ଧରାପଡ଼ିଲା ପୁଲିସ୍‌ ମିଛ, ସାଉଡ଼ ଫାଣ୍ଡି ଅଧିକାରୀ ନିଲମ୍ବିତ

ସୋର/ବାହାନଗା : ବାହାନଗା ବ୍ଲକ ସୋର ଥାନା ଅଧୀନ ସାଉଡ଼ ବିଟ୍‌ ହାଉସ୍‌ ଅଧିକାରୀ ମୀନକେତନ ସିଂଙ୍କୁ ଆଜି ପୂର୍ବାଞ୍ଚଳ ଆଇଜି ଦିପ୍ତେଶ ପଟ୍ଟନାୟକ ନିଲମ୍ବିତ କରିଛନ୍ତି। ଜଣେ ବିଚାରାଧୀନ କଏଦୀଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରିଥିବାରୁ ଶ୍ରୀ ସିଂଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଗତ ଜାନୁଆରି ୧୯ ତାରିଖରେ ସୋର ଥାନା ଚିନ୍ତାମଣିପଦା ଗାଁର ଅର୍ଜୁନ ନାୟକଙ୍କ ପୁଅ ରଞ୍ଜିତ (୨୦)ଙ୍କୁ ପୁଲିସ ଡକାୟତି ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜିଲ୍ଲା କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ମେ ୩୦ ତାରିଖରେ ଅଭିଯୁକ୍ତଙ୍କ ପକ୍ଷରୁ ହାଇକୋର୍ଟଙ୍କ ପାଖରେ ଜାମିନ୍‌ ଆବେଦନ କରାଯାଇଥିଲା। ଅଗଷ୍ଟ ୨ରେ ହାଇକୋର୍ଟ ଜାମିନ୍‌ ମଞ୍ଜୁର କରିବା ପରେ ସୋର ଜେଲ୍‌ରୁ ରଞ୍ଜିତ ମୁକୁଳିଥିଲେ। ତେବେ ଗତ ଜୁନ୍‌ ୨୩ ତାରିଖ ରାତିରେ ସୋର ଥାନା ବିଦୁ ଛକ ନିକଟରେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ ମାରି ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ୍‌ ଲୁଟି ନେଇଥିଲେ। ଏହି ଘଟଣାରେ ସୋର ପୁଲିସ ନିଜ ଆଡ଼ୁ କେସ୍ ନଂ ୨୩୭/୧୯ ନମ୍ବରରେ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାର ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇ ଶ୍ରୀ ସିଂ ରଞ୍ଜିତଙ୍କୁ ଅଭିଯୁକ୍ତ ଦର୍ଶାଇ ଗତ ନଭେମ୍ବର ୧ ତାରିଖରେ ଗିରଫ କରି କୋର୍ଟଚାଲାଣ କରିଥିଲେ। ତେବେ ବିଦୁ ଛକ ଘଟଣା ଘଟିବା ବେଳେ ରଞ୍ଜିତ ସୋର ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ଥିଲେ। ଅଭିଯୁକ୍ତ ଜେଲରେ ଥିବା ବେଳେ ଜାତୀୟ ରାଜପଥ ଉପରେ ସଂଘଟିତ ଲୁଟ୍‌ ଘଟଣାରେ କିଭଳି ସଂପୃକ୍ତ ହେଲେ ସେ ନେଇ ସାଧାରଣରେ ଉଠିଥିଲା ପ୍ରଶ୍ନ। ସେହିପରି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବା ପରେ ତାଙ୍କ ଗର୍ଭବତୀ ପତ୍ନୀ ସୋର ଥାନାକୁ ରଞ୍ଜିତଙ୍କ ନିଖୋଜ ସଂପର୍କରେ ଅଭିଯୋଗ କରିବାକୁ ଆସିଥିଲେ। ହେଲେ ତାଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ଦିଆନଯାଇ ଘରକୁ ପଠାଇ ଦିଆଯାଇଥିଲା। ଗଣମାଧ୍ୟମରେ ଏହି କଥା ପ୍ରଘଟ ହେବା ପରେ ଅଡୁଆରେ ପଡିଥିଲେ ପୁଲିସ ଉଚ୍ଚ କର୍ତ୍ତୃପକ୍ଷ। ଏହି ଘଟଣାରେ ଏଏସ୍‌ଆଇ ଶ୍ରୀ ସିଂଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ସୋର ଥାନା ଆଇଆଇସି ମଧ୍ୟ ମାମଲାର ଉଚିତ ଅନୁଧ୍ୟାନ କରି ନଥିବାରୁ ତାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଜି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର