ଚାନ୍ଦବାଲି ଥାନା ପୁଲିସର ବର୍ବର କାଣ୍ଡ: ନାବାଳିକା ଝିଅ ଏବଂ ମା’ଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଲେ ପୁଲିସ ବାବୁ

ପୁଲିସ ଆକ୍ରମଣରେ ମହିଳା ଗରୁତର

ଚାନ୍ଦବାଲି: ଚାନ୍ଦବାଲି ଥାନା ପୁଲିସର ବର୍ବର କାଣ୍ଡ ସାମ୍ନାକୁ ଆସିଛି। ଲୋକଙ୍କ ସରକାରରେ ପୁଲିସ ବାବୁଙ୍କ ଦାଦାଗିରି ଚର୍ଚ୍ଚାର ବିଷୟ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକୁ ଫୁ’ କରି ଉଡ଼ାଇଦେଇଛି ଚାନ୍ଦବାଲି ଥାନା ପୁଲିସ । ଥାନା ପରିସରରେ ଜଣେ ନାବାଳିକା ଏବଂ ଦୁଇ ମହିଳାଙ୍କୁ ପୁଲିସ ବାବୁ ମାଡ଼ ମାରୁଛନ୍ତି। ଖାଲି ସେତିକି ନୁହେଁ, ଘୋଷାଡ଼ି ଘୋଷାଡ଼ି ନେଇ ମାଡ଼ ମାରୁଥିବା ଦେଖିବାକୁ ମିଳିଛି।

ସାମାନ୍ୟ କଥାରେ ରଗିଲେ ପୋଲିସ୍ ବାବୁ। ସର୍ବ ସମ୍ମୁଖରେ ମାଡ ମାରି ଲହୁ ଲୁହାଣ କରି ପକାଇଲେ। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ସମ୍ମୁଖରେ। ଜଣେ ଚାରି ବର୍ଷର ଶିଶୁଟି ଖେଳୁ ଖେଳୁ ଚପଲ ଖୋଳ ଥାନା ପରିସରରେ ପକାଇ ଦେବାରୁ ତାର ମାଆ ମୀତା ସେଠୀ(୨୨)ଙ୍କୁ ଚାନ୍ଦବାଲି ଥାନାର ଏଏସଆଇ ନେପାଳୀ ସାହା ଓ କନେଷ୍ଟବଳ ରବି ସେଠୀ ମାଡ଼ ମାରିବା ସହ ତଳେ ଘୋଷାଡ଼ି ଥାନାକୁ ନେଇଥିଲେ। ପୁଲିସ୍ ବାବୁଙ୍କ ରାଗ ଏତେ ବଢି ଯାଇଥିଲା ଯେ, ଅତି ଅମାନବୀୟ ଭାବେ ସେହି ମାଆର କୋଳରେ ଆଉ ଗୋଟିଏ ଛୋଟ ଶିଶୁ ଥାଏ, ତଥାପି ତଳେ ପକାଇ ଘୋଷାଡ଼ି ଘୋଷାଡ଼ି ନେଇଥାନ୍ତି ପୋଲିସ ବାବୁ। ଉପସ୍ଥିତ କିଛି ଯୁବକ ପ୍ରତିବାଦ କରିବା ସହିତ ମୋବାଇଲରେ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରିଥିଲେ।

ଚାନ୍ଦବାଲି ପୁଲିସର ମାତ୍ରାଧ‌ିକ କାର୍ଯ୍ୟ ପାଇଁ ସମଗ୍ର ପୁଲିସ ବିଭାଗ ନିନ୍ଦିତ ହେଇଛି। ଉକ୍ତ ଘଟଣାରେ ଜଣେ ଦଳିତ ମହିଳା ମୀତା ସେଠୀ ଓ ତାଙ୍କର ନାବାଳିକା ନଣନ୍ଦ ପୂର୍ଣ୍ଣିମା ରାମ (୧୪) ପୋଲିସ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଘଟଣାଟି ଏମିତି ଥିଲା, ଚାନ୍ଦବାଲି ଥାନା ପରିସରରେ ଜଣେ ଦଳିତ ମହିଳା ତାଙ୍କ ସ୍ଵାମୀଙ୍କୁ ଭେଟିବାକୁ ଆସିଥିଲେ। ସଂପୃକ୍ତ ମହିଳାଙ୍କ ଛୋଟଛୁଆ ଏକ ଚପଲ ଖୋଳକୁ ଧରି ଖେଳୁଥିବା ବେଳେ ମହିଳା ଜଣକ ଚପଲ ଖୋଳକୁ ଥାନା ପରିସର ଗେଟ ମଧ୍ୟକୁ ପକାଇ ଦେଇଥିଲେ। ଏହି ଘଟଣାରେ କାହିଁକି ଡ଼ଷ୍ଟବିନକୁ ଚପଲ ଖୋଳ ପକାଇଲ ନାହିଁ ବୋଲି କହି କନେଷ୍ଟବଳ ରବି ସେଠୀ ମହିଳାଙ୍କୁ ମାଡ଼ ମାରିଥିଲେ। ମହିଳା ଜଣକ ମାଡ଼ ଖାଇବା ପରେ ପାଟିତୁଣ୍ଡ କରିବାରୁ ଥାନାର ଏଏସଆଇ ନେପାଳୀ ସାହା ଓ ସମ୍ପୃକ୍ତ କନେଷ୍ଟବଳ ମହିଳାଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରି ଲହୁଲୁହାଣ କରିବା ସହ ତାଙ୍କ ନାବାଳିକା ନଣଦକୁ ମଧ୍ୟ ମାରିବାକୁ ପଛାଇ ନଥିଲେ। ଏହି ଘଟଣାକୁ ସ୍ଥାନୀୟ କିଛି ଯୁବକ ମୋବାଇଲେ ଭିଡ଼ିଓ ଉତଳନ କରି ସୋସିଆଲ ମିଡ଼ିଆରେ ଛାଡ଼ିବା ସହ ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବୀ କରିଥିଲେ। ସମ୍ପୃକ୍ତ ମହିଳାଙ୍କ ବୟାନ ଅନୁସାରେ ଚାନ୍ଦବାଲି ଥାନା ଅଧିକାରୀ ପଞ୍ଚାନନ ମହାନ୍ତି ଓ ଚାନ୍ଦବାଲି ଏସଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ସମ୍ପର୍କରେ ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କୁ ଅବଗତ କରାଯାଇଛି। ନିର୍ଦ୍ଦେଶ ଆସିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

 

ସମ୍ବନ୍ଧିତ ଖବର