ସମ୍ବଲପୁର: ରେଙ୍ଗାଲି ଅଞ୍ଚଳରେ ମନୋରଞ୍ଜନ ସାହୁ ଓ ତାଙ୍କ ପୁଅ ଅଙ୍କିତ ସାହୁ ମିଶି ଶୁକ୍ରବାର ଜଣେ ପୁଲିସ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ଏ ନେଇ ଅଭିଯୋଗ ହେବା ପରେ ରେଙ୍ଗାଲି ପୁଲିସ ବାପ ପୁଅଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ତେବେ ଅଙ୍କିତଙ୍କ ମା’ ସୁଷମା ସାହୁ ପୁଲିସ କର୍ମଚାରୀମାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବୁଧବାର ନ୍ୟାୟ ପାଇଁ ସମ୍ବଲପୁର ଏସ୍ପି ଏବଂ ଉତ୍ତରାଂଚଳ ଆଇଜିଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏସ୍ପି ନଥିବାରୁ ଅତିରିକ୍ତ ଏସ୍ପିଙ୍କୁ ସେ ଦାବିପତ୍ର ପ୍ରଦାନ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ଜଣେ ପୁଲିସ କର୍ମଚାରୀ ଶୁକ୍ରବାର ସନ୍ଧ୍ୟା ୭ଟା ୫୦ ସମୟରେ ସାଦା ପୋଷକରେ ତାଙ୍କ ୨ ସାଙ୍ଗଙ୍କ ସହ ତାଙ୍କ ହୋଟେଲ୍କୁ ଆସିଥିଲେ। ପାଖରେ ଥିବା ମଦ ଦୋକାନରୁ ମଦ ଆଣି ସେଠାରେ ପିଇବା ଆରମ୍ଭ କରିଥିଲେ। ମନା କରିବାରୁ ସେମାନେ ମନୋରଂଜନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହା ଦେଖି ସେ ଓ ତାଙ୍କ ପୁଅ ଅଙ୍କିତ ସେମାନଙ୍କୁ ବୁଝାଇବାକୁ ପ୍ରୟାସ କରିଥିଲେ।
କିନ୍ତୁ, ସଂପୃକ୍ତ ପୁଲିସ କର୍ମଚାରୀ ଓ ତାଙ୍କ ୨ ସାଙ୍ଗ ପାଲଟା ସେମାନଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିବା ଆରମ୍ଭ କରିଥିଲେ। ସେ ରକ୍ଷା କରିବା ପାଇଁ ପାଟି କରିବାରୁ ସେଠାକୁ କିଛି ଲୋକ ଆସିଥିଲେ। ଏହାପରେ ପୁଲିସ କର୍ମଚାରୀ ଓ ତାଙ୍କର ୨ ବନ୍ଧୁ ସେଠାରୁ ଫେରାର୍ ହୋଇଯାଇଥିଲେ। ଏନେଇ ଅଙ୍କିତ ଥାନାକୁ ଫୋନ୍ କରି ଜଣାଇଥିବା ସେ କହିଛନ୍ତି। ତେବେ, ଏହାର କିଛି ସମୟ ପରେ ରେଂଗାଲି ପୁଲିସ ପହଂଚି ସଂପୃକ୍ତ ପୁଲିସ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଅଙ୍କିତ ଓ ମନୋରଞ୍ଜନଙ୍କୁ ଉଠାଇ ନେଇଥିଲା। ପୁଲିସ ସିସିଟିଭି କ୍ୟାମେରା ଫୁଟେଜ୍ ଥିବା ହାର୍ଡଡିସ୍କ ମଧ୍ୟ ସାଥିରେ ନେଇଯାଇଥିବା ବେଳେ ତାହା ଫେରାଇ ନଥିବା ଅଭିଯୋଗ କରାଯାଇଛି। ପୁଲିସ ପକ୍ଷରୁ ଉକ୍ତ ସିସିଟିଭି ଫୁଟେଜ୍ ସହ ହେର୍ଫେର୍ କରାଯିବାର ଆଶଙ୍କା ଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ତାଙ୍କ ସ୍ବାମୀ ଓ ପୁଅଙ୍କୁ ପୁଲିସ କର୍ମଚାରୀ ଓ ତାଙ୍କର ୨ ସାଙ୍ଗ ମାଡ଼ ମାରିଥିବା ବେଳେ ସେମାନଙ୍କ ବିରୋଧରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା କହିଛନ୍ତି।