‘ମୋ ସରକାର’ ପ୍ରଭାବ : ଲାଞ୍ଚ ନେଇ ଫାଣ୍ଡିବାବୁ ଗିରଫ

ଡାକ୍ତରଙ୍କ ନାମରେ ମାମଲା

ଜୟପୁର : ‘ମୋ ସରକାର’ ଜାଲରେ ଫସିଛନ୍ତି ଫାଣ୍ଡିବାବୁ । ଜଣେ ବ୍ୟକ୍ତିଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବା ମହଙ୍ଗା ପଡ଼ିଛି । ଏହି ମାମଲାରେ କୋରାପୁଟ ଏସ୍‌ପି ଫାଣ୍ଡି ଅଧିକାରୀ ନାରାୟଣ ପଟ୍ଟନାୟକଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଗତ ଡିସେମ୍ବର ମାସ ୨୪ ତାରିଖ ଦିନ ମଜୁରୁଗୁଡ଼ା ଗ୍ରାମ ଛକରେ ଏକ ବାଇକ୍ ଓ ଅଟୋ ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ ବାଇକ୍ ଚାଳକ ଦେବେନ୍ଦ୍ର ତନ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ବାପା ଲକ୍ଷ୍ମଣ ତନ୍ତି ଆହତ ହୋଇଥିଲେ । ପୁଲିସ ଅଟୋ ଓ ବାଇକ୍‌କୁ ଜବତ କରିଥିଲା। ଏହି ମାମଲାରେ ଆମ୍ବାଗୁଡ଼ା ଫାଣ୍ଡି ବାବୁ ବାଇକ୍ ଛାଡ଼ିବା ପାଇଁ ଲକ୍ଷ୍ମଣ ତନ୍ତିଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଲକ୍ଷ୍ମଣ ୬ ହଜାର ଟଙ୍କା ଦେବା ସହ ‘ମୋ ସରକାର’ ନିକଟରେ ଅଭିଯୋଗ କରିଥିଲେ । ଏଭଳି ଅଭିଯୋଗକୁ ଭିତ୍ତିକରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତୁରନ୍ତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ କୋରାପୁଟ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଆସିଥିଲା । କୋରାପୁଟ ଏସ୍‌ପି ମୁକେଶ କୁମାର ଭାମୋ ଏହି ଘଟଣାର ତଦନ୍ତ କରିବା ପରେ ଏଥିରେ ସତ୍ୟତା ଥିବା ସ୍ପଷ୍ଟ ହୋଇଥିଲା । ଆଜି ସଂଧ୍ୟାରେ ଏସ୍‌ପି ଶ୍ରୀ ଭାମେ ନିଜେ ଜୟପୁର ଆସି ଘଟଣାର ତଦନ୍ତ କରିଥିଲେ। ସତ୍ୟତା ଜଣାପଡ଼ିବା ପରେ ଫାଣ୍ଡି ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ଏସ୍‌ପି ସୂଚନା ଦେଇଛନ୍ତି । ଏଭଳିକି ଫାଣ୍ଡି ବାବୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାରେ ଶବ ବ୍ୟବଚ୍ଛେଦ କରିବା ପାଇଁ କୋରାପୁଟ ବଡ଼ ମେଡିକାଲର ଜଣେ ଡାକ୍ତର ୩ ହଜାର ଟଙ୍କା ଲାଞ୍ଚ ମାଗିଥିବା ବେଳେ ୨,୫୦୦ ଟଙ୍କା ଗ୍ରହଣ କରିଥିଲେ। ଏ ନେଇ ବି ମୋ ସରକାର ନିକଟରେ ଅଭିଯୋଗ ହୋଇଥିଲା। ତେଣୁ ଜୟପୁର ସଦର ଥାନାରେ ଆମ୍ବାଗୁଡ଼ା ଫାଣ୍ଡି ଅଧିକାରୀ ଓ ସଂପୃକ୍ତ ଡାକ୍ତରଙ୍କ ନାମରେ ମାମଲା ରୁଜୁ ହୋଇଥିବା ଏସ୍‌ପି ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର