ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ପୁଲିସର ନୋଟିସ୍‌

ନିଜ ଭୁଲ୍‌ ପାଇଁ ଭିଡିଓ ବାର୍ତ୍ତାରେ କ୍ଷମା ମାଗିଲେ

ପୁରୀ : କୋଭିଡ୍‌ ନିୟମ ଉଲ୍ଲଘଂନ ଅଭିଯୋଗରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ପୁରୀର ସମୁଦ୍ରକୂଳ ଥାନା ପୁଲିସ ନୋଟିସ୍‌ ଦେଇଛନ୍ତି। ବିଧାୟକଙ୍କ କୋଭିଡ୍‌ ପରୀକ୍ଷା ରିପୋର୍ଟ ହସ୍ତଗତ ହେବାପରେ ପୁଲିସ୍‌ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ, ବିଧାୟକ ଶ୍ରୀ ସାମନ୍ତରାୟ ଏକ ଭିଡିଓ ବାର୍ତ୍ତାରେ କ୍ଷମା ପ୍ରାର୍ଥନା କରିବା ସହିତ ସ୍ବର୍ଗଦ୍ବାରକୁ ଯିବା ତାଙ୍କର ସମ୍ପୂର୍ଣ୍ଣ ଭୁଲ୍‌ ଥିଲା ବୋଲି କହିଛନ୍ତି। ବିଧାୟକ ଶ୍ରୀ ସାମନ୍ତରାୟ କରୋନାରେ ସଂକ୍ରମିତ ଥାଇ ମଧ୍ୟ ଗତ ୫ ତାରିଖ ଦିନ ସ୍ବର୍ଗଦ୍ବାରଠାରେ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦେଇଥିଲେ। କୋଭିଡ୍‌ ନିୟମ ଅନୁସାରେ ସେ ଗତ ୨୭ ତାରିଖଠାରୁ ସଙ୍ଗରୋଧରେ ଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଶ୍ରୀଜଗନ୍ନାଥ ସେନା ଓ ବିଜେପି ପକ୍ଷରୁ ସମୁଦ୍ରକୂଳ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ସମୁଦ୍ରକୂଳ ଥାନା ପୁଲିସ ଷ୍ଟେସନ ଡାଏରି କରିବା ପରେ ବିଧାୟକ ଶ୍ରୀ ସାମନ୍ତରାୟଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର ସତ୍ୟାସତ୍ୟ ନେଇ ତଦନ୍ତ ଆରମ୍ଭ କରିଥିଲା।

ମିଳିଥିବା ସୂଚନା ଅନୁସାରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଠାରୁ ପୁଲିସ ବିଧାୟକ ଶ୍ରୀ ସାମନ୍ତରାୟଙ୍କ କୋଭିଡ଼ ପରୀକ୍ଷା ରିପୋର୍ଟ ମଗାଇଥିଲା। ଏହି ରିପୋର୍ଟ ହସ୍ତଗତ ହେବା ପରେ ପୁଲିସ କୋଭିଡ଼ ନିୟମାବଳୀକୁ ତର୍ଜମା କରିବା ପରେ ଶ୍ରୀ ସାମନ୍ତରାୟ କୋଭିଡ଼ ନିୟମ ଉଲ୍ଲଂଘନ କରିଥିବା ଜଣାପଡ଼ିଥିଲା। ତେଣୁ ଗତକାଲି ସମୁଦ୍ରକୂଳ ଥାନାର ଏସ୍‌ଆଇ ରମାକାନ୍ତ ଜେନା ବିଧାୟକ ଶ୍ରୀ ସାମନ୍ତରାୟଙ୍କ ବିରୁଦ୍ଧରେ ସମୁଦ୍ରକୂଳ ଥାନାରେ ଏକ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଆଇଆଇସି ବିଚିତ୍ରାନନ୍ଦ ସେଠୀ ୧୬୧/୨୦ ନମ୍ବରରେ ଏକ ମାମଲା ରୁଜୁ କରି ଏସ୍ଆଇ ବିଦ୍ୟାଧର ଭୋଳଙ୍କୁ ତଦନ୍ତ ଦାୟିତ୍ବ ଦେଇଥିଲେ।

କୋଭିଡ଼ କଟକଣା ଉଲ୍ଲଂଘନ କଲେ ଏହାର ଦଣ୍ଡ ଦୁଇ ବର୍ଷରୁ କମ୍‌ ହୋଇଥିବାରୁ ତଦନ୍ତକାରୀ ଅଧିକାରୀ ଶ୍ରୀ ଭୋଳ ଏହି ମାମଲାର ପ୍ରାଥମିକ ତଦନ୍ତରେ ବିଧାୟକ ଶ୍ରୀ ସାମନ୍ତରାୟଙ୍କୁ ୪୧ ସିଆର୍‌ପିସିରେ ନୋଟିସ ଦେଇଛନ୍ତି। ବିଧାୟକ ଶ୍ରୀ ସାମନ୍ତରାୟ ଏବେ ଭୁବନେଶ୍ବରସ୍ଥିତ ସରକାରୀ କ୍ବାର୍ଟର୍ସରେ ଗୃହ ସଙ୍ଗରୋଧରେ ରହିଥିବାରୁ ତଦନ୍ତକାରୀ ଅଧିକାରୀ ଏଠାକୁ ଆସି ନୋଟିସ୍‌ ଦେଇ ଫେରିଯାଇଛନ୍ତି।

ଅନ୍ୟପଟେ ଉକ୍ତ ଘଟଣାକୁ ନେଇ ଶ୍ରୀ ସାମନ୍ତରାୟ ଆଜି ଏକ ଭିଡିଓ ବାର୍ତ୍ତାରେ କ୍ଷମାପ୍ରାର୍ଥନା କରିଛନ୍ତି। ସେ ନିଜର ଭୁଲ ବୁଝିଛନ୍ତି। ସେ କହିଛନ୍ତି, ପିପିଲି ବିଧାୟକ ସ୍ବର୍ଗତ ମହାରଥୀଙ୍କ ବିୟୋଗ‌ରେ ସେ ଅତ୍ୟନ୍ତ ମର୍ମାହତ ହୋଇଥିଲେ। ତେଣୁ ଗତ ୫ ତାରିଖ ଦିନ ସ୍ବର୍ଗଦ୍ବାରକୁ ଯାଇ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ଯେହେତୁ ସେ କୋଭିଡ଼ ସଂକ୍ରମିତ ଥିଲେ, ତେଣୁ ସ୍ବର୍ଗଦ୍ବାରକୁ ଯିବା ତାଙ୍କର ସମ୍ପୂର୍ଣ୍ଣ ଭୁଲ୍‌ ଥିଲା ବୋଲି ସ୍ବୀକାର କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ ସ୍ବର୍ଗତ ମହାରଥୀ କେବଳ ପୁରୀ ଜିଲ୍ଲା ନୁହେଁ, ସାରା ଓଡ଼ିଶାର ମଧ୍ୟ ଜଣେ ଦକ୍ଷ ନେତା ଥିଲେ। ତେଣୁ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇଥିବାରୁ ସେ ଭାବବିହ୍ବଳ ହୋଇ ସ୍ବର୍ଗଦ୍ବାରରେ ପହଞ୍ଚିଥିଲେ, ଯାହାକି ସମ୍ପୂର୍ଣ୍ଣ ଭୁଲ୍‌ ଥିଲା।’ ଏଥିସହିତ ସେ କହିଛନ୍ତି, ସରକାରଙ୍କର ଯେଉଁ ଆଇନ ରହିଛି କେହି ତାହାର ଉର୍ଦ୍ଧ୍ବରେ ନୁହନ୍ତି। ତେଣୁ ଆଇନତଃ ଯେଉଁ ପଦକ୍ଷେପ ତାଙ୍କ ପ୍ରତି ନିଆଯିବ ସେ ମାନିବାକୁ ପ୍ରସ୍ତୁତ ଥିବା ଜଣାଇଛନ୍ତି।

ସମ୍ବନ୍ଧିତ ଖବର