ବଦଳିଲେ ପୁଲିସ କମିସନର : ସତ୍ୟଜିତ ମହାନ୍ତି ନୂଆ ପୁଲିସ କମିସନର

ଭୁବନେଶ୍ୱର : ପାଖାପାଖି ଅଢ଼େଇ ବର୍ଷ ପରେ ରାଜ୍ୟ ସରକାର ଆଜି ଦ୍ୱୈତନଗରୀ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆଙ୍କୁ ବଦଳି କରିଛନ୍ତି। ଏଥିସହିତ ୧୯୮୮ ବ୍ୟାଚ୍‌ ବରିଷ୍ଠ ଆଇପିଏସ୍‌ ତଥା ପ୍ରୋଭିଜନିଂ ଦାୟିତ୍ୱରେ ଥିବା ଅତିରିକ୍ତ ଡିଜି ସତ୍ୟଜିତ ମହାନ୍ତିଙ୍କୁ ପୁଲିସ କମିସନର ଭାବେ ଅବସ୍ଥାପିତ କରାଯାଇଛି। ଶ୍ରୀ ଖୁରାନିଆ ଏବେ ଶ୍ରୀ ମହାନ୍ତିଙ୍କ ସ୍ଥାନରେ ଏଡିଜି ପ୍ରୋଭିଜନିଂ ଭାବେ କାର୍ଯ୍ୟ କରିବେ। ୨୦୧୬ ଜାନୁଆରିରେ ଶ୍ରୀ ଖୁରାନିଆ ପୁଲିସ କମିସନର ଭାବେ ଦାୟିତ୍ୱ ନେଇଥିଲେ। ଏଥିସହିତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କର ପୁଲିସ ଅଫିସରସ୍ତରରେ ପ୍ରଥମ ପର୍ଯ୍ୟାୟ ବଦଳି ସଂକ୍ରାନ୍ତ ନିର୍ଦେଶନାମା ପ୍ରକାଶ ପାଇଛି।

ଗ଼ୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ୧୯୯୪ ବ୍ୟାଚ୍‌ ଆଇପିଏସ୍‌ ତଥା ରାଜ୍ୟ ସଶସ୍ତ୍ର ବଳ ଦାୟିତ୍ୱରେ ଥିବା ଆଇଜି ସଂଜୀବ ପଣ୍ଡାଙ୍କୁ ପରିବହନ କମିସନର ଭାବେ ନିଯୁକ୍ତି ମିଳିଛି। ଶ୍ରୀ ପଣ୍ଡାଙ୍କ ଦାୟିତ୍ୱ ଅତିରିକ୍ତ ଭାବେ ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ଆଇଜି ଅମିତାଭ ଠାକୁର ତୁଲାଇବେ।

କ୍ରାଇମବ୍ରାଞ୍ଚ ଏସ୍‌ପି ପଣ୍ଡିତ ରାଜେଶ ଉତ୍ତମ ରାଓ (୨୦୦୭ ବ୍ୟାଚ୍‌) ଙ୍କୁ ଭଦ୍ରକ ଏସ୍‌ପି ଭାବେ ନିଯୁକ୍ତି ମିଳିଛି। ସେଠାରେ ଥିବା ୨୦୧୧ ବ୍ୟାଚ୍‌ ଆଇପିଏସ୍‌ ବାତୁଲା ଗଙ୍ଗାଧର କଳାହାଣ୍ଡି ଏସ୍‌ପି ଭାବେ ବଦଳି ହୋଇଛନ୍ତି। କଳାହାଣ୍ଡି ଏସ୍‌ପି (୨୦୧୨ ବ୍ୟାଚ୍‌) ଏମ୍‌ ସନ୍ଦୀପ ସମ୍ପତ୍‌ କ୍ରାଇମବ୍ରାଞ୍ଚ ଏସ୍‌ପି ଭାବେ କାର୍ଯ୍ୟ କରିବେ।

ଅନ୍ୟପକ୍ଷରେ ରାଉରକେଲାର ବଣାଇ ଅତିରିକ୍ତ ଏସ୍‌ପି ଦେବୀ ପ୍ରସାଦ ଦାଶଙ୍କୁ ସୋନପୁର ଏସ୍‌ପି (ଇନଚାର୍ଜ) ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କୁ ପଦୋନ୍ନତି ମିଳିନଥିଲେ ହେଁ, ସେ ଅତିରିକ୍ତ ଏସ୍‌ପି ପାହ୍ୟାରେ ରହି ଏସ୍‌ପି ଦାୟିତ୍ୱ ତୁଲାଇବେ। ସେହିପରି ଭୁବନେଶ୍ୱର ପୁଲିସ କମିସନରେଟ୍‌ରେ ଥିବା ଅତିରିକ୍ତ ଏସ୍‌ପି ଶଶୀ ଭୂଷଣ ଶତପଥୀଙ୍କୁ ଅନୁରୂପ ଢଙ୍ଗରେ ନୟାଗଡ଼ ଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି।

ଷଷ୍ଠ ପୁଲିସ କମିସନର

ଶ୍ରୀ ମହାନ୍ତି ହେବେ କମିସନରେଟ୍‌ ପୁଲିସର ଷଷ୍ଠ କମିସନର। ଆଜି ତାଙ୍କର ନୂଆ ନିଯୁକ୍ତି ସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସେ ବର୍ତ୍ତମାନ ସମୟରେ ନିଜର ନୂଆ ଦାୟିତ୍ୱ ସଂପର୍କରେ କିଛି ମନ୍ତବ୍ୟ ଦେବା ଠିକ ହେବ ନାହିଁ ବୋଲି କହିଛନ୍ତି। ତାଙ୍କୁ ଯେଉଁ ଦାୟିତ୍ୱ ମିଳିବ ସେ ତାକୁ ଠିକ ଢଙ୍ଗରେ ନିର୍ବାହ କରିବେ ଏବଂ ଦାୟିତ୍ୱରେ ରହିବା ପରେ ଯାଇ ସେ କିଛି କହିପାରିବେ ବୋଲି ଶ୍ରୀ ମହାନ୍ତି ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି।

୧୯୬୧ରେ ଜନ୍ମିତ ଶ୍ରୀ ମହାନ୍ତି ହେଉଛନ୍ତି ୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର। ଜୟପୁରର ଏଏସ୍‌ପି ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଶ୍ରୀ ମହାନ୍ତି ବିଭିନ୍ନ ସମୟରେ କୋରାପୁଟ, ରାଉରକେଲା, କଟକ, ବାଲେଶ୍ୱର ଓ ଭିଜିଲାନସ ଏସପି ଭାବେ କାର୍ଯ୍ୟ କରିଥିଲେ। ବିଭିନ୍ନ ରେଞ୍ଜର ଆଇଜି ଭାବେ କାର୍ଯ୍ୟ କରିବା ସହ ସେ ଅଗ୍ନିଶମ ଓ ହୋମଗାର୍ଡ ବିଭାଗର ଆଇଜି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ବିଜୁ ପଟ୍ଟନାୟକ ପୁଲିସ ଏକାଡେମିର ନିର୍ଦ୍ଦେଶକ ଏବଂ ଓଡ଼ିଶା ପୁଲିସ ହାଉସିଂ ଓ ଓ୍ଵଲଫେୟାର କର୍ପୋରେସନ୍‌ର ସିଏମଡି ଭାବେ ମଧ୍ୟ ସେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ପୁଲିସ ବିଭାଗରେ ନିଜର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରୀ ମହାନ୍ତି ୨୦୦୪ରେ ପୁଲିସ ମେଡାଲ, ୨୦୧୨ରେ ରାଷ୍ଟ୍ରପତି ପୁଲିସ ପଦକ ପାଇଥିବା ବେଳେ ବିଭିନ୍ନ ସମୟରେ ୫୦ରୁ ଅଧିକ ଆପ୍ରିସିଏସନ୍‌ ପାଇଛନ୍ତି। ଜିଓଲୋଜିରେ ପିଜି କରିଥିବା ଶ୍ରୀ ମହାନ୍ତି ମାନବାଧିକାରରେ ମାଷ୍ଟର ଡିଗ୍ରି କରିଛନ୍ତି। ୟୁଏସଏର ଏକ ବିଶ୍ୱବିଦ୍ୟାଳୟରୁ ଆଇଆଇଏମବି ଡିିଗ୍ରି ସହ ପିପିଏମ୍‌ରେ ମଧ୍ୟ ପିଜି କରିଛନ୍ତି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଶ୍ରୀ ମହାନ୍ତି ୫ଟି ପୁସ୍ତକ ରଚନା କରିଛନ୍ତି। ୧୦ରୁ ଅଧିକ ସନ୍ଦର୍ଭ ଲେଖିଛନ୍ତି। ୫ରୁ ଅଧିକ ଆନ୍ତର୍ଜାତିକ ସମ୍ମିଳନୀରେ ଭାଗ ନେଇଛନ୍ତି। ‘ନୋ ୟୋର୍‌ ପୁଲିସ’ ନାମରେ ଏକ ଡକ୍ୟୁମେଣ୍ଟାରି ପ୍ରସ୍ତୁତ କରିଛନ୍ତି। ଟେନିସ୍‌ ଓ ସାଇକେଲିଂରେ ସ୍ୱତନ୍ତ୍ର ରୁଚି ରଖୁଥିବା ଶ୍ରୀ ମହାନ୍ତି କଟକ ଜିଲ୍ଲା ଟେନିସ ଆସୋସିଏସନ୍‌ର ଅବୈତନିକ ସଂପାଦକ ଅଛନ୍ତି। ଶ୍ରୀ ମହାନ୍ତି ଏବେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡି କରୁଛନ୍ତି।

ସମ୍ବନ୍ଧିତ ଖବର