ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ବଡ଼ମାଲ ଫାଣ୍ଡିର ଅଧିକାରୀ ଶୁକୁଟା ନାୟକ (୫୫ ବର୍ଷ)ଙ୍କ ମଙ୍ଗଳବାର ଗାଧୁଆଘରେ ପଡ଼ିଯାଇ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ ସ୍ବର୍ଗତ ନାୟକ ଫାଣ୍ଡି କ୍ବାର୍ଟର୍ସରେ ମଙ୍ଗଳବାର ଗାଧୁଆଘରକୁ ଯାଇଥିବା ବେଳେ ସେଠାରେ ପଡ଼ିଯାଇ ଅଚେତ ହୋଇଯାଇଥିଲେ।

Advertisment

ସେ ଏକୁଟିଆ ରହୁଥିବାରୁ ତାଙ୍କ ସଂପର୍କରେ କେହି ଜାଣିପାରି ନଥିଲେ। ତେବେ ଫାଣ୍ଡି କର୍ମଚାରୀମାନେ ବାରମ୍ବାର ଫୋନ୍‌ କରିଥିଲେ ହେଁ ସେ ନ ଉଠାଇବାରୁ ସନ୍ଦେହରେ କ୍ବାର୍ଟର୍ସକୁ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସ୍ବର୍ଗତ ନାୟକଙ୍କ ନିଜ ଘର ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବ୍ଲକ୍‌ ଖଇରାବେର୍ଣ୍ଣି ଗ୍ରାମରେ ହୋଇଥିବା ବେଳେ ୪ ମାସ ହେଲା ବଡ଼ମାଳ ଫାଣ୍ଡିରେ ଅଧିକାରୀ ଭାବେ ଯୋଗ ଦେଇଥିଲେ।

ମୃତ୍ୟୁ ଖବର ପାଇ ରେଢ଼ାଖୋଲ ଏସ୍‌ଡିପିଓ ପ୍ରଶାନ୍ତ ମେହେର, ରେଢ଼ାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ, ଚାରମାଳ ଥାନାଧିକାରୀ ବସନ୍ତ ଦଳେଇଙ୍କ ସମେତ ନାକଟିଦେଉଳ, ଚାରମାଳ, ରେଢ଼ାଖୋଲ ଥାନାର ଅଧିକାରୀ ଓ କର୍ମଚାରୀମାନେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।