍ଦ କରିଥିବା ପରିବାର ଲୋକେ ଏବେ ପୁଣିଥରେ ମୁହଁ ଖୋଲିବା ଆରମ୍ଭ କଲେଣି।

ମମିତାଙ୍କ ବଡ଼ବାପା କୌଶିକ ମେହେର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମୋ ଝିଆରୀ ମମିତାଙ୍କୁ ଯେପରି ନିର୍ମମ ଭାବରେ ହତ୍ୟା କରାଗଲା, ଆଜିଯାଏ ନ୍ୟାୟ ମିଳିନି। ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇ ଜେଲରେ ଅଛି ସତ। କିନ୍ତୁ ବଡ଼ବଡ଼ିଆ ଆଜିଯାଏ ଧରାପଡ଼ିନାହାନ୍ତି। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିରୋଧରେ ଆଜିଯାଏ ପୁଲିସ ପ୍ରମାଣ ଯୋଗାଡ଼ କରିପାରିନି। ପୁଲିସ ଉପରେ ଭରସା କରିଛୁ। କିନ୍ତୁ ଆଜିଯାଏ ସଂପୃକ୍ତ ପେନଡ୍ରାଇଭ ଓ ମୋବାଇଲ କାହିଁକି ଉଦ୍ଧାର କରିପାରିନି ବଲାଙ୍ଗୀର ପୁଲିସ ବୋଲି ପ୍ରଶ୍ନ କରିଛନ୍ତି। ଅପେକ୍ଷା କରିଛୁ କେବେ ପୁଲିସ ଏସବୁ ବାହାର କରିବ। କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ପୁଲିସର ହୁଗୁଳାପଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ହତ୍ୟାକାଣ୍ଡର ଚାରିମାସ ପୂରି ଯାଇଥିଲେ ବି ପୁଲିସ ଚାର୍ଜସିଟ ଦେଇନାହିଁ। ଏପରିକି ବହୁଚର୍ଚ୍ଚିତ ସେକ୍ସ ସ୍କାଣ୍ଡାଲ ସଂର୍ପକରେ ତଦନ୍ତ କରିନାହିଁ। ଆଉ କେହି କେହି ସଂପୃକ୍ତି ଥିଲେ ତାର ମଧ୍ୟ ତଦନ୍ତ ହୋଇନାହିଁ। ମନ୍ତ୍ରୀଙ୍କୁ ଛୁଟ୍‌ ଦିଆଗଲା। ମମିତାଙ୍କୁ କେମିତି ନ୍ୟାୟ ମିଳିବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ଚାରି ମାସର ଘଟଣାକ୍ରମ

ଅକ୍ଟୋବର ୮ ତାରିଖ ମମିତା ନିଖୋଜ।
ଅକ୍ଟୋବର ୧୩ ତାରିଖ ସିନ୍ଧେକେଲା ଥାନାରେ ଅଭିଯୋଗ ଦାଖଲ।
ଅକ୍ଟୋବର ୧୫ ତାରିଖ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ।
ଅକ୍ଟୋବର ୧୭ ତାରିଖ ଟିଟିଲାଗଡ଼ ପୁଲିସ ବାରାକରୁ ଗୋବିନ୍ଦ ସାହୁ ଫେରାର।
ଅକ୍ଟୋବର ୧୯ ତାରିଖ ମହାଲିଙ୍ଗ ଷ୍ଟାଡିୟମ ଭିତରୁ ମମିତାର ଅର୍ଦ୍ଧଦଗ୍ଧ ଶବ ଜବତ ଓ ସେହିଦିନ ସଂଧ୍ୟାରେ ଆଖୁବାଡ଼ିରୁ ଗୋବିନ୍ଦ ଗିରଫ।
ଅକ୍ଟୋବର ୨୦ ତାରିଖ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦକୁ କୋର୍ଟଚାଲାଣ।

ସମ୍ବନ୍ଧିତ ଖବର