କାର୍ରୁ ନଗଦ ୨ ଲକ୍ଷ ୮୦ ହଜାର ଜବତ
ଲକ୍ଷାଧିକ ଟଙ୍କାର ବ୍ୟାଙ୍କ ଜମା ଓ ପୁଞ୍ଜିନିବେଶ
ହିସାବ ଦେଇପାରିଲେନି
ଖୋର୍ଦ୍ଧା : ଯେଉଁ ୧୨ ଲକ୍ଷ ଟଙ୍କାର କାର୍ରେ ମାଲିକ ଭଳି ବସି ଆସିଥିଲେ, ସେହି କାର୍ରେ ଅଭିଯୁକ୍ତଙ୍କ ଭଳି ଗିରଫ ହୋଇଗଲେ। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି ଏକ ଘଟଣା ଆଜି ଘଟିଛି। ବେହିସାବ ଟଙ୍କା ସହ ମୋଟୁ ଥାନା ଅଧିକାରୀ ସନ୍ତୋଷ ସାହୁଙ୍କୁ ବୁଧବାର ଭୁବନେଶ୍ବର ଭିଜିଲାନ୍ସ ନାଟକୀୟ ଭାବେ ଗିରଫ କରିଛି।
ଅପରାହ୍ଣ ପ୍ରାୟ ୧.୪୫ ମିନିଟ୍। ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ୮ ଜଣ ସାଧା ପୋଷାକଧାରୀ ବ୍ୟକ୍ତି ଦୁଇଟି ବଲେରୋରେ ଅପେକ୍ଷା କରିଥିଲେ। ବର୍ଷା ଯୋଗୁ ରାସ୍ତାର ଅବସ୍ଥା ଖରାପ ଥିବାରୁ ଏକ ମାରୁତି ସୁଜକି ଏଟିର୍ଗା କାର୍ ସେଠାରେ ନିଜର ଗତିକୁ ଧୀର କରିଥିଲା। ଏହି ସମୟରେ ଅପେକ୍ଷା କରିଥିବା ବ୍ୟକ୍ତିମାନେ କାର୍ଟିକୁ ଘେରିଯାଇଥିଲେ। କାର୍ରେ ବସିଥିବା ମୋଟୁ ଥାନା ଅଧିକାରୀ ସନ୍ତୋଷ ସାହୁ ଓ ତାଙ୍କ ପରିବାରକୁ ନିଜର ପରିଚୟ ଦେଇ ଗାଡ଼ିର ଖାନତଲାସ କରିଥିଲେ। ଗାଡ଼ି ମଧ୍ୟରେ ଛୋଟବଡ଼ ୧୫ଟି ବ୍ୟାଗ୍ ରହିଥିଲା। ପ୍ରାୟ ୩୦-୪୦ ମିନିଟର ଖୋଜାଖୋଜି ପରେ ବିଭିନ୍ନ ବ୍ୟାଗ୍ରୁ ୨ ଲକ୍ଷ ୮୦ ହଜାର ଟଙ୍କାର ୫ ଶହ ଟଙ୍କିଆ ତିନିଟି ଅଲଗା ଅଲଗା ବିଡ଼ା ବାହାରିଥିଲା। ‘ଏହି ଟଙ୍କା କେଉଁଠାରୁ ଆଣିଲେ’ ପ୍ରଶ୍ନରେ ସେନେଇ ଥାନା ଆଇଆଇସି ଶ୍ରୀ ସାହୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏହାପରେ କାର୍ ସହ ସେମାନଙ୍କୁ ଖୋର୍ଦ୍ଧା ଭିଜିଲାନ୍ସ କାର୍ଯ୍ୟାଳୟ ଅଣାଯାଇଥିଲା। ପ୍ରାୟ ୩ ଘଣ୍ଟା ସେଠାରେ ପଚରାଉଚୁରା କରାଯିବା ସହ ଗାଡ଼ିରେ ଥିବା ଅନ୍ୟ ବ୍ୟାଗ୍ଗୁଡ଼ିକୁ ଯାଞ୍ଚ୍ କରାଯାଇଥିଲା। ରାତି ସାଢେ଼ ୭ଟା ବେଳେ ମହିଳା ଭିଜିଲାନ୍ସ ଅଧିକାରୀଙ୍କ ସହ ଆଇଆଇସି ଶ୍ରୀ ସାହୁଙ୍କ ପତ୍ନୀ ଓ ସନ୍ତାନଙ୍କୁ ଛାଡ଼ିଦିଆଯାଇଥିଲା। ପରେ ସନ୍ତୋଷ ସାହୁଙ୍କୁ ସିଜର୍ ତାଲିକାରେ ସ୍ବାକ୍ଷର କରାଯାଇ ଭୁବନେଶ୍ବର ନିଆଯାଇଥିଲା।
ସେ ଯେଉଁ କାର୍ରେ ଆସୁଥିଲେ ତାହାର ମୂଲ୍ୟ ୧୦ରୁ ୧୨ ଲକ୍ଷ ଟଙ୍କା ହେବ। କାର୍ ସହ, ୨ ଲକ୍ଷ ୮୦ ହଜାର ଟଙ୍କା ମଧ୍ୟ ଜବତ ହୋଇଥିବା ଭିଜିଲାନ୍ସ ଏଏସ୍ପି ଅକ୍ଷୟ କୁମାର ମିଶ୍ର କହିଛନ୍ତି। ଅପରପକ୍ଷେ, ବ୍ରେନ୍ଷ୍ଟ୍ରୋକ୍ର ଶିକାର ହୋଇଥିବା ତାଙ୍କ ବାପାଙ୍କ ଚିକିତ୍ସା ପାଇଁ ଏହି ଅର୍ଥ ସେ ଉଧାରରେ ଆଣିଥିବା ଶ୍ରୀ ସାହୁ କହିଥିଲେ। ସୂଚନାଯୋଗ୍ୟ ସନ୍ତୋଷ ସାହୁ ୨୦୦୯ରେ ଏସ୍ଆଇ ଭାବେ ଚାକିରିରେ ଯୋଗ ଦେଇଥିଲେ। ୪-୫ ପୂର୍ବେ ପଦୋନ୍ନତି ପାଇ ମୋଟୁ ଥାନା ଅଧିକାରୀ ଭାବେ ଯୋଗ ଦେଇଥିଲେ। ଏହାପୂର୍ବରୁ ସେ କଟକର ଟ୍ରାଫିକ୍ ସବ୍ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ।