କ୍ରାଇମ୍‌ବ୍ରାଞ୍ଚ ଜାରି କଲା ଆଡଭାଇଜାରି

ପୁଲିସକୁ ପାର୍ସଲ ବୋମା ଚିନ୍ତା

ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ପାର୍ସଲ ବୋମା ଫୁଟି ୨ ଜଣଙ୍କ ମୃତ୍ୟୁ ଘଟିବା ପରେ ଚେତିଛି ଓଡ଼ିଶା ପୁଲିସ। ଆଜି ଏ ନେଇ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ଏଣିକି କୋରିଅର ସଂସ୍ଥାମାନଙ୍କୁ ଏହି ଆଡଭାଇଜରି ମାନିବାକୁ ପଡ଼ିବ। ନଚେତ ଆଇନ ଅନୁଯାୟୀ କୋରିଅର ସଂସ୍ଥାଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି। ଶ୍ରୀ ଉପାଧ୍ୟାୟଙ୍କଠାରୁ ମିଳିଥିବା ସୂଚନା ମୁତାବକ, ପ୍ରଥମେ କୋରିଅର ସଂସ୍ଥାରେ ସିସି କ୍ୟାମେରା ଲଗାଯିବ। ସିସି କ୍ୟାମେରାରେ ରେକର୍ଡ ହୋଇଥିବା ତଥ୍ୟକୁ ଅତି କମ୍‌ରେ ଏକ ମାସ ପର୍ଯ୍ୟନ୍ତ ରେକର୍ଡ କରି ରଖାଯିବ। ଯେଉଁ ବ୍ୟକ୍ତି ବିଶେଷ କୋରିଅର ଯୋଗେ ପାର୍ସଲ ପଠାଇବାକୁ ଆସିବେ ସେମାନଙ୍କ ଫଟୋ, ମୋବାଇଲ ନମ୍ବର, ଠିକଣା, ଆଧାର କାର୍ଡ, ଭୋଟ ପରିଚୟପତ୍ରର ଫଟୋକପି କୋରିଅର ସଂସ୍ଥା ପକ୍ଷରୁ ସଂଗ୍ରହ କରାଯିବ।। ଏହାଛଡ଼ା ସେ ଯେଉଁ ଜିନିଷ ପାର୍ସଲ କରିବାକୁ ଆଣିଥିବେ ତାକୁ ଲଗେଜ୍‌ ସ୍କାନରରେ ପରଖିବ କୋରିଅର କମ୍ପାନି। ଏଥିପାଇଁ କୋରିଅର ସଂସ୍ଥାଗୁଡ଼ିକ ଲଗେଜ୍‌ ସ୍କାନର୍‌ ଓ ମେଟାଲ ଡିଟେକ୍ଟର ରଖିବା ବାଧ୍ୟତାମୂଳକ କରାଯିବ। ପାର୍ସଲଗୁଡ଼ିକୁ ଉଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଦେବା ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ଯାଞ୍ଚ କରାଯିବ। ମେଟାଲ ଡିଟେକ୍ଟର ଜରିଆରେ ପାର୍ସଲରେ କିଛି ମାରଣାସ୍ତ୍ର କିମ୍ବା ବିସ୍ଫୋରକ ସାମଗ୍ରୀ ଥିବାର ସୂଚନା ମିଳିଲେ କୋରିଅର କମ୍ପାନି ଏ ନେଇ ତୁରନ୍ତ ସ୍ଥାନୀୟ ଥାନା , ଅଗ୍ନିଶମ ବିଭାଗ କିମ୍ବା ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଜଣାଇବେ। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଏହି ଆଡଭାଇଜାରିର କପି ଖୁବ୍‌ ଶୀଘ୍ର କୋରିଅର କମ୍ପାନିଗୁଡ଼ିକୁ ପଠାଇ ଦିିଆଯିବ। ଏହା ଛଡ଼ା ଜନସାଧାରଣ ମଧ୍ୟ ସେମାନଙ୍କ ନିକଟକୁ ଆସୁଥିବା ପାର୍ସଲଗୁଡିକୁ ଭଲ ଭାବେ ଯାଞ୍ଚ କରି ଗ୍ରହଣ କରିବା ଆବଶ୍ୟକ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।

ଏଠାରେ ପ୍ରକାଶଥାଉକି, ଗତ ଫେବ୍ରୁଆରି ମାସ ୨୩ ତାରିଖରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଏକ ବିବାହ ଉପହାର ପାର୍ସଲ ଖୋଲିବାବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ବର ସୌମ୍ୟ ଶେଖର ସାହୁ ଓ ତାଙ୍କ ଜେଜେମା’ ଜେନାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା। ସୌମ୍ୟଙ୍କ ପତ୍ନୀ ରିମା ସାହୁ ଏବେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର