ବିଚ୍ଛିନ୍ନାଞ୍ଚଳ ବାସିନ୍ଦା- ପୁଲିସ୍‌ ଛକାପଞ୍ଝା, ମେଳି ପାଇଁ ଘର ଛାଡ଼ିଛନ୍ତି ୫ ହଜାର ଲୋକ

ଲୋକଙ୍କ ଉପରେ ନଜର ରଖିଛି ଡ୍ରୋନ୍‌ କ୍ୟାମେରା

ମାଲକାନଗିରି: ଅଶାନ୍ତ ବିଚ୍ଛିନ୍ନାଞ୍ଚଳରେ ବିରାଟ ପ୍ରଜାମେଳି ପାଇଁ ବାରମ୍ବାର ଠୁଳ ହେଉଛନ୍ତି ଲୋକ। ପୁଲିସ୍‌ର ଉପସ୍ଥିତି ଯୋଗୁଁ ଗତ ଦୁଇ ଦିନ ହେଲା ବିଚ୍ଛିନ୍ନାଞ୍ଚଳବାସୀଙ୍କ ସବୁ ଉଦ୍ୟମ ବିଫଳ ହୋଇଛି। ତଥାପି ଛକାପଞ୍ଝା ଲାଗିରହିଛି। ସମୟ ଏବଂ ସୁବିଧା ମିଳିଲେ ବୈଠକ କରି‌ବା ପାଇଁ ଅପେକ୍ଷା କରି ରହିଛନ୍ତି। ୫ ହଜାରରୁ ଊର୍ଦ୍ଧ୍ବ ଲୋକେ ପ୍ରଜାମେଳିରେ ସାମିଲ୍‌ ହେବାକୁ ଘର ଛାଡ଼ିଥିବା ଖବର ମିଳିଛି। ଆସନ୍ତାକାଲି ସେମାନେ ପୁଣି ଗୋଟିଏ ସ୍ଥାନରେ ଏକାଠି ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି।

ମିଳିଥିବା ସୂଚନା ଅନୁସାରେ, ଗତ ଦଶ ଦିନ ହେଲା ବିଚ୍ଛିନ୍ନାଞ୍ଚଳରେ ବଦଳି ଯାଇଛି ବାତାବରଣ। ଅଶାନ୍ତ ରହିଥିବା ବିଚ୍ଛିନ୍ନାଞ୍ଚଳରେ ଲୋକେ କାମଧନ୍ଦା ଛାଡ଼ି ପ୍ରଶାସନକୁ ବିରୋଧ କରିବା ପାଇଁ ଆଗକୁ ଆସୁଛନ୍ତି। ଏତେ ସଂଖ୍ୟକ ଲୋକଙ୍କୁ ଠୁଳ କରି କଣ ଯୋଜନା କରାଯାଉଛି ପୁଲିସ୍‌ ବି ଠିକ୍ ରୂପେ ଜାଣିପାରୁ ନାହିଁ। ତେଣୁ ପ୍ରତ୍ୟେକ ଗତିବିଧି ଉପରେ ପୁଲିସ ଏବଂ ବିଏସ୍‌ଏଫ୍‌ ଯବାନଙ୍କ ତୀକ୍ଷ୍ଣ ନଜର ରହିଛି। ଯେଉଁ ସ୍ଥାନରେ ଲୋକେ ଠୁଳ ହେଉଥିବା ଖବର ମିଳୁଛି ଡ୍ରୋନ୍‌ କ୍ୟାମେରା ସେଠାରେ ପହଞ୍ଚି ଯାଉଛି। ଲୋକଙ୍କ ପ୍ରତ୍ୟେକ ଗିତିବିଧିକୁ ରେକର୍ଡ କରାଯାଉଥିବା ଜଣାପଡ଼ିଛି। ବିଏସ୍‌ଏଫ୍‌ ମଧ୍ୟ ଯେ କୌଣସି ଅପ୍ରୀତିକର ଘଟଣାକୁ ଏଡାଇବା ପାଇଁ ପ୍ରସ୍ତୁତ ରହିଛି। ଲୋକଙ୍କ ଠାରୁ ଆବଶ୍ୟକ ଦୂରତା ରଖି ୨୪ ଘଣ୍ଟା ପ୍ରହରା ଦେଉଛି। ଓଡ଼ିଶା ପୁଲିସ ତରଫରୁ ଡିଭିଏଫ ଏବଂ ଏସ୍‌ଓଜି ଯବାନ ମଧ୍ୟ ଏଠାରେ ପ୍ରତିକୂଳ ପ୍ରତିସ୍ଥିତିର ମୁକାବିଲା ନିମନ୍ତେ ପ୍ରସ୍ତୁତ ହୋଇ ରହିଛନ୍ତି। ଏମିତି ସ୍ଥିତିରେ ଆସନ୍ତାକାଲି ଲୋକେ କ’ଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି।

ସମ୍ବନ୍ଧିତ ଖବର