ବାପାମା’ ପୁଲିସ ଅଫିସର, ପୁଅ ନିଶା ବେପାରୀ ! ପୁଲିସ କ୍ୱାର୍ଟର୍ସରେ ରହି କରୁଥିଲା ବେପାର

ଏସ୍‌ସିଏସ୍‌ କଲେଜର ତୃତୀୟ ବର୍ଷର ଛାତ୍ର

ପୁରୀ : କଟକ ଗୁଇନ୍ଦା ବିଭାଗ ଓ ପୁରୀ ଅବକାରୀ ବିଭାଗର ଚଢ଼ଉ ବେଳେ ନିଶା କାରବାରରେ ସଂପୃକ୍ତ ଦୁଇ ଜଣଙ୍କୁ ଆଜି ନିମାପଡ଼ା ବଜାରରୁ ଗିରଫ କରାଯାଇଛି। ଦୁଇ ଜଣଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଏକ ପୁଲିସ ଦମ୍ପତିଙ୍କ ପୁଅ ବୋଲି ଜଣାପଡ଼ିଛି। ଏମାନଙ୍କ ନିକଟରୁ ପ୍ରାୟ ୩ ଲକ୍ଷ ଟଙ୍କାର ହେରୋଇନ ଜବତ ହୋଇଛି। ମୁଖ୍ୟ ଅଭିଯୁକ୍ତ ଯୁବକ ଜଣକ ପୁରୀ ଏସ‌୍‌ସିଏସ୍ କଲେଜର ଛାତ୍ର ଏବଂ ତା’ର ବାପାମା’ ପୁଲିସ ଏସ୍‌ଆଇ ବୋଲି ଜଣାପଡ଼ିବା ପରେ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ମିଳିଥିବା ସୂଚନାରୁ ଜଣାପଡ଼ିଛି, ପୁରୀ ବାସେଳିସାହି ଥାନା ଅନ୍ତର୍ଗତ ମାଟିତୋଟା ନିବାସୀ ତଥା ଡେଲାଙ୍ଗ ଥାନା ଏସ୍ଆଇ ଉପେନ୍ଦ୍ରନାଥ ଦାସଙ୍କ ପୁଅ ଶାନ୍ତନୁ ‌ଗତ କିଛି ବର୍ଷ ହେଲା ପୁରୀ ଏବଂ ନିମାପଡ଼ା ସହରରେ ନିଶା ବେପାର କରି ଆସୁଥିଲା। ଶାନ୍ତନୁଙ୍କ ମା’ ମଧ୍ୟ ନିମାପଡ଼ା ଥାନାରେ ଏସ୍ଆଇ ଅଛନ୍ତି। ସେ ନିମାପଡ଼ା ଥାନା ପୁଲିସ କ୍ବାର୍ଟର୍ସରେ ରହି ପୁରୀ ଏସ‌୍‌ସିଏସ୍ କଲେଜର ଯୁକ୍ତ ୩ରେ ତୃତୀୟ ବର୍ଷ ପଦାର୍ଥ ବିଜ୍ଞାନରେ ପାଠ ପଢ଼ୁଛନ୍ତି। ଶାନ୍ତନୁ ତା’ ସାଙ୍ଗ ତାଳବଣିଆ ଥାନା ଅନ୍ତର୍ଗତ ଟିକରପଡ଼ାର ସତ୍ୟରଞ୍ଜନ ଦାସ(୨୧)ଙ୍କ ସହାୟତାରେ ଏହି ନିଶା ବେପାର ଚଳାଇ ଆସୁଥିଲା। ଆଜି ନିମାପଡ଼ାସ୍ଥିତ ଜୟଶ୍ରୀ ସିନେମା ହଲ୍ ନିକଟରୁ ଏମାନଙ୍କୁ ଗିରଫ କରାଯାଇଥିବା ବେଳେ ସେମାନେ ପାଖରେ ରଖିଥିବା ପ୍ରାୟ ୨୪ ଗ୍ରାମ ଓଜନର ହେରୋଇନ ଜବତ ହୋଇଛି। ଦୁହେଁ ଓଡି-୧୩ବି-୨୬୨୧ ନମ୍ବର ବିଶିଷ୍ଟ ହୋଣ୍ଡା ଆକ୍ଟିଭା ଗାଡ଼ିରେ ଭୁବନେଶ୍ବରରୁ ହେରୋଇନ ନେଇ ଆସୁଥିବା ବେଳେ ଜୟଶ୍ରୀ ସିନେମା ହଲ୍ ପାଖରେ ଧରାପଡ଼ିଥିଲେ।

ସମ୍ବନ୍ଧିତ ଖବର