ସରକାରୀ ଜମିରେ ପୁଲିସ ବାବୁଙ୍କ ଘର

୩୦ ପ୍ରଭାବଶାଳୀଙ୍କ କବଜାରେ ବିଡ଼ାନାସୀର ୨ ଏକର ୩୭ ଡିସିମିଲ୍‌ ସରକାରୀ ଜମି

କଟକ-ସିଡିଏ : ସରକାରୀ ଜାଗା ଜବରଦଖଲ କରି କୋଠା ଘର କରିଛନ୍ତି ପୁଲିସ୍‌ ଅଧିକାରୀ। ଅନ୍ୟପ୍ରାୟ ୩୦ ଜଣ ଥିଲାବାଲା ଆଉ ପ୍ରଭାବଶାଳୀ ବ୍ୟକ୍ତିବିଶେଷ ବି ସେହି ଅଞ୍ଚଳରେ ସରକାରୀ ଜମିରେ ଘର ତିଆରି କରିଛନ୍ତି। ପଟ୍ଟା ନଥାଇ, ସିଡିଏର ଘର ନିର୍ମାଣ ପ୍ଲାନ୍‌ ଅନୁମତି ନଥାଇ ଏଭଳି ଘର ତିଆରି ହୋଇଥିବା ବେଳେ ସେଥିରେ କିନ୍ତୁ ହାତ ମାରିବାକୁ କର୍ତ୍ତୃପକ୍ଷ ସାହସ କୁଳାଇ ପାରୁ ନାହାନ୍ତି। ବାରଙ୍ଗ ତହସିଲ (ପୂର୍ବରୁ ସଦର ତହସିଲ୍‌) ଅଞ୍ଚଳରେ ଥିବା ବେଣ୍ଟକାରପଡା ମୌଜା ଅନ୍ତର୍ଗତ ବିଡାନାସୀ ଅଞ୍ଚଳରେ ୨ ଏକର ୩୭ ଡିସିମିଲ୍‌ ମୂଲ୍ୟବାନ ସରକାରୀ ଜମି ଏବେ ଏଭଳି ଜବରଦଖଲ ସ୍ଥିତିରେ ରହିଛି। ଏହି ସରକାରୀ ଜମି ହଡ଼ପ ଘଟଣାକୁ ନେଇ ପୂର୍ବରୁ ତଦନ୍ତ କରିଥିବା

ସିବିଆଇ ପ୍ରତିକୂଳ ମନ୍ତବ୍ୟ ରଖିଛି। ଜାଲିଆତିର ସ୍ପଷ୍ଟ ପ୍ରମାଣ ଥିବା ରିପୋର୍ଟରେ ଉଲ୍ଲେଖ କରିଛି। କିନ୍ତୁ ସିବିଆଇ ରିପୋର୍ଟ ଆଧାରରେ ବି ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ। ଅନ୍ୟପଟେ ମାମଲା ହାଇକୋର୍ଟରେ ପହଞ୍ଚି ଥିବା ବେଳେ ମାସକର ସ୍ଥିତାବସ୍ଥା ନିର୍ଦ୍ଦେଶ ଆଳରେ ନିୟମ କାର୍ଯ୍ୟକାରୀ କରିବାକୁ ବର୍ଷେ ବିତିଗଲାଣି। କିନ୍ତୁ ଆରଟିଆଇରେ ମଗା ଯାଇଥିବା ସୂଚନାରେ ପ୍ରଶାସନ ଏହି ଜମିକୁ ସରକାରୀ ଜମି ବୋଲି ଦର୍ଶାଉଛି।

ସୂଚନା ଅନୁଯାୟୀ ବିଡାନାସୀ ତ୍ରିକୋଣୀୟ ଉନ୍ନୟନ ପ୍ରକଳ୍ପ ଯୋଜନା ପାଇଁ ୧୯୮୩, ଜୁଲାଇ ୨୫ ତାରିଖରେ ସରକାର ଏହି ଅଞ୍ଚଳରେ ୪୨ ଏକର ୧୯ ଡିସିମିଲ ଆବାଦଯୋଗ୍ୟ ଅନାବାଦି ଜମି ଅଧିଗ୍ରହଣ କରିଥିଲେ।  କିନ୍ତୁ ସେହି ସମୟରେ ଜଣେ ବ୍ୟକ୍ତି ହାତ ପଟ୍ଟା ଦେଖାଇ ତହସିଲରୁ ଅତ୍ୟନ୍ତ ଚଞ୍ଚକତା ପୂର୍ଣ୍ଣ ଢଙ୍ଗରେ ୧୯୮୩, ଅକ୍ଟୋବର ୨୭ ତାରିଖରେ ୨ ଏକର ୩୭ ଡିସିମିଲ୍‌ ଜମିର ପଟ୍ଟା ସେତେବେଳେ ସଦର ତହସିଲରୁ ବାହାର କରି ନେଇଥିଲେ। ୧୯୬୨ରୁ ହାତପଟ୍ଟା ଉଚ୍ଛେଦ ହୋଇଥିଲେ ବି ତହସିଲରୁ ପଟ୍ଟା ବାହାରି ଯାଇଥିଲା। ସେହି ପଟ୍ଟା ଆଧାରରେ ୧୯୯୬ରେ ସଂପୃକ୍ତ ବ୍ୟକ୍ତି ୩୦ ଜଣଙ୍କୁ ସେହି ଜମି ବିକ୍ରି କରି ଦେଲେ। କିନ୍ତୁ ମୂଳ ପଟ୍ଟାରେ ସଂପୃକ୍ତ ବ୍ୟକ୍ତିଙ୍କର ଯେଉଁ ଜାତି ରହିଥିଲା, ବିକ୍ରି କବଲାରେ ଜାତି ବଦଳାଇ ଲୋକଙ୍କୁ ବିକ୍ରି କଲେ। ଜମି କିଣିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଅତ୍ୟନ୍ତ ଚଞ୍ଚକତାପୂର୍ଣ୍ଣ ଢଙ୍ଗରେ ୧୦ ଡିସିମିଲ୍‌ ଜମିର ଜମି ପଟ୍ଟା ବାହାର କରି ନେଇଥିବା ବେଳେ ଅନ୍ୟମାନେ କିନ୍ତୁ ଜମି ପଟ୍ଟା ବାହାର କରି ପାରୁ ନାହାନ୍ତି। କଟକରେ ଏଭଳି ସରକାରୀ ଜମି ଜବରଦଖଲ କେଳେଙ୍କାରୀର ତଦନ୍ତ ପାଇଁ ୨୦୦୯ରେ ସିବିଆଇକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଏହି ଘଟଣା ବି ତାହାର ତଦନ୍ତ ପରିସରଭୁକ୍ତ ହେଲା। ଜମି ପଟ୍ଟା ପ୍ରସ୍ତୁତିରେ କେଳେଙ୍କାରୀ ହୋଇଥିବା ସିବିଆଇ ରିପୋର୍ଟରେ ଉଲ୍ଲେଖ କଲା। ୨୦୧୧ରେ ଏହି ଜମିକୁ ନେଇ ବାରଙ୍ଗ ତହସିଲ ବି ଏକ ମାମଲା ରୁଜୁ କଲା। ଏହି ମାମଲା ବିରୋଧରେ ଜମି କିଣିଥିବା ଲୋକ ୨୦୧୭ରେ ହାଇକୋର୍ଟରେ ମାମଲା ଦାୟର କଲେ। ୨୦୧୭, ଏପ୍ରିଲ ୧୭ ତାରିଖରେ ହାଇକୋର୍ଟ ୪ ସପ୍ତାହ ପାଇଁ ସ୍ଥିତାବସ୍ଥା ଜାରି କରିଥିଲେ। କିନ୍ତୁ ସେହି ସ୍ଥିତାବସ୍ଥା ଆଳରେ ହାତ ବାନ୍ଧି ବସିଛନ୍ତି। ଅନ୍ୟପଟେ ଏହି ଜମିର ସ୍ଥିତିକୁ ନେଇ ଜଣେ ବ୍ୟକ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ଲୋଡିଥିଲେ। ୨୦୧୮, ଜାନୁଆରି ୨୯ ତାରିଖରେ ଭୂ ଅଧିଗ୍ରହଣ ଅଧିକାରୀ ଏହାର ଉତ୍ତର ଦେଇଥିବା ବେଳେ ଜମି ସରକାରୀ ଅଧିଗ୍ରହଣରେ ରହିଛି ବୋଲି ଉଲ୍ଲେଖ କରିଛନ୍ତି। ସରକାରୀ ଜମିରୁ ମଠମନ୍ଦିର ଉଚ୍ଛେଦ ସହ ଗରିବ ବସ୍ତି ବାସିନ୍ଦାଙ୍କୁ ହଟାଇବା ଦିଗରେ ପ୍ରଶାସନ ଆଗଭର ହୋଇ ପଡୁଥିବା ବେଳେ ଜବରଦଖଲରେ ଥିବା ଏଭଳି ଥିଲାବାଲା ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ପଛଘୁଞ୍ଚା ଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର