୧୬୪ ପୁଲିସ୍‌ ଅଧିକାରୀଙ୍କ ଭବିଷ୍ୟତ ଅନିଶ୍ଚିତ : ଦାୟିତ୍ବ ଡିଏସ୍‌ପି, ଦରମା ଇନ୍ସପେକ୍ଟର

ସୁପ୍ରିମକୋର୍ଟରେ ମାମଲା, ଅକ୍ଟୋବର ୧୫ରେ ଶୁଣାଣି

କଟକ : ପୁଲିସ ବିଭାଗରେ ଇନ୍ସପେକ୍ଟରରୁ ଡିଏସ୍‌ପି ପଦୋନ୍ନତି ପାଇ ଇନ-ଚାର୍ଜ ଡିଏସପି ଭାବେ କାର୍ଯ୍ୟରତ ଅଧିକାରୀଙ୍କ ଭବିଷ୍ୟତ ଏବେ ଅନିଶ୍ଚିତ। ସେମାନେ ଇନ୍ସପେକ୍ଟର ପାହ୍ୟାର ଦରମା ପାଉଥିବା ବେଳେ ଡିଏସପି ପାହ୍ୟାର ଡ୍ୟୁଟି କରୁଛନ୍ତି। ଏ ସଂକ୍ରାନ୍ତରେ ମାମଲା ଏବେ ସୁପ୍ରିମକୋର୍ଟରେ ଗଡୁଥିବା ବେଳେ ବିବାଦର ତୁରନ୍ତ ସମାଧାନ ନ ହେଲେ ଆଗକୁ ପୁଲିସ ଚାକିରି କ୍ଷେତ୍ରରେ ଗୁରୁତର ବିଭ୍ରାଟ ସୃଷ୍ଟି ହେବା ଆଶଙ୍କା କରାଯାଉଛି।

ସୂଚନା ଅନୁଯାୟୀ ପୁଲିସ ଅଧିକାରୀ ପଦୋନ୍ନତି ପ୍ରସଙ୍ଗକୁ ନେଇ ପୂର୍ବରୁ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ (ସ୍ୟାଟ୍), ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ସୁପ୍ରିମକୋର୍ଟ ୨୦୧୬, ଏପ୍ରିଲ ୧୮ରେ ଏ କ୍ଷେତ୍ରରେ ରହିତାଦେଶ ଜାରି କରିଥିବା ବେଳେ ସେହି ମାମଲା ଏବେ ବିଚାରାଧୀନ ରହିଛି। କିନ୍ତୁ ଏପରି ରହିତାଦେଶ ଉଠାଇବା ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ୨୦୧୯, ଜୁଲାଇ ୮ ତାରିଖରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ରହିତାଦେଶ ଉଠାଇବା ପାଇଁ ଦାୟର ଅନ୍ତରୀଣ ଆବେଦନକୁ ଖାରଜ କରିବା ସହିତ ମୂଳ ମାମଲାର ଶୁଣାଣି ୨୦୧୯, ଅକ୍ଟୋବର ୧୫କୁ ଧାର୍ଯ୍ୟ କରିଛନ୍ତି।

ସୂଚନାଯୋଗ୍ୟ ଯେ ଇନ୍ସପେକ୍ଟରରୁ ଡିଏସପି ପଦକୁ ପଦୋନ୍ନତି ପାଇଁ ପ୍ରସ୍ତୁତ କରାଯାଇଥିବା ୨୦୧୫, ସେ‌େପ୍ଟମ୍ବର ୭ର ଗ୍ରେଡେସନ୍ ତାଲିକାକୁ ନେଇ ବିବାଦ ଦେଖା ଦେଇଥିଲା। ଏ ନେଇ ୨୦୧୫ରେ ସ୍ୟାଟରେ ମାମଲା ରୁଜୁ ହୋଇଥିଲା। ୨୦୧୫, ଅକ୍ଟୋବର ୬ରେ ସ୍ୟାଟ୍ ମାମଲାର ଶୁଣାଣି କରି ସରକାରଙ୍କୁ ଚାରି ସପ୍ତାହ ଭିତରେ ଜବାବ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥି‌ବା ବେଳେ ଏହି ସମୟ ଭିତରେ କୌଣସି ଜବାବ ଦାଖଲ କରାଯାଇ ନଥିଲା। ମାମଲା ଗଡି ଚାଲିଥିବା ବେଳେ ରହିତାଦେଶ ନିର୍ଦ୍ଦେଶ ପାଇବା ପାଇଁ ଆବେଦନକାରୀ ହାଇକୋର୍ଟ ଓ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୬ରେ ସୁପ୍ରିମକୋର୍ଟ ଏହି ପ୍ରସଂଗରେ ରିହିତାଦେଶ ଜାରି କରିଥିବା ବେଳେ ସରକାରଙ୍କୁ ଦୁଇ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସରକାର ୨୦୧୭, ମାର୍ଚ୍ଚ ୩ରେ ଏହି ମାମଲାରେ ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଥିଲେ। ଜବାବ ଦାଖଲରେ ବିଳମ୍ବ ପାଇଁ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ଘୁଞ୍ଚି ଘୁଞ୍ଚି ଯାଇଥିବା ବେଳେ ଉଭୟ ସାଧାରଣ ଓ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ଭବିଷ୍ୟତ ପ୍ରଭାବିତ ହୋଇଥିଲା।

ଅନ୍ୟପକ୍ଷରେ ପୁଲିସ ବିଭାଗରେ ବହୁ ଡିଏସପି ପଦ ଖାଲି ପଡିଥିବା ବଳେ ଅଚଳାବସ୍ଥା ସୃଷ୍ଟି ଆଶଙ୍କା କରି ସରକାର ଏକ ଅଭିନବ ନିଷ୍ପତ୍ତି ନେଇଥିଲେ। ବରିଷ୍ଠ ତଥା ଯୋଗ୍ୟ ଇନ୍ସପେକ୍ଟରମାନଙ୍କୁ ଡିଏସପି ପାହ୍ୟାରେ ଇନ୍-ଚାର୍ଜ ଭାବେ ଅବସ୍ଥାପିତ କରି ଦେଇଥିଲେ। ୨୦୧୭, ନଭେମ୍ବର ୨୨ରେ ଏ ନେଇ ଗୃହ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଥିଲା। ଇନ୍ସପେକ୍ଟରମାନେ ଇନ୍-ଚାର୍ଜ ଡିଏସପି ଭାବେ କାର୍ଯ୍ୟ କରିବେ କିନ୍ତୁ ପୂର୍ବଭଳି ଇନ୍ସପେକ୍ଟର ପାହ୍ୟାର ଦରମା ନେବେ। ଏବଂ ଇନ୍-ଚାର୍ଜ ଡିଏସପି ଭାବେ ଅବସ୍ଥାପିତ ହେବା ପଦୋନ୍ନତି ଭାବେ ଗ୍ରହଣ କରାଯିବ ନାହିଁ ବୋଲି ସର୍ତ୍ତ ରଖାଯାଇଥିଲା। ଏ ନେଇ ନିର୍ଦ୍ଦେଶନାମା ଜାରି କରାଗଲା। କିନ୍ତୁ ଏଭଳି ସର୍ତ୍ତରେ ନିଯୁକ୍ତି ପାଇଥିବା ଇନଚାର୍ଜ ଡିଏସପିଙ୍କ ତଦନ୍ତ ଅଧିକାରକୁ ନେଇ ଏବେ ପ୍ରଶ୍ନ ଉଠିଲାଣି। କେତେକ ମାମଲାର ତଦନ୍ତ ଓ ସୁପରଭିଜନ କ୍ଷେତ୍ରରେ ଏହି ଇନ୍-ଚାର୍ଜ ଡିଏସପିଙ୍କ ଦାୟିତ୍ବ ନିର୍ବାହ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଅଭିଯୋଗ ଉଠିଲାଣି। ଏସ୍‌ସି ଆଣ୍ଡ୍ ଏସଟି (ପିଏ) ଆଇନ ଅନୁସାରେ ରୁଜୁ ମାମଲାର ତଦନ୍ତ ଡିଏସପି ପାହ୍ୟାର ଅଧିକାରୀ କରିବାର ନିୟମ ଥିବା ବେଳେ ସର୍ତ୍ତମୂଳକ ନିଯୁକ୍ତି ପାଇଥିବା ଇନ୍-ଚାର୍ଜ ଡିଏସପି ଏହି ଦାୟିତ୍ବ ନିର୍ବାହ କରିବା କେତେ ଦୂର ଗ୍ରହଣୀୟ ତାହାକୁ ନେଇ ତର୍ଜମା ଆରମ୍ଭ ହେଲାଣି।

ଏହି ବିବାଦୀୟ ପରିସ୍ଥିତିକୁ ଏଡାଇବା ପାଇଁ ରାଜ୍ୟ ପୁଲିସ ବିଭାଗର ଆଇଜି କେତେକ ପ୍ରସ୍ତାବ ସରକାରଙ୍କୁ ଦେଇଥିଲେ। ବିଭିନ୍ନ ପ୍ରସ୍ତାବ ସହିତ ଇନ୍-ଚାର୍ଜ ଡିଏସପି ପଦରେ ଅବସ୍ଥାପିତ ଅଧିକାରୀଙ୍କୁ ବରିଷ୍ଠତା ଭିତ୍ତିରେ ପଦୋନ୍ନତି ଦେଇ ନିଯୁକ୍ତିର ଭବିଷ୍ୟତ ଅଦାଲତରେ ବିଚାରାଧୀନ ମାମଲାର ଫଳାଫଳ ଉପରେ ନିର୍ଭର କରିବ ବୋଲି ସଂପୃକ୍ତ ଅଧିକାରୀଙ୍କ ଠାରୁ ସତ୍ୟପାଠ ଅଣାଯାଉ ବୋଲି ରାଜ୍ୟ ଗୃହ ବିଭାଗକୁ ଗତ ଫେବ୍ରୁଆରିରେ ଚିଠି ଲେଖାଯାଇଛି। କିନ୍ତୁ ଏ ଦିଗରେ ଏଯାଏ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ନିଯୁକ୍ତ ପାଇଥିବା ୧୬୪ ଇନ-ଚାର୍ଜ ଡିଏସପି ଅନିଶ୍ଚିତତା ଭିତରେ ରହିଥିବା ବେଳେ ଏହାକୁ ନେଇ ସୃଷ୍ଟି ହେବାକୁ ଯାଉଥିବା ଆଇନଗତ ବିବାଦ ଗୁରୁତର ସଙ୍କଟ ସୃଷ୍ଟି କରିବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର