‌ଯୌତୁକ ନିର୍ଯାତନା ମାମଲା ‌କୋହଳ ପାଇଁ ଲାଞ୍ଚ: ପୁଲିସ ବାବୁଙ୍କୁ ଗୋଡ଼ାଇ ଧରିଲା ଭିଜିଲାନ୍ସ

ଉମରକୋଟ ଥାନାରୁ ରିଲିଭ ହୋଇଥା’ନ୍ତେ, ଭବାନୀପାଟଣା ଓ ଫୁଲବାଣୀରେ ବି ଚଢ଼ଉ

ଉମରକୋଟ : ଅନ୍ଧାର ରାତିରେ ଟଙ୍କା ଧରି ଆଗେଆଗେ ଧାଉଁଥିଲେ ପୁଲିସ ବାବୁ। ପଛେପଛେ ଗୋଡ଼ାଉଥିଲା ଭିଜିଲାନ୍ସ ଟିମ୍‌। ବେଶୀ ଦୂର ଦୌଡ଼ି ପାରିଲେ ନାହିଁ। ଶେଷରେ ଭିଜିଲାନ୍ସ ଟିମ୍‌ ମାଡ଼ିବସି କାବୁ କଲା। ଗୋଟିଏ ଯୌତୁକ ମାମଲାକୁ କୋହଳ କରିବାକୁ ଲାଞ୍ଚନେଇ ଏମିତି ଧରାପଡ଼ିଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅତିରିକ୍ତ ଥାନା ଅଧିକାରୀ ଲିମାରାଜ ପ୍ରଧାନ। ରାତାରାତି ନବରଙ୍ଗପୁରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ସୋମବାର ସକାଳେ ଲିମାରାଜଙ୍କୁ ଜୟପୁର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି।

ଉମରକୋଟ ଥାନାରେ କାର୍ଯ୍ୟରତ ଅତିରିକ୍ତ ଆଇଆଇସି ଲିମାରାଜ ପ୍ରଧାନଙ୍କୁ ୧୦ଦିନ ତଳେ ଖାତିଗୁଡ଼ା ଥାନାକୁ ବଦଳି କରାଯାଇଥିଲା। ସୋମବାର ସକାଳେ ସେ ଉମରକୋଟ ଥାନାରୁ ରିଲିଭ ହୋଇ ଖାତିଗୁଡ଼ା ଥାନାରେ ଯୋଗ ଦେଇଥା’ନ୍ତେ। ତେବେ, ଥାନା ଛାଡ଼ିବା ପୂର୍ବରୁ ଗୋଟିଏ ‌ଯୌତୁକ ନିର୍ଯାତନା ମାମଲାକୁ କୋହଳ କରିବା ପାଇଁ ଉମରକୋଟ ଡିଏନ୍‌କେ ନିବାସୀ ନଳିନୀକାନ୍ତ ନାୟକଙ୍କୁ ୨୦ହଜାର ଟଙ୍କା ମାଗିଥିଲେ। ଏତେ ଟଙ୍କା ଦେବାପାଇଁ ନିଜର ଅକ୍ଷମତା ପ୍ରକାଶ କରିବା ସହିତ ଅଳ୍ପ ଟଙ୍କା ନେବାକୁ ଅନୁରୋଧ କରିଥିଲେ ନଳିନୀ। ହେଲେ, ଏଥିରେ ରାଜି ହୋଇନଥିଲେ ଲିମାରାଜ। ତେଣୁ, ନଳିନୀ ବାଧ୍ୟହୋଇ ନବରଙ୍ଗପୁରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ। ଏହାପରେ ଭିଜିଲାନ୍ସ ପକ୍ଷରୁ ଯୋଜନା ପ୍ରସ୍ତୁତ କରି ରସାୟନ ବୋଳା ୨୦ହଜାର ଟଙ୍କାର ନୋଟ୍‌ ସହ ଲିମାରାଜଙ୍କ ପୁଲିସ ଲାଇନ୍‌ସ୍ଥିତ ଘରକୁ ନଳିନୀଙ୍କୁ ପଠାଯାଇଥିଲା।

ସିସି କ୍ୟାମେରାରୁ ବର୍ତ୍ତିବା ପାଇଁ ନଳିନୀଙ୍କୁ ନିର୍ଜନ ସ୍ଥାନକୁ ଡକାଇଥିଲେ ଲିମାରାଜ। ରବିବାର ରାତି ପ୍ରାୟ ସାଢ଼େ ୧୧ଟାରେ ଲାଞ୍ଚ ଟଙ୍କା ଦେଇଥିଲେ ନଳିନୀ। ଏହିସମୟରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍‌ ଅତର୍କିତ ଚଢ଼ଉ କରିଥିଲା। ହଡ଼ବଡ଼େଇ ଲିମାରାଜ ଦୌଡ଼ିବା ଆରମ୍ଭ କରିଥିଲେ। ମାଲକାନଗିରି ଭିଜିଲାନ୍ସ ଡିଏସ୍‌ପି ସୁଶାନ୍ତ କୁମାର ବିଶ୍ଵାଳ ପିଛାକରି ଲିମାରାଜଙ୍କୁ ମାଡ଼ି ବସିଥିଲେ। ଏହାପରେ ମଝି ରାସ୍ତାରେ ହାଇଭୋଲଟେଜ୍‌ ଡ୍ରାମା ଦେଖିବାକୁ ମିଳିଥିଲା। ଧସ୍ତାଧସ୍ତି ହୋଇଥିବାବେଳେ ଭିଜିଲାନ୍ସ ଟିମ୍‌ ଲିମାରାଜଙ୍କୁ କାବୁକରି ତାଙ୍କ ବାସଭବନ ଯାଞ୍ଚ କରାଯାଇଥିଲା। ସେଠାରୁ ନଗଦ ୨୩ହଜାର ଟଙ୍କା ସହ କିଛି କାଗଜପତ୍ର ମିଳିବା ପରେ ନବରଙ୍ଗପୁରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଥିଲା। ସୋମବାର ସକାଳେ ଲିମାରାଜଙ୍କୁ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଭବାନୀପାଟଣାସ୍ଥିତ ଘର ଏବଂ ଫୁଲବାଣୀ ସ୍ଥିତ ପୈତୃକ ଘରେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଇଛି। ନବରଙ୍ଗପୁର, ମାଲକାନଗିରି ଏବଂ ଜୟପୁର ଭିଜିଲାନ୍ସର ୧୪ଜଣିଆ ଟିମ୍‌ ଏହି ଚଢ଼ଉରେ ସାମିଲ ଥିଲେ।

ସୂଚନାଯୋଗ୍ୟ, ଲିମାରାଜ ‌ଅଢ଼େଇ ବର୍ଷ ହେଲା ଉମରକୋଟ ଥାନାରେ କାର୍ଯ୍ୟରତ ଥିବାବେଳେ ଆଉ ବର୍ଷକ ପରେ ଅବସର ନେଇଥା’ନ୍ତେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର