ଭିଜିଲାନ୍‌ସ ଦ୍ବାରା ଗିରଫ ଥାନା ଅଧିକାରୀ ଅଭିନବ ଡାଳୁଆଙ୍କ ରହିଛି ୧୪ଟି ପ୍ଲଟ୍‌ 

ଢେଙ୍କାନାଳ : ଭିଜିଲାନ୍‌ସ ହାତରେ ଧରାପଡ଼ିଥିବା ସଦର ଥାନା ଅଧିକାରୀ ତଥା ଡିଏସ୍‌ପି ଅଭିନବ ଡାଳୁଆଳଙ୍କର ବିଭିନ୍ନ ଜିଲ୍ଲାରେ କେବଳ ୨ କୋଟିରୁ ଅଧିକଟଙ୍କାର ଜମି ପ୍ଲଟ୍ ଥିବା ବେଳେ ଅନ୍ୟାନ ସ୍ଥାବର ଅସ୍ଥାବର ସଂପତ୍ତିର ଆକଳନ କରାଯାଉଥିବା ଭିଜିଲାନ୍‌ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଥାଉକି, ଶ୍ରୀ ଡାଳୁଆ ସଦର ଥାନା ଅଞ୍ଚଳର ଜଣେ କୋଇଲା ବ୍ୟବସାୟୀଙ୍କଠାରୁ ଟ୍ରକ୍‌ରେ କୋଇଲା ପରିବହନ ଲାଗି ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସର ସ୍ବତନ୍ତ୍ର ସେଲ୍ ହାତରେ ଗତ ୩୦ ତାରିଖ ଦିନ ଧରାପଡ଼ିଥିଲେ।

ଏହି ଘଟଣାର ଅଧିକ ତଦନ୍ତ ଏବଂ ଭଏସ୍‌ ସ୍ପେକ୍ଟୋଗ୍ରାଫି ଟେଷ୍ଟ ପାଇଁ ପୁନର୍ବାର ଶ୍ରୀ ଡାଳୁଆଙ୍କୁ ୮ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ରିମାଣ୍ତରେ ନିଆଯାଇଥିଲା। ରିମାଣ୍ତ ଅବଧି ଶେଷ ହେବା ପରେ ଆଜି ଶ୍ରୀ ଡାଳୁଆଙ୍କୁ ଢେଙ୍କାନାଳ ସ୍ବତନ୍ତ୍ର ଭିଜିଲାନ୍‌ସ କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ତାଙ୍କୁ ପୁନର୍ବାର ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଜାମିନ୍ ଆବେଦନ ଶୁଣାଣି ୧୪ ତାରିଖକୁ ରଖାଯାଇଛି। ରିମାଣ୍ତରେ ନେଇ ତଦନ୍ତ କରିବା ପରେ ଶ୍ରୀ ଡାଳୁଆଙ୍କର ବିଭିନ୍ନ ସ୍ଥାନରେ ଥିବା ୧୪ଟି ଜମି ପ୍ଲଟ୍‌କୁ ଠାବ କରାଯାଇଛି। ଖୋର୍ଦ୍ଧା ଜଟଣୀ ଥାନା ରାମଚନ୍ଦ୍ରପୁର ଅଞ୍ଚଳରେ ଥିବା ଏକ ଜମିରେ ନିର୍ମାଣାଧୀନ ୨ ମହଲା କୋଠା, ଖୋର୍ଦ୍ଧା ଜିଲ୍ଲାର ମଙ୍ଗରାଜପୁର, ଓଗଲାପଡା ଓ ବେଣାପଞ୍ଜରୀ ଏବଂ ଯାଜପୁର ଜିଲ୍ଲାର କୋଗାଁଓଠାରେ ୫ଟି ବେନାମୀ ଜମି ପ୍ଲଟ, ୨୦୧୮ ମସିହାରୁ ୨୦୨୦ ମସିହା ମଧ୍ୟରେ ଢେଙ୍କାନାଳ ସହର ଉପକଣ୍ଠ ବନମାଳିପ୍ରସାଦଠାରେ ୨ଟି ପ୍ଲଟ, କେନ୍ଦୁଝର ଜିଲ୍ଲା ବେବର୍ତାପୋଶୀଠାରେ ୨ଟି ପ୍ଲଟ, ସେହିପରି କେନ୍ଦୁଝର ଜିଲ୍ଲାର ଝାରବେଡ଼ାଠାରେ ୨୦୨୦ରୁ ୨୦୨୨ ମସିହା ମଧ୍ୟରେ ୪ଟି ପ୍ଲଟ ଆଦି ବେନାମୀ ସମ୍ପତ୍ତିଗୁଡିକ ତାଙ୍କର କିଛି ସଂପର୍କୀୟ, ଶାଶୂ ଓ ଶଳାଙ୍କ ନାମରେ ରହିଥିବା ବିଭାଗୀୟ ସୂତ୍ରରୁ ସୂଚନା ଦିଆଯାଇଛି। ଏସବୁ ସମ୍ପତ୍ତିର ମୂଲ୍ୟ ୨ କୋଟିରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହା ସହିତ ଶ୍ରୀ ଡାଳୁଆଙ୍କର ବ୍ୟାଙ୍କ ଆକାଉଣ୍ଟ, ଫାଇନାନ୍‌ସିଆଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌, ସେୟାର ମାକେର୍ଟ୍ ଏବଂ ସ୍ଥାବର ଅବସ୍ଥାବର ସମ୍ପତ୍ତିର ତଦନ୍ତ ଚାଲିଥିବା ଭିଜିଲାନ୍‌ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର