ରାଉରକେଲା: ରାଉରକେଲା ଜିଲ୍ଲା ପୁଲିସ ଅନ୍ତର୍ଗତ ବିଭିନ୍ନ ଥାନାର ପେଟ୍ରୋଲିଂରେ ନିୟୋଜିତ ହୋଇଛି ପିସିଆର୍‌ ଇନୋଭା ଭ୍ୟାନ୍‌। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିରୁ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ କିଣାଯାଇଥିଲା ଏହି ୨୫ଟି ଇନୋଭା କାର୍‌। ସର୍ବସାଧାରଣ ଅବଗତ ନିମନ୍ତେ ପ୍ରତ୍ୟେକ ଇନୋଭା କାର୍‌ରେ ‘ ରାଉରକେଲା ପୁଲିସ’ ସହ ସହାୟତା ଡାୟଲ୍‌ ନଂ ଆଦି ଲେଖାଯାଇଥିଲା। ଏବେ ପିସିଆର୍‌ ଭ୍ୟାନ୍‌ରେ ପୁଲିସ ସ୍ଥାନରେ ‘ ଆଇସି’ ଲେଖା ରହିଛି। ଏଥିପ୍ରତି ସ୍ଥାନୀୟ ଥାନା ନା ପିସିଆର୍‌ ଭ୍ୟାନ୍‌ ପରିଚାଳନା ଦାୟିତ୍ବରେ ଥିବା ପୁଲିସ ଅଧିକାରୀ, କାହାରି ନଜର ନ ପଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

ପିସିଆର୍‌ ଭ୍ୟାନ୍‌ରେ ପୁଲିସ ପରିବର୍ତ୍ତେ ଆଇସି ଲେଖାକୁ ନେଇ ସହରବାସୀ ଦ୍ବନ୍ଦରେ ପଡ଼ିଛନ୍ତି। ତେବେ ଗୋଟିଏ ଇନୋଭା ପିସିଆର୍‌ ଭ୍ୟାନ୍‌ ନୁହେଁ ଅନ୍ୟ କିଛି ଗାଡ଼ିରେ ଲାଗିଥିବା ଷ୍ଟିକର ଗୁଡ଼ିକ ଦିଶୁନି କିମ୍ବା ଉଠିଯାଇଛି। ଯାହାକୁ ସଂଶୋଧନ କରିବାର ଆବଶ୍ୟକତା ରହିଛି। ଉଲ୍ଲେଖଯୋଗ୍ୟ, ଗତ ୨୦୨୦ ଜାନୁଆରି ୧୯ରେ ଡିଏମ୍‌ଏଫ୍‌ ଫାଣ୍ଠିରୁ ଜିଲ୍ଲା ପୁଲିସକୁ ୨୫ଟି ଇନୋଭା କାର୍‌ ପ୍ରଦାନ କରାଯାଇଥିଲା। ତତ୍କାଳୀନ ଅବସରପ୍ରାପ୍ତ ଡିଜିପି ଅଭୟ ୨୫ଟି ଇନୋଭା ପିସିଆର୍‌ ଭ୍ୟାନ୍‌କୁ ଲୋକାର୍ପିତ କରିଥିଲେ। ଉଦିତନଗର ପ୍ୟାରେଡ ପଡ଼ିଆରେ ଆୟୋଜିତ ଲୋକାର୍ପଣ କାର୍ଯ୍ୟକ୍ରମରେ ଅତିରିକ୍ତ ଗୁଇନ୍ଦା ଡିଜି ଆର୍‌.କ‌େ. ଶର୍ମା, ପଶ୍ଚିମାଞ୍ଚଳ ଡିଆଇଜି ତତ୍କାଳୀନ କବିତା ଜଲାନ୍‌, ରାଉରକେଲା ତତ୍କାଳୀନ ଏସ୍‌ପି କେ. ଶିବା ସୁବ୍ରମଣ୍ୟମ୍‌ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।